ଏହି ସେ ମଣିଷ
ଏହି ସେ ମଣିଷ
ପୃଥିବୀ ଗଢ଼ୁଛି ସମ୍ପର୍କ ଏଇଠି
କାହିଁ ଚନ୍ଦ୍ର କାହିଁ ମଙ୍ଗଳ
ଜନମି ତା କୋଳେ ଜଳୁଛେ ହିଂସାରେ
ସ୍ବାର୍ଥ ଅସ୍ତ୍ର କରି ସକଳ ।
ଏହି ସେ ମଣିଷ ମଙ୍ଗଳରେ ଗଛ
ସୃଷ୍ଟି କଲା ବାୟୁ ମଣ୍ଡଳ
ସେହି ଏ ମଣିଷ ସ୍ଵାର୍ଥେ ହୋଇ ବଶ
ଘଡିକେ ପାଲଟେ ଚଣ୍ଡାଳ ।
ଭାତ୍ରୁଭାବ ସ୍ନେହ ବନ୍ଧନର ମୋହ
ମଶାଣିରେ ଦେଇ କବର
ଅଢେଇ ଦିନକୁ ଖୋଜୁଛି ମଣିଷ
ସ୍ୱାର୍ଥକୁ କରିବ ସାକାର ।
ରକତରେ ବେଡ଼ି ପିନ୍ଧାଇ କୁରୁଳି
ଉଠଇ ହସର ଜୁଆର
ମିଛ ସତ କହି କେତେ ଦୋଷ ଦେଇ
ମନା କରିଦିଏ ଦୁଆର ।
ଶିକ୍ଷା ଦିକ୍ଷା କିବା ସଂସ୍କାରରେ ଅବା
କେଉଁଠି ରହିଲା କୋହଳ
ଶିକ୍ଷିତ ହୋଇଛି ପ୍ରଳାପ କରୁଛି
ସ୍ବାର୍ଥ ପାଇଁ ହୁଏ ପାଗଳ ।
କିଏ ଦୃଢ଼ ମନା ଉତ୍ସର୍ଗିତ ସିନା
ମା ମାତୃଭୂମି ପାଦତଳ
ମାଆର ସମ୍ମାନ ଅଟେ ତାର ପ୍ରାଣ
କାହିଁ ଚନ୍ଦ୍ର କାହିଁ ମଙ୍ଗଳ ।
କିଏ ସେ ବୁଝୁନି କା ସୁଖ ଦେଖୁନି
ଭାବୁଛି ମନେ ସେ ଅମର
ଜୁଆର ନ ଥିବ ଭଟ୍ଟା ପଡ଼ିଯିବ
ଶୁଖି ଯିବ ସ୍ବାର୍ଥ ସାଗର ।
ସ୍ବାର୍ଥ ସାରଥୀ କରୁଥିବ ଯଦି
ଅଭିନୟ ହେବ ଯୁଗଳ
କରାଳ କାଳିମା ଘୋଟି ଯିବ ସିନା
ଘଡ଼ିକେ ଘୋଟିବ ଅନ୍ଧାର ।