କୌଶଲ୍ୟାଙ୍କ ଶୋକ(ଚଉତିଶା) ଘନଶ୍ୟାମ ଜେନା
କୌଶଲ୍ୟାଙ୍କ ଶୋକ(ଚଉତିଶା) ଘନଶ୍ୟାମ ଜେନା
କୌଶଲ୍ୟାଙ୍କ ଶୋକ(ଚଉତିଶା) କାନ୍ଦନ୍ତି କୌଶଲ୍ୟା ରାଣୀ ନିରତେ ନୟନୁ ଝରାଇ ପାଣି,ମୋ ରାମରେ କୌଶଲ୍ୟା ନୟନ ମଣି। ମୋ ରାମ ରେ। କେମନ୍ତେ ବଞ୍ଚିବି ଦିନ କେଣେ ଛାଡ଼ିଗଲ ରଙ୍କରତନ,ମୋ ରାମ ରେ ତୁହିମୋ ଜୀବଜୀବନ,ମୋ ରାମ ରେ।୧। ଖେଳି ବୁଲି ଭାଇ ମେଳେ ଲକ୍ଷ୍ମଣ,ଭରତ,ଶତ୍ରୁଘ୍ନ ତୁଲେ,ମୋ ରାମ ରେ ତିନି ରାଣୀ ପିତାଙ୍କର କୋଳେ।ମୋ ରାମ ରେ। ଖାଇଣ ଅନ୍ନ ବ୍ୟଞ୍ଜନ ଖେଳିବୁଲ ରଙ୍ଗେ ମୋ ବାପ ଧନ,ମୋ ରାମରେ ଖରାରେ ନ ଖେଳ ଧନ,ମୋ ରାମ ରେ।୨। ଗଳେ କଉସ୍ତଭ ମାଳ ବକ୍ଷରେ ଶ୍ରୀବତ୍ସ ପଦ ଯୁଗଳ,ମୋ ରାମରେ ଆଜାନୁଲମ୍ବିତ କର।ମୋ ରାମରେ ଗମିଲ ଗହନ ବନ ଗୁରୁ ବିଶ୍ଵାମିତ୍ର ସହ ଲକ୍ଷ୍ମଣ,ମୋ ରାମ ରେ ନେଲ ତାଡ଼କା ସୁବାହୁ ପ୍ରାଣ।ମୋ ରାମ ରେ।୩। ଘୁରି ଘୁରି ବନସ୍ତର ଘୋର ବନେ ନାଶି କେତେ ଅସୁର,ମୋ ରାମ ରେ ଘେନି ଭାଇ ଭାରିଯା ସଂଗର,ମୋ ରାମ ରେ। ଘୋର ବନସ୍ତରେ ଧନ ଘୋଟିଲା ଅକାଳ ଅନ୍ଧାର ବନ,ମୋ ରାମ ରେ ସେ'ତ ଅସୁରୀ ମାୟା ମୋ ଧନ,ମୋ ରାମ ରେ।୪। ନାବ ଆଣିଲା ନାଉରୀ ଜଳେ ଧୋଇଦେଲା ପାଦ ତୁମରି,ମୋ ରାମ ରେ ତା'ର ନାବରେ ହୋଇଲ ପାରି,ମୋ ରାମ ରେ। ନ ପାଇ ପାଦ ତୁମର ନିତି ଜପୁଥା'ନ୍ତି ବ୍ରହ୍ମା ଶଙ୍କର,ମୋ ରାମ ରେ ନାଉରିଆକୁ କଲୁ ଉଦ୍ଧାର,ମୋ ରାମ ରେ।୫। ଚଉଦ ବରଷ କାଳ ଚାହିଁ ମୁଁ କେମନ୍ତେ କାଟିବି କାଳ,ମୋ ରାମରେ ମନ ମୋର ହୁଅଇ ଚଞ୍ଚଳ।ମୋ ରାମରେ ଚାତକ ଯେସନେ ଘନ ଚାହିଁ ଚାହିଁ ତନୁ ହୋଇଲା କ୍ଷୀଣ, ମୋ ରାମରେ ଚକିତ ଅଯୋଧ୍ୟା ଜନ।