"କୃଷ୍ଣ କେଶବ ଚଉତିଶା"
"କୃଷ୍ଣ କେଶବ ଚଉତିଶା"
"କୃଷ୍ଣ କେଶବ ଚଉତିଶା" ରାଗ--ଚୋଖି କବି କୁସୁମ ଗୌରବ ଘନଶ୍ୟାମ ଜେନା କମଳ ନୟନ ହରି କୃଷ୍ଣ କେଶବ କଂସାରି କଣିକାଏ କୃପାକର,କମଳା କାନ୍ତ, କଳି କଳୁଷ ନାଶକ କାଳିଆ କଳାଶ୍ରୀମୁଖ କର କରୁଣା କୃପାଳୁ,କଳାସାଆନ୍ତ କହୁଛି ମୁଁ କାକୁସ୍ତଭରେ, କରୁଣା ଊଣା ନକର,ଏ ଦୀନପରେ। ।୧। ଖଗପତି ଖଗେଶ୍ବର (ଅ)ଖିଳ ବ୍ରହ୍ମାଣ୍ଡଈଶ୍ଵର ଖଗ ବାହନେ ବିହାର,କର ଯେସନ, କ୍ଷୀର ସାଗର ବିହାରୀ ଖଣ୍ଡିଛ ଦୁଃଖ ସବୁରି ଖେଳାଲୀଳା କରୁଛ,ଚଉଦ ଭୁବନ କ୍ଷମା କର କ୍ଷମାସାଗର, ଖେଳଘର ଅଟଇ ତୋ,ସାରା ସଂସାର। ।୨। ଗୋବିନ୍ଦ ଗୋପାଳ ହରି ଗୋପୀଜନ ମନହାରୀ ଗୋବର୍ଦ୍ଧନ ଗିରିଧାରୀ,ଗୋପିକାକାନ୍ତ ଗରବ ଗଞ୍ଜନ ହରି ଗୋଲକ ପୁର ବିହାରୀ ଗୋପେ ଗୋପଲୀଳା କଲ,କଳାସାଆନ୍ତ। ଗୋପାଳବାଳ ମେଳ ହୋଇ, ଗାଇ ଚରାଇଲ ବନେ,ଜଗତସାଇଁ।୩। ଘନଶ୍ୟାମ ନନ୍ଦ ସୁତ ଘଟଣ ମୁଖ ଦିପିତ, ଘୁରିଣ ଘୋରବନସ୍ତ,ବଚ୍ଛା ସଙ୍ଗର, ଘେନିଣ ଗୋପାଳ ବାଳ ସଙ୍ଗେ ଭାଇ କାମପାଳ ଘୂରି ଘୂରି କେତେ ଖେଳ,ଘୋର ବନର। ଘଣ୍ଟି ଘାଗୁଡିର ତାନରେ, ଘୂରି ବୁଲନ୍ତି ବଚ୍ଛାଏ,ଆନନ୍ଦଭରେ।୪। ନମଇଁ ନୃସିଂହ ରୂପ ସ୍ତମ୍ଭରୁ ବାହାରି ଆପେ ନଖରେ ବିଦାରିନେଲ,ହିରଣ୍ୟ ପ୍ରାଣ ନାମ ନେଲାରୁ ପ୍ରଲ୍ଲାଦ ଦେଲ ତାକୁ ଇନ୍ଦ୍ର ପଦ ନିଶିଦିନ ଧ୍ୟାୟିପାଦ ନେଲା ଶରଣ। ନମଇଁ ନୃସିଂହ ଚରଣ, ନରହରି ଏତିକି କରେ ନିବେଦନ।