କାର୍ତ୍ତିକେୟ ବନ୍ଦନା
କାର୍ତ୍ତିକେୟ ବନ୍ଦନା
ନମଃ ଗଉରୀନନ୍ଦନ ଦେବ ସେନାପତି l
ତାରକ ନିଧନ ଅର୍ଥେ ହେଲ ଉତପତି ll
କଠୋର ତପ ଆଚରି ମାତା ଅନ୍ନପୂର୍ଣ୍ଣା l
ପର୍ଣ୍ଣ ସୁଦ୍ଧା ନ ଭକ୍ଷିଲେ ବିଦିତ ଅପର୍ଣ୍ଣା ll
ତପବଳେ ତୋଷ କରି ଗିରୀଶ ମଜାଇ l
ତୁମ୍ଭଙ୍କୁ ଲଭିଲେ ସ୍କନ୍ଧ ମାତା ମହାମାୟୀ ll
ଚନ୍ଦ୍ର ସୂର୍ଯ୍ୟ କାନ୍ତି ତଵ ଅତୀବ ସୁନ୍ଦର l
ଦେବ କାର୍ଯ୍ୟ ସାଧିବାକୁ ରହିଲ କୁମାର ll
ବାହନ ତୁମ୍ଭର ଅଟେ ସୁନ୍ଦର ମୟୂର l
ଭୁଜଙ୍ଗ ପଳାଇଯାଏ ରଡ଼ିରେ ଯାହାର ll
ଭ୍ରାତା ତୁମ୍ଭର ଅଟନ୍ତି ବିଦ୍ୱାନ ଗଣେଶ l
ସର୍ବାଗ୍ରେ ପୂଜିତ ଗଜାନନ ଶ୍ରୀବିଘ୍ନେଶ ll
ଜନ୍ମକାଳେ ଷଡ଼ମାତା ଦେଲେ କ୍ଷୀରପାନ l
ତାରକଜିତ ବହିଲ ନାମ ଷଡାନନ ll
କୃତ୍ତିକା ନକ୍ଷତ୍ର ଯୋଗେ ଜନମ ଲଭିଲ l
କ୍ରୋଉଞ୍ଚଦାରୁଣ ନାମେ କ୍ରୋଞ୍ଚକୁ ବଧିଲ ll
କୁମାର ସମ୍ଭବ ସୃଜି କବି କାଳି ଦାସ l
ଉଦାତ୍ତକଣ୍ଠେ ତୁମ୍ଭର ଗାଇଛନ୍ତି ଯଶ ll
ତୁମ୍ଭ ମୁଖରୁ ନିଃସୃତ ଶ୍ରୀ ସ୍କନ୍ଦପୁରାଣ l
ଚରିତ ତୁମ୍ଭର ପ୍ରଭୁ ହୋଇଛି ବଖାଣ ll
ପୁଣ୍ୟ କାର୍ତ୍ତିକେ କୁମାର ହୁଏ ତୁମ୍ଭ ପୂଜା l
ନମସ୍ତେ ସାଥେ ଗଣେଶ ଶଙ୍କର ଗିରିଜା ll