ମୋ ରାମ ରେ।୬। ଛନ୍ଦକଲା ସେ ମନ୍ଥରା ଛାଡି ଗଲ ବନ ନୟନତାରା,ମୋ ରାମ ରେ ଛଳେ ଛିଣ୍ଡାଇ ସୁଖ ପସରା,ମୋ ରାମ ରେ। ଛାଡି ଗଲ ଯେବେ ବନ ଛାଡ଼ିଲେ ଜୀବନ ପିଅର ତୁମ,ମୋ ରାମ ରେ ଛଳ ଛଳ ମୋ ବେନି ନୟନ।ମୋ ରାମ ରେ।୭। ଜଙ୍ଗଲେ ଲଙ୍କାରାଜନ ଜନକନନ୍ଦିନୀ କଲା ହରଣ,ମୋ ରାମ ରେ ଜଟାୟୁ କରିଲା ରଣ।ମୋ ରାମ ରେ ଜଟାଧାରୀ ରଘୁନାଥ ଜଟାୟୁ ପାଇଲା ମୁକତି ପଥ ,ମୋ ରାମ ରେ ଜାନକୀ ପ୍ରାଣ ନାୟକ, ମୋ ରାମ ରେ।୮। ଝାଡବନସ୍ତ ମଧ୍ୟର ବନ୍ୟଜନ୍ତୁ ମେଳେ କାଟିବ କାଳ,ମୋ ରାମ ରେ ଅସୁର ଭୟ ପ୍ରବଳ,ମୋ ରାମ ରେ ଝୁରି ଝୁରି ପୁର ଜନ ଝର ଝର ନୀର ଧାର ନୟନ,ମୋ ରାମ ରେ ଝୁରି ମରିବେ ସକଳ ଜନ,ମୋ ରାମ ରେ।୯। ଅଯୋଧ୍ୟା ଶୋଭାକୁ ଜିଣି ଅରଣ୍ୟର ଶୋଭା ବଳିଛି ଜାଣି,ମୋ ରାମ ରେ ମନ ବଳାଇଲ ଯିବ ବନ,ମୋ ରାମ ରେ ଅତି ସୁକୁମାରୀ ସୀତା କାୟା ସଙ୍ଗେ ଛାୟା ଜନକ ସୁତା,ମୋ ରାମ ରେ ଅତି ଦାରୁଣ ହେଲା ବିଧାତା।ମୋ ରାମ ରେ।୧୦। ଟଳିଲା ସଙ୍କଟ ଯେତେ ଟାଳିଲ ରାକ୍ଷସ ଭୟ ବନସ୍ତେ,ମୋ ରାମ ରେ ଋଷି ମୁନି ରହିଲେ ନିଶ୍ଚିନ୍ତେ।ମୋ ରାମ ରେ ଟେକି ଶିବଧନୁବର ଟାଣପଣ ସବୁ ଭାଙ୍ଗି ନୃପର ,ମୋ ରାମ ରେ ଟେକ ରଖିଲ ଅଯୋଧ୍ୟାପୁର।ମୋ ରାମ ରେ।୧୧। ଠଣ ସୁନ୍ଦର ଶ୍ରୀରାମ ଠୁଳକରି ଭାଲୁ ବାନରଗଣ,ମୋ ରାମ ରେ ଲଙ୍କାପୁରେ କଲ ଘୋରରଣ।ମୋ ରାମ ରେ ଠାବେ ଠାବେ ବନସ୍ତରେ ଥିଲ ବାସକରି ପର୍ଣ୍ଣକୁଟୀରେ,ମୋ ରାମ ରେ ଠେକୁଆ ମୟୂର ମେଳେ।ମୋ ରାମ ରେ।୧୨। ଡାକଶୁଣି ରାମଙ୍କର ଡରେ ସୀତା ପେଶି ଲକ୍ଷ୍ମଣବୀର,ମୋ ରାମ ରେ ଡାକ ଥିଲା ମାୟା ମାରିଚର।