ମମତାମୟୀ ମାଆ
ମମତାମୟୀ ମାଆ
ମାଆ ମୋ ମାମତାମୟୀ ଗରଭ ଯନ୍ତ୍ରଣା ସହି
ଦୁନିଆକୁ ଆଣି ଟୁହି ଦେଲୁ ଆଲୋକ,
ବକ୍ଷରୁ ଅମୃତ ଦେଇ ପଣନ୍ତକାନି ଘୋଡ଼ାଇ
ଦୁଃଖକୁ ଯାଇଛୁ ପିଇ, ନୋହି ବିମୁଖ।
ସ୍ନେହମୟୀ ଜନନୀ ମୋର
ମଧୁ ଠୁଁ ମଧୁର ମାଆ ତୋହରି ସ୍ଵର ।
କେତେ ସ୍ନେହ ଆଦରରେ ପାଳିଅଛୁ ଯତନରେ
ତୋହରି ହାତରେ ଗଢା ଶରୀର ମୋର,
ତୋ ହାତ ମୋ ଶିରେଥିଲେ ପ୍ରମାଦ ନ ପଡ଼େ ଭଲେ,
ତୋର ଆଶୀର୍ବାଦ ମୋର,ଅଭୟ ବର,
ତୁହି ମାତ ଦେବୀ ପ୍ରତିମା
ଆଉ କେ' ଅଛି ଜଗତେ,ଦେବି ଉପମା।
ମୋପାଇଁ ତୋହରି କୋଳ,ନଥାଏ କାହାକୁ ଡର
ସୁଖ ଶାନ୍ତିର ଆକର, ଅତୁଳନୀୟ
ମାଆର ମଧୂର ଡାକ,ହରିନିଏ ସବୁ ଶୋକ
ମାଆ ଠାରୁ ବଳି କିଏ ଦେବଟି ସ୍ନେହ ।
ମାଆ ପରି କିଏ ହୋଇବ
ନାନା ବାୟା ଗୀତ ଗାଇ ଶୁଆଇ ଦେବ।
ହେଉ କାଲ,ଛୋଟା,ଅନ୍ଧ, ତା'ପାଇଁ ସରଗ ଚାନ୍ଦ
ଆବର ହେଉ ଦିବ୍ୟାଙ୍ଗ ଛୁଆଟି ତା'ର
ପାଳି ଅତି ଯତନରେ, ଅଶେଷ ସ୍ନେହ ଆଦରେ
ସେହି ସିନା ମାଆ ପାଇଁ ରତନ ହାର।
ସେ ହିଁ ମା'ର ଜୀବନ ଧନ,
ସେହି ଏକା ଗେହ୍ଲାପୁଅ ରଙ୍କ ରତନ।
ଶରୀର ହେଲେ ବେମାର,ରାତ୍ର ରହି ଉଜାଗର
କେତେ ଦିଅଁ ଦେବତାରେ,କର ଗୁହାରୀ
ମୁଣ୍ଡକୁ ଦେଇ ଅଣ୍ଡାଳି ନୟନରୁ ନିର ଢାଳି
ସାଜି ବଡ଼ କବିରାଜ ମାଆ ମୋହରି।
ମୋ ସୁଖରେ ତୁମରି ସୁଖ
ଦେଖିଲେ ମୋ ଦୁଃଖ ମାତ, ନୁହଁ ବିମୁଖ ।
ଟିକିଏ ହେଲେ ଅନ୍ତର,ବାଟ ଜଗିଥାଉ ମୋର
ବିଳମ୍ବ ଟିକିଏ ହେଲେ ,ହୁଅ ଅସ୍ଥିର
ହୋଇଲେ ଧୂଳି ଧୂସର ଝାଡ ପଣନ୍ତ କାନିର
ପୋଛିଦିଅ ସରାଗରେ ମୋ ଦେହ ଝାଳ ,
ସୁଆଦିଆ ବ୍ୟଞ୍ଜନ ଦେଇ,
ପେଟର ଭୋକକୁ ମାଆ ଦିଅ ମେଣ୍ଟାଇ।
ପାଖରେ ଦେଇ ଶୁଆଇ ପେଟ ଦିଅ ଥାପୁଡେଇ
ବୁଡ଼ି ଅସୁରୁଣୀ ଗପ ପସରା ମେଲି,
ଧୋଅରେ ବାଇଆ ଧୋଅ ଧନ ମୋ ନିଦରେ ସୁଅ
ରାତିରେ ଭୂତ ପ୍ରେତଙ୍କ, ପ୍ରଭାବ ଭାରୀ।
ଶୋଇଯାଅ ଧନ ମୋହର
ମାଆ ର କଥାରୁ ଝରେ ଅମୃତ ଝର।
କିଏ ଅଛି ଏହିପାରି ହୋଇବ ତୋହରି ସରି
ମମତାର ମୂର୍ତ୍ତିମନ୍ତ ପ୍ରତିକ ଟି,ରେ
ମାଆ ମମତାର ମୂଲ ଅଟଇ ଅମୂଲ ମୂଲ
କିଏ ହେବ ସମତୁଲ,ଏହି ମହିରେ।
ମାଆ ଡ଼ାକ କେଡ଼େ ମଧୁର
ସଦା ଝରଇ ଓଠରୁ, ଅମୃତ ଝର।
ନିଜ ଅନ୍ତରର କଥା ମୋର ମରମର ବ୍ୟଥା
ମାଆ ଠାରୁ ବଳି କିଏ ବୁଝିବ ଆଉ
କିଏ ମାଆ ଠାରୁ ବଳି, ସହିବ ଅଳି ଅର୍ଦ୍ଦଳି
ଅଝଟ ଚଗଲାପଣ ଭୁଲିଣ ଯାଉ।
କିଏ ଜନମିଛି ଜଗତ,
ମାଆ ଋଣ ଶୁଝିବାକୁ,ହେବ ସମର୍ଥ ।