୫। ଚାହିଁ ଚତୁର୍ଦ୍ଧାମୂରତି ଏ ଜୀବନ ଯାଉବିତି, ଚରଣେ କରେ ପ୍ରଣତି,ଦିଅ ଆଶରା ଚଉଦ ବ୍ରହ୍ମାଣ୍ଡନାଥ ଆହେ ପ୍ରଭୁ ଜଗନ୍ନାଥ ଚାହାଁବାରେ ଢାଳି ନେତ୍ର,ଏ ଦୀନପର ଚାରୁ ବିମ୍ବଫଳ ଅଧର, ଚାହିଁ ଏ ଜୀବନ ଯାଉ,ହେ ଚକ୍ରଧର।୬। ଛନ୍ଦାଚରଣଙ୍କ ପଦେ ଲୟ କରିଥିବୁ ହୃଦେ ଛାଡ଼ି ପଳାଇବ ଯେତେ,ଦୁଃଖ କଷଣ, ଛିଣ୍ଡାଇ ମାୟାର ଡୋରି ଜପୁଥିବୁ ରାମ ହରି ଛଟକେ କରିବେ ପାରି,ଭବତାରଣ। ଛାଡ଼ ମନ ସକଳ ଛନ୍ଦ, ଛନ୍ଦ ତେଜି ଭଜ ରାମ କୃଷ୍ଣ ଗୋବିନ୍ଦ।୭। ଜୟ ଜୟ ଜଗନ୍ନାଥ ଜଗବନ୍ଧୁ ଦୀନନାଥ ଜଗତଜନ ବନ୍ଦିତ,ଜଗତ ପତି ଜନମିଲ ବନ୍ଦୀଶାଳେ ଲୀଳା କଲ ଗୋପପୁରେ ପୁତନା,ଵକା,ଧେନୁକା,ଅଘା ନିପାତି ଜୟ ଜୟ ଯଦୁନନ୍ଦନ, ଯୋଗୀ ଜନ ଜପାମାଳି,ଯଶୋଦା ଧନ।୮। ଝାଡ ବନସ୍ତ ମଧ୍ୟରେ ଝଙ୍କାର ତୋଳି ବେଣୁରେ ଝଗଡା ଛଳେ ନାଶିଲ, ଧେନୁକାସୁର ଝୁଣ୍ଟିଆ ନାଇ ପାଦରେ ଝୁମୁରୁ ଝୁମୁ ନାଦରେ ଝସକେତନ ନିନ୍ଦଇ,ରୂପ ଯାହାର ଝଟକିଲା ବିଜୁଳି ପ୍ରାଏ ଝଲସି ଦିଶଇ ଅଙ୍ଗ,ଯଶୋଦାପୋଏ।୯। ନିତ୍ୟାନନ୍ଦ ହେ ଅନନ୍ତ ତୁମେ ଅବ୍ୟକ୍ତ ଅଚିନ୍ତ୍ୟ ଅଦୃଶ୍ୟ ଅବପୁ ଅଟ,ହେ ଅଣାକାର ଅଭୟ ବର ଦାୟକ ଅସୀମ କୃପା ନାୟକ ଅଟ ଅଖିଳ ନାୟକ,ହେ ନିରାକାର ଅମାପ ତୋ ଦୟା ବାରିଧି ଆକିଞ୍ଚନେ ଦୟାକର,କରୁଣାନିଧି।୧୦। ଟିକିଏ କରୁଣା ତଵ ଭବ ବନ୍ଧନ ଟାଳିବ ଟେକି ଧରିଥାଅ ଦେବ,ଭକତ ମାନ ଟେକି ଗୋବର୍ଦ୍ଧନ ଗିରି ଟେକ ରଖି ଗୋପପୁରୀ ଟାଣ ପଣ ଭାଙ୍ଗିକରି,ଇନ୍ଦ୍ର ରାଜନ ଟିକି ଭକ୍ତ ଧ୍ରୁବ ପ୍ରହଲ୍ଲାଦ ଟିକି ବାମନ ବଳିକୁ,ଚାପିଲ ପାଦ।