ମହିଳା
ମହିଳା
ବିଧାତା ଗଢିଲେ ମନୁ ଶତରୂପା
ସଂସାର ବର୍ଦ୍ଧନ ଅର୍ଥେ
ଶତରୂପା ଥିଲେ ପ୍ରଥମ ମହିଳା
ଆମର ଏଇ ଜଗତେ ।
ଧର୍ମେ ରହି ନିଜ ସଂସାର ବର୍ଦ୍ଧନେ
ଉଭୟେ ହୋଇଲେ ରତ
ମାନବ ସଭ୍ୟତା ସଂରଚନା ହେଲା
ଏକଥା ପୁରାଣେ ଖ୍ୟାତ ।
ମହିଳା ଜନନୀ ଭଗିନୀ ଓ ଜାୟା
ଆଦି ନାନା ରୂପ ଧରେ
ଆଦି ଶକତି ସେ ସୃଷ୍ଟିର ସ୍ୱରୁପ
ତା ଲାଗି ସୃଷ୍ଟି ସଞ୍ଚରେ ।
ମହିଳା ବିନା ଏ ସୃଷ୍ଟି କି ସମ୍ଭବ
ଭାବି ନିଅ ଥରେ ମନେ
ସୃଷ୍ଟି ସମ୍ଭବା ସେ ପାଳନ ପୋଷଣ
କରଇ ଆନନ୍ଦ ମନେ ।
ବକ୍ଷୁ ନିଗାଡି ସୁଧା ଧାରା ଦିଏ
ସନ୍ତାନ ରକ୍ଷଣ ପାଇଁ
କେତେ କେତେ ରୂପ ଧରଇ ସେ ନିଜେ
ଜଗତର ହିତ ପାଇଁ ।
ଆହାର ଦିଗୁଣ ବୁଦ୍ଧି ଚାରିଗୁଣ
ବ୍ୟବସାୟ ଷଡଗୁଣ
ଆଠଗୁଣ କାମ କରଇ ମହିଳା
ଏକଥା ଶାସ୍ତ୍ର ପ୍ରମାଣ ।
ଅହଲ୍ୟା ଦ୍ରୌପଦୀ କୁନ୍ତୀ ମନ୍ଦୋଦରୀ
ତାରା ଏ ଥିଲେ ମହିଳା
ଶଚୀ ସୀତା ଅରୁନ୍ଧତୀ ଅନସୂୟା
ସଭିଏଁ ଏ ପୁଣ୍ୟଶୀଳା ।
ଦେବତା ପୃଥ୍ୱୀରେ ଲଭନ୍ତି ଜନମ
ମାତୃଶକ୍ତି ଗରଭରୁ
ସଫଳ ପୁରୁଷ ପଛରେ ମହିଳା
ରହିଛି କାଳ କାଳରୁ ।
ରାକ୍ଷସୀର ରୂପ ଧରଇ ମହିଳା
କ୍ଷୂର୍ଣ୍ଣ ହେଲେ ସ୍ଵାଭିମାନ
ଭଲ ଭାବେ ତୁମେ ନିରୀକ୍ଷଣ କର
ମିଥ୍ୟା ନୁହେଁ ଏ ବଚନ ।
ଆଜିର ଯୁଗରେ ପ୍ରତ୍ୟେକ କ୍ଷେତ୍ରରେ
ମହିଳା ଥାପିଛି ପାଦ
ଶୁଭ ଲକ୍ଷଣ ଏ ସମାଜ ପାଇଁକି
ନଆସିବ ପରମାଦ ।
ମହିଳା ସୁରକ୍ଷା ସଶକ୍ତିକରଣ
ସଭିଙ୍କର ହେଉ ଧ୍ୟେୟ
ଦୟାମୟଙ୍କର ସୃଷ୍ଟି ରକ୍ଷା ହେଉ
ଏ ସୃଷ୍ଟି ମଙ୍ଗଳମୟ ।