ମୋ ରାମ ରେ ଡୋଳେ ଦେଖି ସୀତାସତୀ ଡାକେ ହାତ ପାତି ସେ ମାୟା ଯତି,ମୋ ରାମ ରେ ଭିକ୍ଷା ଦିଅ ମାତ ମହାସତୀ,ମୋ ରାମ ରେ। ଡାକନ୍ତି ଜାନକୀ ମାତ ଡେଇଁ ତିନିଗାର ଆସ ତୁରିତ,ମୋ ରାମ ରେ ଛଳେ ଧରିନେଲା ସୀତା ହସ୍ତ।ମୋ ରାମରେ।୧୩। ଢାଳିଲେ ନୟନୁ ନୀର ଢାଳନ୍ତି ଲୋତକ ଗଛ ପତର,ମୋ ରାମ ରେ କାନ୍ଦେ ପଶୁ ପକ୍ଷୀ ନିରନ୍ତର,ମୋ ରାମ ରେ। ଢମପଣ ଧାତାକଲା ଢାଳେ ଏ ବିଧାତା ଏ ଦୁଃଖ ଦେଲା,ମୋ ରାମ ରେ ଢଳ ଢଳ ନୟନରେ ଜ୍ଵାଳା।ମୋ ରାମ ରେ।୧୪। ନଳ ନୀଳ ନେତୃତ୍ୱରେ ନିର୍ମାଣିଲ ସେତୁବନ୍ଧ ସାଗରେ,ମୋ ରାମରେ ନେଇ ବାନରସେନା ସଙ୍ଗରେ,ମୋ ରାମ ରେ। ନେତ୍ରେ ଦେଖିଲା ଗୁଣ୍ଡୁଚି ନେଇ ବାଲି ବନ୍ଧେ ଝାଡେ ଝଟତି,ମୋ ରାମ ରେ ପ୍ରେମେ ଆଉଁସି ଦେଲୁ ତା ପିଠି।ମୋ ରାମ ରେ।୧୫। ତ୍ରିଜଟା ପରାଏ ମାତା ତିନି ଭୁବନରେ ବିରଳ ସେତ,ମୋ ରାମ ରେ ଅଶୋକ ବନରେ ସୀତା।ମୋ ରାମ ରେ। ତୁଣ୍ଡ ବାଇଦକୁ ଡରି ତୁ କିମ୍ପା ତେଜିଲୁ ସୀତା ସୁନ୍ଦରୀ,ମୋ ରାମ ରେ ତିନି ମାସ ଗର୍ଭଧାରୀ,ମୋ ରାମ ରେ।୧୬। ଥିଲ ଦଶରଥ ପ୍ରାଣ ଥବିର କାଳରେ ଚଳିଲ ବନ,ମୋ ରାମ ରେ ଥନ ଥନ ମୋ ବେନି ନୟନ,ମୋ ରାମ ରେ। ଥିଲା ସ୍ନେହ ଅତିଶୟ ଥିଲ ଜିଣି ପୁରବାସୀ ହୃଦୟ,ମୋ ରାମ ରେ ଥିବାରୁ ଅଯୋଧ୍ୟା ମୋହ,ମୋ ରାମ ରେ।୧୭। ଦୁରାଚାରୀ ଦଶାନନ ଦୁର୍ଦ୍ଦାନ୍ତ ଦାନବରାଜ ରାବଣ,ମୋ ରାମ ରେ ସତୀ ସୀତାଙ୍କୁ କଲା ହରଣ,ମୋ ରାମ ରେ। ଦଳିଲୁ ଦାନବ କୁଳ ଦୁର୍ମତି ରାବଣ ଦଳି ସତ୍ବର,ମୋ ରାମ ରେ ବିଭିଷଣେ ଦେଇ ଲଙ୍କାଭାର,ମୋ ରାମ ରେ।