୧୧। ଠଣ ସୁନ୍ଦର ଶ୍ରୀହରି ମୋହନ ମୁରଲୀ ଧରି ମୋହିଲ ଗୋପର ନାରି,ମନମୋହନ ଠାଣି ତୋ ବାଙ୍କଚାହାଣି ବାଙ୍କଚୂଡ଼ା ବେଣୁପାଣି ଠାର ପଣେ ନେଲୁ କିଣି,ଗୋପୀକା ମନ ଠୁଳ କରି ଗୋପୀ ସକଳ ଠାବେ ଠାବେ ରାଈ ସଙ୍ଗେ,ଯଶୋଦା ବାଳ।୧୨। ଡାକିଲା ଜଳରେ ଗଜ ନକ୍ର ନାଶି ଦେବରାଜ ଡରେ ମୃଗୁଣୀ ବନସ୍ତେ,ଆର୍ତ୍ତେ ଡାକିଲା କୁରୁ ସଭାରେ ଦ୍ରୌପଦୀ ଡାକଦେଲା ଦୟାନିଧି ଡେରି କର୍ଣ୍ଣ ଉଦ୍ଧରିଲ,ନକରି ହେଳା ଜଗତରେ ପଡଇ ଡାକ, ଆର୍ତ୍ତତ୍ରାଣ ନାମ ତୋର, କର ସାର୍ଥକ।୧୩। ଢଳି ନାଚେ ବନମାଳୀ ସୁଲଳିତ ସ୍ବରତୋଳି ଗୋପବାଳୀ ସଙ୍ଗେ ମିଳି,ରାଈ ସୁନ୍ଦରୀ, ସୁଢଳ ରୂପ ଲାବଣ୍ୟ ବିଜୁଳି ଯେସନେ ଘନ ଢଳି ଢଳି ନାଚୁଥାନ୍ତି,ବରଜବାଳୀ ଢାଳିଦିଅ କରୁଣା ବାରି, ଢାଙ୍କିଣ ଅଭୟ ଢାଲ,ରଖ ଶ୍ରୀହରି।୧୪। ନମଇ କୌଶଲ୍ୟାସୁତ ଜାନକୀ ପ୍ରାଣନାୟକ କୋଦଣ୍ଡ ଧାରଣ ରାମ,ଗର୍ବଗଞ୍ଜନ ନବୀନ ଘନ ବରଣ ନବ ଦୂର୍ବାଦଳ ଶ୍ୟାମ ମଙ୍ଗଳ ମୂରତି ରଘୁକୁଳନନ୍ଦନ ଶ୍ରୀରାମ ରାଜୀବ ଲୋଚନ, ସନ୍ଥ ଜନ ପାଳନ ହେ,ଖଳ ଦଳନ।୧୫। ତୁମରି ନାମ ଶ୍ରବଣ ଅବା କରି ସଂକୀର୍ତ୍ତନ ତୁମ ନାମ ସୁମରିଣ,ଭକତ ଜନ, ଲଭିଲେ ଗତି ମୁକତି ପଦ ସେବା କରିନିତି ତବ ପଦ୍ମପାଦ ପ୍ରତି,ଦେଇଣ ମନ ତୋ ପାଦ ଅର୍ଚ୍ଚନ ବନ୍ଦନ, ସଖ୍ୟ,ଦାସ୍ୟ,ଭାବରେ, ଆତ୍ମ ନିବେଦନ।୧୬। ଥୟ ଧର ଥକାମନ ଥାପି ପଦ୍ମପଦେ ଧ୍ୟାନ ଥଳ ତୋର କରିଶୂନ୍ୟ,ପଶ ଶରଣ, ଥରେ ବୋଲିି ରାମହରି ଥିବୁଟି ଭାବ ଆବୋରି ତୁଟିବ ଭବ ବନ୍ଧନ,ଦୁଃଖ କଷଣ ଥନଥନ କରି ନୟନ, ଥରେ ଅରପଣ କର,ନୟନବନ।