ଆଦର୍ଶ ଜୀବନ
ଆଦର୍ଶ ଜୀବନ
ପରାଚୀ ଗଗନ ସ୍ବର୍ଣ୍ଣୀମ ଦିଶିଲା
ଦିବାକର ଆଗମନେ ,
ଅପସରି ଯାଏ ପ୍ରଭାତୀ ତାରକା
ଦୂର ଦିଗବଳୟ ଅନ୍ତେ ।୧
ଧରା ବକ୍ଷରେ ହେଲା ବିଚ୍ଛୁରିତ
ରକ୍ତିମ ରବି କିରଣ ,
ତରୁ ଲତା ଜୀବ ଜାଗ୍ରତ ହୋଇଲେ
ହେଲା ଦିବସର ଆଗମନ ।୨
ନିଦ୍ରା ତେଜି ମୁଁ ଯେ ଜଣାଏ ପ୍ରଣତୀ
ବିଭୂ ପଦାରବିନ୍ଦରେ ,
ଜୀବନ ପୁଷ୍ପ ମୋ ସମର୍ପିତ କରି
ଚକ୍ଷୁ ମୋ ମୁଦ୍ରିତ କରେ ।୩
ପ୍ରଭୁ ପରଂବ୍ରହ୍ମ କର ଆଶୀର୍ବାଦ
କି ଦିବସ କିବା ରାତି ,
ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରୀତି ଦୟାଭାବ
ମନେ ମୋର ଥାଉ ନିତି ।୪
ସମଭାବେ ଯେବେ ସୂର୍ଯ୍ୟ ତା'ର ରଶ୍ମି
ସଭିଙ୍କୁ କରେ ପ୍ରଦାନ ,
ସୂର୍ଯ୍ୟାଲୋକ ସମ ହେଉ ମନୋଭାବ
ମୁଁ ସଭିଙ୍କୁ ମଣେ ସମାନ ।୫
ଦୀନ ଦୁଃଖୀ ସେବା କରି ଏ ଜୀବନ
କଟିଯାଉ ମୋ ସୁଖରେ ,
ପ୍ରଦୀପ ସମ ମୋ ସାଥେ ରହିଥାଅ
ପଥ ଦେଖାଅ ଅନ୍ଧକାରେ ।୬
ରବି ଆଗମନେ ଦୂରିଭୂତ ହୁଏ
ଅମା ଅନ୍ଧାର ରାତି ,
ଅଜ୍ଞାନ ତିମିର ଅପସରି ଯାଉ
ପ୍ରଭୁ ଜଳୁ ଜ୍ଞାନାଲୋକ ବତୀ ।୭
ଜ୍ଞାନର ଭଣ୍ଡାର ପୂର୍ଣ୍ଣକର ମୋର
'ଜୀବେଦୟା' ଭାବ ରହୁ ମନେ ,
ଭକ୍ତି ଅର୍ଘ୍ୟ ମୁଁ ଯେ ଢାଳି ଦେଉଅଛି
ଘେନା କର ହେ ଶ୍ରୀ ଚରଣେ ।୮
ଲୋଡା ନାହିଁ ମୋର ବିଳାସ ବ୍ୟସନ
ଚାକଚକ୍ୟ ଆଭିଜିତ୍ୟ ,
ନିରାଡମ୍ବରେ ପୂର୍ଣ୍ଣ ଆଦର୍ଶ ଜୀବନ
ସଂସାରେ ହେଉ ବିଦିତ ।୯
ଶୁଭ ସକାଳରେ ମାଗୁଛି ଏତିକି
ଭରିଦିଅ ମୋ ଅଞ୍ଜଳି ,
ତବ ନାମ ଧ୍ୟାୟୀ ଦିବସ ଆରମ୍ଭେ
ପ୍ରଭୁ ଦିଅ ହେ ଆଶିଷ ଠାଳି ।୧୦।