୧୮। ଧିରେ ଧାମନ୍ତେ ଶ୍ରୀରାମ ଧରୁ ଧରୁ କରୁ ମୃଗ ବହନ,ମୋ ରାମରେ ଧସି ପଶିଲା ଗହନ ବନ।ମୋ ରାମରେ ଧରିଣ କାଣ୍ଡ କୋଦଣ୍ଡ ଧରାଶାୟୀ କଲୁ ଦୈତ୍ୟ ଦୂର୍ଦ୍ଦଣ୍ଡ,ମୋ ରାମ ରେ ଧିରେ ଧଇଲା ରୂପ ପ୍ରଚଣ୍ଡ,ମୋ ରାମ ରେ।୧୯। ନମଃ ନୟନାଭିରାମ ନବ ଦୂର୍ବାଦଳ ଶ୍ୟାମଳ ଶ୍ୟାମ,ମୋ ରାମ ରେ ନିତି ନିତି ବନ୍ଦେ ଘନଶ୍ୟାମ,ମୋ ରାମ ରେ। ନୟନ ପିତୁଳା ମୋର ନିତ୍ୟ ନିରନ୍ତର ଥାଅ ଅନ୍ତର,ମୋ ରାମ ରେ ନାହିଁ ଆଶ୍ରା ତୋ'ବିନୁ କେ' ମୋର।ମୋ ରାମରେ।୨୦। ପତି ଶାପରୁ ଅହଲ୍ୟା ପଥର ହୋଇ ପଥେ ପଡ଼ିଥିଲା,ମୋ ରାମ ରେ ପଦରେଣୁ ପାଇ ଉଦ୍ଧରିଲା।ମୋ ରାମ ରେ। ପିତୃ ସତ୍ୟେ ଗଲ ବନ ପତିତ ତାରଣ,ପଦ୍ମଲୋଚନ,ମୋ ରାମ ରେ ସଙ୍ଗେ ସୌମିତ୍ରି ସୀତା ଘେନିଣ। ମୋ ରାମରେ ପଦ୍ମ ପଲାସ ଲୋଚନ ପର୍ଶୁରାମ ଦର୍ପ କରିଲ ଚୂର୍ଣ୍ଣ,ମୋ ରାମ ରେ ପେଶିଦେଲ ମହେନ୍ଦ୍ର କାନନ,ମୋ ରାମ ରେ।୨୧। ଫାଟିଲା କପାଳ ମୋର ଫେଡ଼ ମୋ କଷଣ କୁମରବର,ମୋ ରାମ ରେ ବିହି ବିହିଲା ଫନ୍ଦି ଫିକର। ମୋ ରାମ ରେ। ଫଳ ଦେଲାରୁ ଶବରୀ ଫେଡିଲୁ ସକଳ ଦୁଃଖ ତାହାରି,ମୋ ରାମ ରେ ପୂର୍ଣ୍ଣ କଲୁ କାମନା ତାହାରି।ମୋ ରାମ ରେ।୨୨। ବୁଲି ବୁଲି ଘୋର ବନ ବୈଦେହୀ ସହିତ ଭାଇ ଲକ୍ଷ୍ମଣ,ମୋ ରାମ ରେ ବନେ ବଞ୍ଚିବା ଅତି କଠିନ,ମୋ ରାମ ରେ ବନେ ଶ୍ରଵଣା ଶବରୀ ବାଛି ଚାଖି ଦେଲା,ସୁଆଦ କୋଳି,ମୋ ରାମ ରେ ବନେ ବୁଲି ବୁଲି ଥିଲାତୋଳି,ମୋ ରାମ ରେ।୨୩। ଭାବେ ହେଲା କି ଅଭାବ ଭାବଡୋରେ ବାନ୍ଧିଥିଲୁ ରାଘବ,ମୋ ରାମ ରେ ଭଗାରି ହେଲା ଦଇବ,ମୋ ରାମ ରେ। ଭାବ ବିନୋଦିଆ ରାମ ଭାବେ ଅଭାବ କି ଏ ଘନଶ୍ୟାମ,ମୋ ରାମ ରେ ଭାଳି ଭାଳି ସରେନି ମୋ ଦିନ।