୧୭। ଦଶରଥଙ୍କ ନନ୍ଦନ ଦାନବ କୁଳ ଦଳନ ଦେବଜନ ବନ୍ଦନ ରଘୁକୁଳମଣି, ଦୟାମୟ ଦାଶରଥି ଦୁଷ୍ଟ ଦାନବ ନିପାତି ଦୁଃଖ ନିବାରଣ ରାମ,କୋଦଣ୍ଡପାଣି ଦଇନି ଜାନକୀବଲ୍ଲଭ, ଦେବ,ଦାନବକୁ ଯା'ମହିମା ଦୁର୍ଲ୍ଲଭ।୧୮। ଧାତା ଯା'ପଦ୍ମପୟର ଧ୍ୟାଉଥା'ନ୍ତି ନିରନ୍ତର ଧ୍ୟାନେରତ ସଦାଶିବ,ପରମେଶ୍ୱର, ଧରି ନାମ ଦିବାନିଶି କେତେ ଯୋଗୀ ମୁନି,ଋଷି, ଧନ୍ୟ ହୋଇଲେ ମହର୍ଷି,ଧରା ଧାମର ଧ୍ରୁବ ସତ୍ୟ ତୋ ଦିବ୍ୟ ନାମ, ଦୟାନିଧି ହେ ମାଧବ,ମଧୁସୂଦନ।୧୯। ନମୋ ନମଃ ନାରାୟଣ ନମୋ ନିଖିଳବିଧାନ ନିତି କରଇ ବନ୍ଦନ,ନାମକୁ ତୋର, ନେଇ ନାମ ନିରନ୍ତର କେତେ ଯୋଗୀ,ମୁନି ନର ନିର୍ବାଣ ଲଭିଲେ ନାମ,ନେଇଣ ନର ନିତ୍ୟାନନ୍ଦ ହେ ନିରଞ୍ଜନ, ନକର କରୁଣା ଊଣା,ଏ ଦୀନ ଘନ।୨୦। ପରଂବ୍ରହ୍ମ ପରାତ୍ପର ପ୍ରଭୁ ପରମ ଈଶ୍ୱର ପରମାନନ୍ଦ ଆନନ୍ଦ,ପଦ୍ମଲୋଚନ ପଦ୍ମପାଣି ପଦ୍ମନାଭ ପଦ୍ମପାଦେ ଦିଅଠାବ, ପତିତପାବନ ରଖ,ପତିତମାନ ପତିତ ତାରଣ ଶ୍ରୀହରି, ପାପ ପଙ୍କରେ ପଡ଼ିଛି,ନିଅ ଉଦ୍ଧରି।୨୧। ଫଗୁଣେ ଦୋଳଗୋବିନ୍ଦ ଫଗୁଖେଳରେ ଆନନ୍ଦ ସଙ୍ଗେଘେନି ସଖୀବୃନ୍ଦ,ରାଈ ସଙ୍ଗରେ ଫୁଲ ଫୁଟି ନାନାଜାତି ଉଡ଼ିବୁଲେ ପ୍ରଜାପତି, ପ୍ରଫୁଲେ ଅଳି,ମଧୂପ,ମଧୂପାନରେ, ଫୁଲୁ ଗନ୍ଧ ହରି ସମୀର, ଆନନ୍ଦେ ଫଗୁ ଖେଳନ୍ତି,ମୁରଲୀଧର।୨୨। ବସିଛ ବଡ଼ ଦେଉଳେ କଳପବଟର ମୂଳେ ଭାଇ ଭଉଣୀଙ୍କମେଳେ,ରତ୍ନ ବେଦୀର, ବଡ଼ଦାଣ୍ଡ ବଡ଼ଯାତ ବଡ଼ପଣ୍ଡା ବଡ଼ନେତ ବଡ଼ ଭୋଗଖିଆ ସେ'ତ,ବଡ଼ଠାକୁର ବଡବାହୁ ବଡ଼ ନୟନ, ଅପଲକେ ଚାହିଁଥାଅ,ଭକତ ଜନ।