ଗର୍ଭ ଚିତ୍କାର
ଗର୍ଭ ଚିତ୍କାର
ପାସୋରି ଗଲ କି ସେଇ ମାଆ କୋଳର ଉଷ୍ଣତା, ତା' ଗର୍ଭଯନ୍ତ୍ରଣା, ତା' ଆଖି ଲୁହର ଆର୍ଦ୍ରତା।
ଯା’ ଅମୃତ ରସ ପାଇଁ କୁଆଁ କୁଆଁ କାନ୍ଦ,
ତା’ କୋଳରେ ବୁଲି ବୁଲି ଦେଖିଥିବା ଚାନ୍ଦ।
ରାତି ରାତି ଉଜାଗର, ତା' ବ୍ରତ ଉପବାସ, ପେଟମାରି ଖୁଆଇବା, ଲୁଚାଇବା ଦୋଷ।
ଯା’ ହାତ ଧରି ଦିନେ ଶିଖୁଥିଲ ଚାଲି,
ସ୍ନେହଭରା ଚୁମ୍ବନରେ ପଡ଼ିଥିଲ ଲାଲି।
ଛୋଟ ଆଘାତରେ ଯା' ଆଖି ଲୁହର ବନ୍ୟା,
ଆଉ କେହି ନୁହେଁ, ସିଏ ଜଣେ କନ୍ୟା।
ହାତ ଟେକି ବାନ୍ଧିଥିବା ସୁନ୍ଦୁରିଆ ରାକ୍ଷୀ,
ବିପଦରେ ଠିଆ ହେବ, ଭଗବାନ ସାକ୍ଷୀ ।
ଯା’ ଠାରେ ଦିନରାତି ଜୋର ଛାଡ଼ୁ ଥିଲ
ଇଏ କର, ସିଏ କର କେତେ କ'ଣ ଗେଲ।
ସୁଖେ ଦୁଃଖେ ଯା’ ପାଇଁ ପଡ଼ୁଥିଲା ଡାକ,
ମନ କଥା କହୁଥିଲ, ବାଣ୍ଟୁ ଥିଲ ଦୁଃଖ।
ବିପଦରେ ବହିଯାଏ ଯା' ଆଖିର ଲୁହ,
ଆଉ କେହି ନୁହେଁ, ସିଏ ଜଣେ ଝିଅ।
ପାସୋରି ଗଲକି ସେଇ ସୌନ୍ଦର୍ଯ୍ୟର ଦେବି,
ଯା’ ସାନିଧ୍ଯ ପାଇଁ ଧାଇଁ ଥିଲ ଭାବନାରେ ଡୁବି।
ଯୌବନ ସୌନ୍ଦର୍ଯ୍ୟ ଯା’ର ମନମୁଗ୍ଧ କଲା, ପ୍ରେମଭରା ଆଲିଙ୍ଗନ ଶୀତଳତା ଦେଲା ।
ଲୁଚି ଲୁଚି ଲେଖୁଥିବା ସେଇ ପ୍ରେମପତ୍ର ,
ନ ମାନିଲ ଜାତି ବର୍ଣ, ନ ମାନିଲ ଗୋତ୍ର ।
ମିଠା ମିଠା ଲାଗୁଥିବା ସେ ଚୋରା ସମୟ,
ପ୍ରେମର ଶକ୍ତି ଆଗେ ନାହିଁ କିଛି ଭୟ ।
ନ ଦେଖୁଲେ ବହିଯାଏ ଯା’ ଲୁହର ବନ୍ୟା,
ସେଇ ପ୍ରିୟା, କେହି ନୁହଁ, ଜଣେ ଅଟେ କନ୍ୟା ।
ପାସୋରି ଗଲକି ସେଇ ବଧୁ ଲାଜକୁଳି,
ସାତ ଫେରା ନେଇଥିଲ ହୋମ ନିଆଁ ଜାଳି ।
ଓଢ଼ଣୀ ଟେକିଣ ଯା’ର ଦେଖିଥିଲ ମୁଖ,
ଭେଟି ଦେଇ ପାଇଥିଲ ଚଉଠିର ସୁଖ।
ଗର୍ଭ କଷ୍ଟ ସହି ଯିଏ, ବଂଶ ରକ୍ଷା କଲା,
ବାପଘର ସ୍ମୃତି ସବୁ ଲିଭାଇଣ ଦେଲା।
ଦିନରାତ ସେବା କରି ହରେ ଯିଏ ରୋଗ,
ଯା' ହାଣ୍ଡିଶାଳେ ହୁଏ ଛଅପନ ଭୋଗ।
ସବୁ ଦୁଃଖ ସହି ଯାଏ ମୁଣ୍ଡ ପାତି ପାତି,
ଆମରଣ ଯିଏ ଅଟେ ଏକମାତ୍ର ସାଥି।
କଷ୍ଟରେ ଦେଖୁଲେ ଯା’ର, ବହିଯାଏ ଲୁହ,
ସେ ଘରଣି କେହି ନୁହଁ, ଅଟେ ଜଣେ ଝିଅ ।
ଶୁଣ ଶୁଣ ମାଆ, ବାପା, ଶୁଣ ଦାଦା ଦାଦି,
ମୁହିଁ ମାଆ, ମୁହିଁ ପ୍ରିୟା, ଭଉଣି, ଘରଣି ଇତ୍ୟାଦି।
ଶିକ୍ଷାଦୀକ୍ଷା ଦେଇ ଥରେ କରି ଦେଖ ଯୋଗ୍ୟ,
ବାର୍ଧକ୍ୟର ଲାଠି ହେବି, ବଦଳିବି ଭାଗ୍ୟ।
ପୁତ୍ର ପରି ଅଛି ମୋର ଅସୀମ କ୍ଷମତା
ଦୁର୍ଗା କେବେ ଲକ୍ଷ୍ମୀ କେବେ, କେବେ ସତୀ ସୀତା ।
ଶିକ୍ଷକ, ଡାକ୍ତର ଆଉ କେବେ ରାଷ୍ଟ୍ରପତି,
ଅନ୍ତରୀକ୍ଷ ଯିବା ପାଇଁ ଥରେ ନାହିଁ ଛାତି ।
ମାରନା, ମାରନା ମୋତେ କର ମୋ ବିଚାର, କନ୍ୟାଭୃଣ କରେ ଏଠି ଗର୍ଭ ଚିତ୍କାର।
