ପବିତ୍ର ମହେନ୍ଦ୍ରପର୍ବତ ଘନଶ୍ୟାମ ଜେନା
ପବିତ୍ର ମହେନ୍ଦ୍ରପର୍ବତ ଘନଶ୍ୟାମ ଜେନା
ପବିତ୍ର ମହେନ୍ଦ୍ରପର୍ବତ (ରାଗ.ବଙ୍ଗଳାଶ୍ରୀ) କବି କୁସୁମ ଗୌରବ ଘନଶ୍ୟାମ ଜେନା ଭାରତ ବର୍ଷର କୁଳ ପରବତ, ପବିତ୍ର ମହେନ୍ଦ୍ରଗିରି, ପ୍ରାଚୀନ କାଳରୁ ପର୍ଶୁରାମ କ୍ଷେତ୍ର,ନାମରେ ଖ୍ୟାତି ତାହାରି।୧।ପୁରାଣ ପ୍ରସିଦ୍ଧ ସପ୍ତ କୁଳାଚଳ,ମାନଙ୍କ ମଧ୍ୟେ ମହାନ, ଅଟେ ପୂର୍ବଘାଟ ପର୍ବତମାଳାର,ମଧ୍ୟରେ ତାର ଆସ୍ଥାନ।୨। ସେ ମହାଭାରତ ରାମାୟଣ ଗ୍ରନ୍ଥ,ପୁରାଣ ଶାସ୍ତ୍ର ବର୍ଣ୍ଣିତ, ସେ ଅଚଳ ମେରୁ ସୃଷ୍ଟି ଆରମ୍ଭରୁ,ମହେନ୍ଦ୍ର ନାମରେ ଖ୍ୟାତ।୩। ଗଜପତି ଜିଲ୍ଲା ରାୟଗଡ଼ାଧୀନ,ଗଙ୍ଗବାଡ଼ ପଂଚାୟତ, ପ୍ରକୃତି ରାଣୀର କୋଳେ ବିମଣ୍ଡିତ,ଶୋହେ ମହେନ୍ଦ୍ର ପର୍ବତ।୪। ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳାର, ବିକାଶର ନିଦର୍ଶନ, ବହନ କରଇ ମହେନ୍ଦ୍ର ଶିଖରେ,ପୁରୁଣା ମନ୍ଦିରମାନ।୫। ସପ୍ତ କୁଳାଚଳ ମଧ୍ୟରେ ଅଚଳ, ପବିତ୍ର ମହେନ୍ଦ୍ରଗିରି, କଳିଙ୍ଗ ରାଜ୍ୟର ପ୍ରାଣକେନ୍ଦ୍ର ରୂପେ,ଖ୍ୟାତି ରହିଛି ତାହାରି।୬। ବୌଦ୍ଧ,ଶୈବ,ଶାକ୍ତ, ବୈଷ୍ଣବ ସୌର,ଗଣପତି ଉପାସକେ ପୁରାଣ କାଳରୁ ଆଜିଯାଏ, ସେଠି ରୁଣ୍ଡ ହୁଅନ୍ତି ଅନେକେ।୭। ଅର୍ଦ୍ଧନାରୀଶ୍ୱର ବିଷ୍ଣୁ ଶିବଙ୍କର, ଅଟେ ଆରାଧନା ସ୍ଥଳୀ, ରାମ,ପର୍ଶୁରାମ,ଜଗତନାଥଙ୍କ ଉପାସନା ପୀଠସ୍ଥଳୀ।୮। ବାମନ ପୁରାଣେ ବର୍ଣ୍ଣିତ ହୋଇଛି,ପୀଠସ୍ଥଳୀ ଓଡ଼ିଶାର, ଇତିହାସ ସହ ଜଡ଼ିତ ରହିଛି,ସେ ପ୍ରାଚୀନ କଳିଙ୍ଗର।୯। ମହେନ୍ଦ୍ରଗିରିର ଶିଖର ଦେଶରେ,ଗଙ୍ଗ ମାଠର ରାଜନ କରି ପ୍ରତିଷ୍ଠିତ କୁନ୍ତୀ, ଯୁଧିଷ୍ଠିର,ଭୀମଙ୍କ ମନ୍ଦିର ମାନ।୧୦। ଅଶୋକଙ୍କ ଦ୍ଵାରା ଶାସନ କାଳରେ,ଇନ୍ଦ୍ରଲିଙ୍ଗ ବୁଦ୍ଧେଶ୍ୱର ବହନ କରଇ ବୌଦ୍ଧ କୀରତିର, ମହେନ୍ଦ୍ରଗିରି ଶିଖର।