୨୩। ଭକ୍ତବନ୍ଧୁ ଭାବଗ୍ରାହୀ ଭାବକୁ ନିକଟ ତୁହି ଭକତ ଭାବରେ ବନ୍ଧା,ଭବତାରଣ, ଭାବ ବିନୋଦିଆ ଘନ ଭକତ ହୃଦ ଚନ୍ଦନ ଭବସିନ୍ଧୁ ତରିବାରେ,ଭେଳା ଆପଣ। ଭକ୍ତବନ୍ଧୁ ଭକ୍ତବତ୍ସଳ ଭକତ ହୃଦ ବିହାରୀ,ହେ ଆଦିମୂଳ।୨୪। ମାଗୁନାହିଁ ଧନ ଜନ ଅବା ମାନ ସନମାନ ମହାବାହୁ ମଧୁମୟ,ମଙ୍ଗଳକାରୀ, ମଧୁସୂଦନ ମୁରାରି ମୁକୁନ୍ଦ ମାଧବ ହରି, ମଣିମା ହେ ମହାତମା ମଙ୍ଗଳହାରୀ ମହିମା ତୋ ଅପରମ୍ପାର ମୋହନ ମୁରଲୀଧାରୀ,ମନ୍ଦର ଧର।୨୫। ଜୟ ଜୟ ଜନାର୍ଦ୍ଦନ ଜଗତ ଜନ ବନ୍ଦନ ଜୟ ଜଗତଜୀବନ,ଜାନକୀକାନ୍ତ ଯୋଗୀ ଜନ ହିତକାରୀ ଜଗା ନାମଟି ତୋହରି ଜଗବନ୍ଧୁ ଜଗତପତି,ଜଗତ ନାଥ। ଜପି ଜପି ତୁମରି ନାମ, ଜଗତରୁ ତରିଗଲେ,କେତେକ ଜନ।୨୬। ରାବଣାରି ରାମଚନ୍ଦ୍ର ରଘୁନାଥ ରାଘବେନ୍ଦ୍ର ରଘୁକୁଳର ତିଳକ,ରଘୁନନ୍ଦନ, ରାକ୍ଷସକୁ ରଣେ ମାରି ଋଷି ଯଜ୍ଞ ରକ୍ଷାକରି ରାସ୍ତାରେ ଗୌତମନାରୀର ଉଦ୍ଧରଣ, ଶ୍ରୀରାମ ରାଜୀବଲୋଚନ, ନବ ଦୂର୍ବାଡ଼ଳ ଶ୍ୟାମ,ଘନବରଣ।୨୭। ଲଗାଇ ଗୋପରେ ଲୀଳା, ନନ୍ଦ ଯଶୋଦାର ବଳା ଲୀଳାଛଳେ ବିନାଶିଲ,ରାକ୍ଷସ ପ୍ରାଣ, ଲୀଳାମୟ ନନ୍ଦନାନ ଅନେକ ଲୀଳା ଭିଆଣ ଲୀଳାକରି ରାଈସଂଗେ,ରାଈ ମୋହନ ଲଳିତରେ ମୁରଲୀ ବାଇ, ଲବଣି ଚୋରାରେ ଖ୍ୟାତ, ଜଗତ ସାଇଁ।୨୮। ବଂଶୀଧର ବନମାଳୀ ବଇଁଶିର ସ୍ବର ତୋଳି ବନେ ବୁଲୁ ବଂଶୀବାଇ,ବଚ୍ଛା ସଂଗର ବନଫୁଲମାଳେ ଗଭା ଅପରୂପ ମନଲୋଭା ଶିରେ ଚନ୍ଦ୍ରିକାର ଆଭା,ଶୋଭାନିକର ବ୍ରଜବନ୍ଧୁ ବ୍ରଜବିହାରୀ, ବ୍ରଜେ ବେଢ଼ି ରହିଥାନ୍ତି ବରଜ ନାରୀ।