କାନ୍ଦୁଛି ମାଆ ଧରିତ୍ରୀ
କାନ୍ଦୁଛି ମାଆ ଧରିତ୍ରୀ
ଧରଣୀ ଧରିତ୍ରୀ ବସୁମତୀ -
କ୍ଲାନ୍ତ ମହ୍ଲାର ଭରି ।
ସହିଷ୍ଣୁତା ତାର ସମାପ୍ତ ଘଟିଛି -
କ୍ଷୀଣ ସର୍ବ ସୁଖ ଶିରୀ ।।
ଐଶ୍ୱର୍ଯ୍ୟମୟୀ ପୂର୍ଣ୍ଣତାରେ ପୂର୍ଣ୍ଣ
ଗନ୍ତବ୍ୟ ସ୍ଥଳ ତୃପ୍ତିର ।
ଅପ୍ରୀତିରେ ପ୍ରୀତି ଦାନେ ଦେଉ ଶାନ୍ତି
ମମତାର ଗନ୍ତାଘର ।।
ଝର ଝର ନିର ଢାଳିଦେଉ ମାଆ -
ଫଳ ଫୁଲ ଅପ୍ରମିତ ।
ପ୍ରୀତି ପୁଷ୍ପାଞ୍ଜଳୀ ଦେଶ ସୈନିକଙ୍କୁ---
ସମର୍ପି କରୁ ସ୍ୱାଗତ ।।
ଅସୁମାରୀ ସ୍ୱପ୍ନ ଅମାଅନ୍ଧକାରେ
ଅଯୋଗ୍ୟରେ ଯାଚିଦେଉ ।
ମାନଭଞ୍ଜନ ତୋ କରିନି ମାନବ
ନିସ୍ତବ୍ଧ ନିସଃଙ୍ଗ ହେଉ ।।
ଭିଜା ଆଖି ତୋର ଶ୍ୱତପଦ୍ମ ପରି
ଥପ ଥପ ଅଶ୍ରୁ ଝରେ ।
ମାନବ ଅବୁଝା ବୁଝେନି ତୋ କଷ୍ଟ
କ୍ଷେପଣାସ୍ତ୍ର ବର୍ଷା କରେ ।।
ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣା ତୋ ଶରୀର ମାଆ
କୋଳରେ ସବୁଜ ଶସ୍ୟ ।
ଗୁଳି ବାରୁଦରେ ନଷ୍ଟ ଭ୍ରଷ୍ଟ ତୁ ମାଆ
ଏ କି ଦାରୁଣ ଦୃଶ୍ୟ । ।
କ୍ଷମାଦାୟୀନି ହେ ମାଆ ତୁ ମାନିନୀ
କ୍ଷମା କରି ସୃଷ୍ଟି ରଖ ।
ପ୍ରାଣ ଭରି ପିଣ୍ଡେ ସୃଷ୍ଟି ଭିଆଇଛୁ
ଆମ ଦୁଃଖେ ତୋର ଦୁଃଖ ।।
ଲହୁ ଲୁହାଣରେ ଢାଳୁଛି ମାଆ ଭକ୍ତି
ସାଦରେ ଗ୍ରହଣ କର ।
ଅମର ପ୍ରଦୀପ ଜଳାଇ ରଖୁଛି
ବିଶ୍ୱ କୁ ଉଦ୍ଧାର କର ।।
ଅଶାନ୍ତ ସପନ ଶାନ୍ତ କରିବାକୁ
ଜାଳୁଛି ପ୍ରଦୀପ ମୁହିଁ
ସେ ଆଖିରେ ଆଜି ନାହିଁ ତ ସପନ
କ୍ଷମା ଦେବୁ ମାଆ ତୁହି ।।