୧୧। ବ୍ରିଟିଶ୍ ଶାସନ କାଳରେ ନିର୍ମାଣ, କରିବେ ଶୈଳ ନିବାସ, ପ୍ରସ୍ତାବ ମଧ୍ୟରେ ରହିଗଲା ଯେଣୁ,କାର୍ଯ୍ୟକାଳ ହେଲା ଶେଷ।୧୨। ଗିରି ଶିଖରରୁ ବଙ୍ଗୋପ ସାଗର, ଦୃଶ୍ୟ ଅତି ମନୋହର, ସୂର୍ଯ୍ୟୋଦୟ କାଳେ କାନ୍ତି କମନୀୟ, ନାହଁ ତାର ପଟାନ୍ତର।୧୩। ସୁନୀଳ ସାଗର ଫେନୀଳ ଜଳରେ,ନୀଳ ବର୍ଣ୍ଣାଢ଼୍ୟ ଆକାଶ, ପ୍ରକୃତି ଟାଣିଛି ଚକ୍ରବାଳ ରେଖା, ସୁନ୍ଦର ପରିପ୍ରକାଶ।୧୪। ମହୋଦଧି ତୀରେ ମହେନ୍ଦ୍ରଗିରିର, ଶୋଭାରାଜି ଅନୁପମ, ଶିଖର ଦେଶରେ କୁନ୍ତୀ ଯୁଧିଷ୍ଟିର, ମନ୍ଦିର ଭୀମଙ୍କ ନାମ।୧୫। ହୁଏ ଅନୁଭୂତ ନିତି ପ୍ରତିଦିନ,ଛଅ ଋତୁର ମିଳନ ଭସା ବାଦଲର ଲୁଚକାଳି ଖେଳ,ହରିନିଏ ଜନ ମନ।୧୬। କାଳିଦାସଙ୍କର ମେଘଦୂତ କାବ୍ୟ, ଅଟେ ତାର ନିଦର୍ଶନ ମହେନ୍ଦ୍ରପର୍ବତେ ମହା କବି ସତେ, କରି ଥିଲେ ପଦାର୍ପଣ।୧୭। ଦିଗବିଜୟ କାଳେ ରଘୁ ରାଜନଙ୍କ, ହୋଇଥିଲା ଆଗମନ କଳିଙ୍ଗାଧିପତି ହୋଇ ଅତି ପ୍ରୀତ, କରିଥଲେ ଆଲିଙ୍ଗନ।୧୮। ରଘୁ ନୃପରାଣ ମହେନ୍ଦ୍ର ଗମନ, ଜାଣି ଦଶରଥ ସୁତ ହୋଇ ଆକର୍ଷିତ ବାଳାଇଲେ ଚିତ୍ତ, ମହେନ୍ଦ୍ର ଯିବେ ତୁରିତ।୧୯। କ୍ଷତ୍ରିୟ ସଂହାରି ମିଳି ପର୍ଶୁଧାରୀ,ମହେନ୍ଦ୍ରତନୟା ତୀରେ ପୁରିଆସାହିସ୍ଥ ପର୍ଶୁରାମ କୁଣ୍ଡ,ମହେନ୍ଦ୍ର ପାଦ ଦେଶରେ।୨୦। ବହନ କରଇ ପରଶୁଧରଙ୍କ, ଅଟଇ ତର୍ପଣ ସ୍ଥଳ ପ୍ରକୃତି କରିଛି ଅତି ଯତନରେ,ଶୋଭାରାଜି କରି ଠୁଳ।୨୧। ତିନି ସପ୍ତବାର ବୁଲି ଅବନୀର,କାଟିଣ କ୍ଷତ୍ରିୟ ମୁଣ୍ଡ ରାଜ ରକତରେ ତରପଣ କଲେ,ସେହି ପର୍ଶୁରାମ କୁଣ୍ଡ।୨୨। ସବୁ ସୌନ୍ଦର୍ଯ୍ୟର ଅଟେ ଗନ୍ତାଘର,ସେହିସ୍ଥାନ ନିରୁପମ ହାରିନିଏ ମନ,ପର୍ଯ୍ୟଟକଙ୍କର,ସଦା ଜନ ସମାଗମ।