୨୯। ଶ୍ରୀ ନୀଳକନ୍ଦରେ ହରି ଚତୁର୍ଦ୍ଧା ମୂରତି ଧରି ଶ୍ରୀମନ୍ଦିରେ ବିଜେକରି,ଶିରିକ୍ଷେତର, ଶ୍ରୀଧର ଶ୍ରୀମତୀପତି ଶ୍ରୀନିବାସ ଶିରିପତି, ଶ୍ରୀବଚ୍ଛଲାଞ୍ଛନ ଶ୍ୟାମ ସାରଙ୍ଗଧର ଶ୍ରୀବାସ ଶ୍ରୀରଙ୍ଗଅଧର, ଶ୍ରୀରାଙ୍ଗାଚରଣେ ରହୁ,ମନଟି ମୋର।୩୦। ଷଡ଼ ରିପୁକୁ ସଂହାରି ସତପଥ ଅନୁସରି ଷଡ଼ ଦର୍ଶନରେ ମନ,କର ଅର୍ପଣ, ଷଡ଼ ରସେ ପରିପୂର୍ଣ୍ଣ, ଦିବ୍ୟ ନାମାମୃତ ପାନ, ଷୋଳ କଳା ପୂର୍ଣ୍ଣବ୍ରହ୍ମ,କର ସ୍ମରଣ। ଷଟପଦ ଯଥା ସୁମନ, ସଦା ନାମରସ ପାନ,କର ସୁମନ।୩୧। ସଚ୍ଚିଦାନନ୍ଦ ଆନନ୍ଦ- କନ୍ଦ ମୁରାରି ମୁକୁନ୍ଦ ସତ୍ୟ ସନାତନ ସତ୍ୟ,ଶିବ ସୁନ୍ଦର, ସତ୍ୟବାଦୀ ହେ ଗୋବିନ୍ଦ ପ୍ରଭୁ ପରମ ଆନନ୍ଦ ସଦା ଝରେ ମକରନ୍ଦ,ପଦ୍ମପୟର ଶଙ୍ଖ ଚକ୍ର ଗଦା ପଦମ ଶୋଭା ଦିଶେ ଚତୁର୍ଭୁଜେ,କି ମନୋରମ।୩୨। ହରିନାମ ହରଷରେ ଯେଉଁ ଜନ ପାନ କରେ, ହରିତ ହରିବେ ହେଳେ,ଦୁଃଖ କଷଣ, ହରି ହରି ମୁଖେ ଧରି କେତେ ପାପୀ ଛନ୍ତି ତରି ହରଷରେ ହରିନାମ,କର ସ୍ମରଣ ହେଳେ ଲୟକର ଶ୍ରୀହରି, ହରି ତ କରିବେ ଭବସାଗରୁ ପାରି।୩୩। କ୍ଷମାନିଧି କର କ୍ଷମା ଅକ୍ଷମ ବର୍ଣ୍ଣି ମହିମା, କ୍ଷୀଣ ହେଲାଣି ମଣିମା,ଜୀବନ ଦୀପ କ୍ଷୀଣ ଆଲୋକ ଦେଖାଇ ନିଅ ମୋତେ ପଥବାହି, କ୍ଷେତ୍ରବାସୀ କ୍ଷଣକରେ,ହର ସନ୍ତାପ କ୍ଷୀରାବ୍ଦତନୟା ରମଣ, କ୍ଷମା କର କ୍ଷୁଦ୍ର ବୁଦ୍ଧି,ଏ ଘନାଶ୍ୟାମ।୩୪। ରଚନା..କବି କୁସୁମ ଗୌରବ,ଘନଶ୍ୟାମ ଜେନା ମହାଦେଈପୁର,ଗୁରାଣ୍ଡି,ଗଜପତି। ******************************
