ସାବିତ୍ରୀ ବ୍ରତର ମହିମା
ସାବିତ୍ରୀ ବ୍ରତର ମହିମା
ସାବିତ୍ରୀ ବ୍ରତର ମହିମା,
କହୁଛି ମତେ ଯାହା ଜଣା l
ସକଳ ବ୍ରତ ମଧ୍ୟେ ସାର,
ସଧବା ନାରୀ ମାନଙ୍କର l
ସ୍ୱାମୀ ଅଟନ୍ତି ଗତି ମୁକ୍ତି,
ସ୍ୱାମୀ ଅଟନ୍ତି ନାରୀ ଶକ୍ତି l
ସର୍ବ ସଧବା ନାରୀଗଣେ,
ସାବିତ୍ରୀ ମାତାଙ୍କ ଚରଣେ l
ଚିତ୍ତ ରଖିଣ ନିରନ୍ତରେ,
ପୂଜନ୍ତି ପବିତ୍ର ମନରେ l
କୃଷ୍ଣ ପକ୍ଷ ଜୈଷ୍ଠ ମାସରେ,
ପୂଜନ୍ତି ଏ ଅମାବାସ୍ୟାରେ l
ଏ ବ୍ରତ କରେ ଯେଉଁ ନାରୀ,
ପାଅଇ ସିଏ ସର୍ବ ଶିରୀ l
ପବିତ୍ର ଶୁଦ୍ଧ ହୃଦୟରେ,
ପୂଜନ୍ତି ପତିଙ୍କ ପୟରେ l
ସ୍ୱାମୀଙ୍କ ମଙ୍ଗଳ କାମନା,
ପତ୍ନୀଙ୍କ ପରମ ସାଧନା l
ସ୍ୱାମୀଙ୍କ ସୁରକ୍ଷାର ପାଇଁ,
ଏ ବ୍ରତ ସଧବା କରଇ l
ମଥାରେ ସର୍ବଦା ସିନ୍ଦୂର,
ରହିବ ଅଜର ଅମର l
ହାତରେ ଶଙ୍ଖାର ଶିଞ୍ଜନ,
ସର୍ବଦା ହୋଇବ ଗୁଞ୍ଜନ l
ଶଙ୍ଖା, ସିନ୍ଦୂର ନାରୀ ପାଇଁ,
ଶ୍ରେଷ୍ଠ ଅଳଙ୍କାର ଅଟଇ l
ଏ ଦୁଇ ଅଳଙ୍କାର ବିନା,
ନାରୀକୁ ଲାଗେ ଶୂନଶୁନା l
ହୀରା, ନୀଳା ଶୁଦ୍ଧ ସୁବର୍ଣ୍ଣ,
ଏସାଥେ ନୁହଇଁ ତୁଳନା l
ସ୍ୱାମୀଙ୍କ ସୁଖେ ସୁଖୀ ହୋଇ,
ସେନାରୀ ଐଶ୍ଚର୍ଯ୍ୟ ଭୁଞ୍ଜଇ l
ସ୍ୱାମୀକୁ କରେଯେ ସମ୍ମାନ,
ସେନାରୀ ହୁଏ ଧନବାନ l
ଅନ୍ୟ ପୁରୁଷେ ଦେଲେ ମନ,
ବିଫଳ ବ୍ରତ, ର କାରଣ l
ସେନାରୀ ଚିରକାଳ ପାଇଁ,
ମାତାଙ୍କ ଆଶିଷୁ ବଞ୍ଚଇ l
ବ୍ରତଟି ବିଫଳ ହୋଇବ,
ସର୍ବଦା ଦୁଃଖଯେ ପାଇବ l
ଏକ ପୁରୁଷେ ଦେଇ ମନ,
କରିଲେ ମାଙ୍କୁ ଆବାହନ l
ଦିଅନ୍ତି ଅଭୟ କବଚ,
ସର୍ବଦା ରଖେ ସୁରକ୍ଷିତ l
ସାବିତ୍ରୀ ଯେହ୍ନେ ସତ୍ୟବାନ,
ଏକ ପୁରୁଷେ ଦେଲେ ମନ l
ସ୍ୱାମୀଙ୍କ ସାଥେ ଥିଲେ ସେହି,
ସୁଖ ଦୁଃଖରେ ଭାଗି ହୋଇ l
ଶ୍ୱଶୁର ଘର ସ୍ୱର୍ଗ ପୂର,
ଗଠିତ ହୁଏ ପରିବାର l
ଶାଶୁ ଶ୍ଵଶୁର ସେବା କଲେ,
ଉତ୍ତମ ବୋହୂ ବୋଲାଇଲେ l
ପତିଙ୍କ ପ୍ରତି ସମର୍ପଣ,
ଦେଖି ଆଶ୍ଚର୍ଯ୍ୟ ଯନ୍ତୁରାଣ l
ତେଣୁ ସେ ହୋଇଲେ ପ୍ରସନ୍ନ,
ଆନନ୍ଦେ ଦେଲେ ବରଦାନ l
ଦୁଇ କୁଳର ହିତ ପାଇଁ,
ବର ଯେ ମାଗିଥିଲେ ସେହି l
କେବଳ ପତିବ୍ରତା ପାଇଁ
ଐଶ୍ଚର୍ଯ୍ୟ ଭୋଗିଥିଲେ ସେହି l
ପାଳନ କଲେ ପତିଧର୍ମ,
କରିଲେ ଅସାଧ୍ୟ୍ୟ ସାଧନ l
ସାବିତ୍ରୀ ମାତାଙ୍କ ଆଶିଷ,
ସର୍ବଦା ଝରଇ ଅମୃତ l
ଯେନାରୀ ହେଲେ ଦୂରାଚାରୀ
ମାତାଯେ ଦିଅନ୍ତି ପାଶୋରି l
ଦୁର୍ଗତି ପଛରେ ଗୋଡ଼ାଏ,
ଅନନ୍ତ ଜୀବେ ଦୁଃଖ ପାଏ l
ସେ ଦୁଃଖ କାଳ ଅଗ୍ନି ପରି,
ସର୍ବଦା ରହିଥାଏ ଘେରି l
ସତ୍ୟ ଅଟଇ ଏ ବଚନ,
ଅନ୍ୟଥା କେବେ ନୁହେଁ ଜାଣ l
ମାତାଙ୍କୁ ଆଶିଷ ମାଗିବା,
ସତୀତ୍ୱେ ବଇକୁଣ୍ଠ ଯିବା l
ଏକଥା ହୋଇଲା ସମ୍ପୂର୍ଣ
ପୁରଇ ସର୍ବ ମନକାମ୍ୟ l
ସାବିତ୍ରୀ ମାତାଙ୍କ ପୟରେ,
ମନ ଥାଉଯେ ନିରନ୍ତରେ l
ଏହି ଅଧମେ ଦୟାକର,
ଭାଷିବି ତୁମ ଧର୍ମ ଗିର l।