୨୩। ଦ୍ଵାପର ଯୁଗରେ ଥିଲା ମହେନ୍ଦ୍ରରେ,ଧନୁର୍ବେଦ ଶିକ୍ଷା କେନ୍ଦ୍ର ଧନୁର୍ବେଦ ଶିକ୍ଷା ପାଇଁ ଆସୁଥିଲେ,କେତେ ମହର୍ଷି ନରେନ୍ଦ୍ର।୨୪। ମହେନ୍ଦ୍ର ମାଳରେ ମହା ମହୌଷଧି,ବୃକ୍ଷରାଜି ବିଦ୍ୟମାନ ଦିବ୍ୟ ଔଷଧୀୟ ସୁଗନ୍ଧରେ ଭରା, ସମଗ୍ର ବାତାବରଣ।୨୫। ବିରଳ କିସମ ବୃକ୍ଷ ଲତା ଗୁଳ୍ମ,କାନନରେ ଅଛି ପୂରି ଦୁର୍ଲଭ ପ୍ରଜାତି ବନୌଷଧି ପାଇଁ, ଖ୍ୟାତି ରହିଛି ତାହାରି।୨୬। ନାନା ଦେଶୁ ଆସି କେତେ କବିରାଜ,ଆୟୁର୍ବେଦାଚାର୍ଯ୍ୟ ଗଣ ସଂଗ୍ରହ କରନ୍ତି ବିରଳ ପ୍ରଜାତି, ଚେର ମୂଳ କନ୍ଦମାନ।୨୭। କେତେ ଫୁଲ ଫଳ,ବିରଳ ବକ୍ବଳ,ମଦରଙ୍ଗା ଜାତି ଜାତି ଲୁଣ୍ଠନ କରନ୍ତି ମହେନ୍ଦ୍ରୁରୁ ନିତି,କିବା ଦିନ କିବା ରାତି।୨୮। ଜୈବ ବିବିଧତା ପାଇଁଟି ମହେନ୍ଦ୍ର,ଅନନ୍ୟ ଓ ଅନୁପମ ପ୍ରାକୃତିକ ଗନ୍ତାଘର ଓଡ଼ିଶାର,ଦୃଶ୍ୟ ଅତି ମନୋରମ।୨୯। ବିଭିନ୍ନ ଜାତିର ବନ୍ୟ ଜୀବଜନ୍ତୁ,ଅରଣ୍ୟରେ ଅସୁମାରୀ ଵାଘ ଭାଲୁ ହାତୀ,ମୃଗ ଜାତିଜାତି,ବନସ୍ତେ ଅଛନ୍ତି ପୂରି।୩୦। ଅଶୋକ ପିପ୍ପଳ ଅର୍ଜ୍ଜୁନ ବଉଳ,ବର ଆମ୍ବ ନିମ୍ବ ଜାମ୍ବ ହରିଡ଼ା ବାହାଡ଼ା ସାହାଜ ସାହାଡ଼ା,କରଞ୍ଜ କେନ୍ଦୁ କଦମ୍ବ।।୩୧। ମହେନ୍ଦ୍ର ଶିଖରେ ରହିଅଛି ଯେତେ,ପ୍ରାଚୀନ କୀରତି ମାନ ତାହାରି ସୁରକ୍ଷା ହେଲେ ହେବ ରକ୍ଷା, ଓଡ଼ିଆ ଜାତିର ମାନ।୩୨। ଉତ୍କଳ ମାତାର ସାବତ ସନ୍ତାନ,ମଣେ ଆମ ଗଜପତି ପୁରାଣ ପ୍ରସିଦ୍ଧ କୁଳ ପରବତ,ତା କୋଳେ ବାହୁନେ ନିତି।୩୩। କି ଥିଲା ଏ ରାଜ୍ୟ କି ହୋଇଛି ଆଜ,ସବୁ ଦିଶେ ହତଶିରୀ ବନ ପରବତ ହୁଅଇ ଲୁଣ୍ଠିତ,କେହି ନ ଶୁଣେ ଗୁହାରି।୩୪। ପୁରାଣ ପ୍ରସିଦ୍ଧ ଦିବ୍ୟ ପରବତ,ଗଜପତିର ଏ ଗର୍ବ କହେ ଘନଶ୍ୟାମ ମହେନ୍ଦ୍ର ମହିମା,କବି କୁସୁମ ଗୌରବ।୩୫। ମହାଦେଈପୁର,ଗୁରାଣ୍ଡି, ପାରଳାଖେମୁଣ୍ଡି,ଗଜପତି।