ମୋ ରାମ ରେ। ଭରତ ଭର୍ତ୍ସନା ପାଇ ଭାଙ୍ଗିଗଲା ଟାଣ ମାତା କୈକେୟୀ,ମୋ ରାମ ରେ ଭ୍ରତ ବାତୁଳ ପରାୟ ହୋଇ,ମୋ ରାମରେ ଭରତ ଭଳିଆ ଭାଇ ସାରା ଭୁବନରେ ମିଳିବେ କାହିଁ,ମୋ ରାମରେ ଭାତୃଭାବରେ ଭୋଳ ତ ସେହି,ମୋ ରାମରେ। ଭରତ ଚଳିଲା ବନ ଭାଇ ଭାଉଜଙ୍କୁ ଫେରାଇ ବନୁ,ମୋ ରାମ ରେ ଭାରି ହେବାରୁ ରାଜ୍ୟ ଶାସନ,ମୋ ରାମ ରେ। ଭାଇ ଭ୍ରତ ଭାରି ଭଲ ଭାଇଙ୍କ ପାଦୁକା ମୁଣ୍ଡାଇ ଶିର,ମୋ ରାମ ରେ ଭ୍ରତ ଫେରିଲା ନନ୍ଦିଗ୍ରାମର,ମୋ ରାମ ରେ।୨୪। ମର୍ଯ୍ୟାଦା ପୁରୁଷୋତ୍ତମ ମହିମା ମଣ୍ଡିତ ମହା ବିକ୍ରମ,ମୋ ରାମରେ ମହା,ମହାମହିମ ଶ୍ରୀରାମ,ମୋ ରାମ ରେ। ମୋର ବଧୂ ବଇଦେହୀ ମନ୍ଦ କପାଳ ମୋ ଲିହିଲା ବିହି,ମୋ ରାମ ରେ ମୋର କରମରେ ଥିଲା ଲିହୀ।ମୋ ରାମ ରେ।୨୫। ଯାଅନାହିଁ ଘୋରବନ ଯାତନା ପାଇବେ ଅଯୋଧ୍ୟା ଜନ,ମୋ ରାମ ରେ ଯେବେ ଯିବ ମୋ ଜୀବ ଜୀବନ,ମୋ ରାମ ରେ। ଯିବାରୁ ବନସ୍ତଘୋର ଜୀବନ ହାରିବେ ବୃଦ୍ଧ ପିଅର,ମୋ ରାମ ରେ ଶୋକେ ଅଯୋଧ୍ୟାର ନାରୀନର,ମୋ ରାମରେ।୨୬। ଋଷ୍ୟମୂକ ପର୍ବତରେ ରହିଲା ସୁଗ୍ରୀବ ବାଳୀ ଭୟରେ, ମୋ ରାମ ରେ ରାମ,ବାଳୀ ବିନାଶିଲୁ ଛଳେ,ମୋ ରାମ ରେ ରଘୁକୁଳର ତିଳକ ରବିକୁଳମଣି ଲୋକ ନାୟକ,ମୋ ରାମ ରେ ରକ୍ଷ କୁଳର ନାଶକ।ମୋ ରାମ ରେ।୨୭। ଲବଣୀ ପିତୁଳା ମୋର ଲାବଣ୍ୟ ପ୍ରତିମା କି ମନୋହର,ମୋ ରାମ ରେ ଲୋକ କଲ୍ୟାଣେ ଜନମ ତୋର,ମୋ ରାମ ରେ ଲୀଳାମୟ ରଘୁରାଣ ଲୀଳା ଛଳେ ନେଲୁ ରାବଣ ପ୍ରାଣ,ମୋ ରାମ ରେ ଲଙ୍କେ ରାଜାକଲୁ ବିଭୀଷଣ,ମୋ ରାମ ରେ।୨୮। ବିଧିହେଲା ତୁମ ବାମ ବହନ ଚଳିଲ ଗହନ ବନ,ମୋ ରାମ ରେ ବାପ,କରମ ଆମରି ହିନ। ମୋ ରାମ ରେ। ବାତୁଳ ଅଯୋଧ୍ୟା ପତି ବିତିଗଲେ ରାତି ହୋନ୍ତୁ ନୃପତି,ମୋ ରାମ ରେ ବିଧି,ଵିହିଲା ଘୋର ବିପତ୍ତି। ମୋ ରାମ ରେ।୨୯। ଶ୍ରୀରଘୁନନ୍ଦନ ରାମ ଶ୍ରୀବତ୍ସଲାଞ୍ଛନ ପୁରୁଷୋତ୍ତମ,ମୋ ରାମ ରେ ଶିରେ ଜଟାଜୁଟ ବିଭୂଷଣ,ମୋ ରାମ ରେ ଶ୍ରୀରାମଚନ୍ଦ୍ର କୃପାଳୁ, ଶ୍ୟାମଳ ମୂରତି ଅତି ଦୟାଳୁ,ମୋ ରାମ ରେ ଶୋକ ସାଗରେ ଭସାଇ ଗଲୁ।ମୋ ରାମ ରେ।୩୦। ଷୋଳକଳାରେ ମଣ୍ଡନ ଷଡ଼ରିପୁ ଦଳା ପଦ୍ମଲୋଚନ,ମୋ ରାମ ରେ ସକଳ ଲୋକ ବନ୍ଦନ,ମୋ ରାମ ରେ ସକଳ ସୁଖ ଆକର ସତ୍ୟ ପାଇଁ ଗଲ ବନସ୍ତଘୋର। ମୋ ରାମ ରେ। ସେ'ତ ବିଧିର ବିଚାର,ମୋ ରାମ ରେ।୩୧। ସନ୍ଥପାଳି ଦର୍ପଦଳି ସାଧୁ ସନ୍ଥଙ୍କର ଗଳାରମାଳି,ମୋ ରାମ ରେ ଋଷି ଯାଗଯଜ୍ଞ ରକ୍ଷାକାରୀ,ମୋ ରାମ ରେ। ସୁମନ୍ତ୍ର ମନ୍ତ୍ରୀ ପ୍ରବର ସ୍ୟନ୍ଦନରେ ନେଇ ତମସାତୀର,ମୋ ରାମ ରେ ସଙ୍ଗେ ସୀତା ସଉମିତ୍ରୀ ମୋର,ମୋ ରାମ ରେ।୩୨। ହରିଲ ଦୁଃଖ କଷଣ ହେ ରାମ,ଦାନବ କୁଳ ଦଳନ,ମୋ ରାମ ରେ ହେଳେ ହରିଲ ଦୁଃଖ କଷଣ।ମୋ ରାମ ରେ। ହସି ଉଠିଲା ଜଗତ ହରିଲ ସନ୍ଥଙ୍କ ଶୋକ ସନ୍ତାପ,ମୋ ରାମ ରେ ହେଳେ ଅସୁରକୁ କଲ ନାଶ। ମୋ ରାମ ରେ।୩୩। କ୍ଷିତିପତି ଖଗେଶ୍ବର କ୍ଷଣକେ ନିବାରୁ କ୍ଷିତିର ଭାର, ମୋ ରାମ ରେ କ୍ଷମାନିଧି ଵାରେ କ୍ଷମାକର, ମୋ ରାମ ରେ କ୍ଷୀରସାଗର ବିହାରୀ କ୍ଷଣକରେ କ୍ଷିତି ଭାରା ନିବାରି,ମୋ ରାମ ରେ ଦୀନ ଘନଶ୍ୟାମ ଦୁଃଖହାରୀ,ମୋ ରାମ ରେ।୩୪ ମହାଦେଈପୁର,ଗୁରାଣ୍ଡି,ପାରଳାଖେମୁଣ୍ଡି,ଗଜପତି।
