ବିଶ୍ୱାସେ ବିଷନରକେ ବାସ
ବିଶ୍ୱାସେ ବିଷନରକେ ବାସ
ବିଶ୍ଵାସ ଡୋରୀରେ ଏ ଜଗତ ବନ୍ଧା
ଜୀବନ ରଥ ଯେ ଚାଲି ତ ଥାଏ
ବିଶ୍ୱାସେ ମିଳଇ ପ୍ରଭୁଙ୍କ ସାନ୍ନିଧ୍ୟ
ବିଶ୍ୱାସ ଅମୃତ ଢ଼ାଳୁ ଯେ ଥାଏ |
ବିଶ୍ଵାସ ଘାତକ ଅବିଶ୍ୱାସୀ ନର
ସ୍ଵାର୍ଥ ପାଇଁ ଯେବେ ବିଷ ଭରଇ
ସେଇ ବିଷ ଜ୍ଵାଳା ଅନ୍ୟକୁ ଜାଳଇ
ନିଜେ ବି ଆତ୍ମିକ ଖୁସୀ ନପାଇ ।
ବିଶ୍ଵାସ ରେ ମିଳେ ହରି ଅନୁଭବ
ଅବିଶ୍ୱାସେ ପରା କାଠ ଗଣ୍ଡିଟେ
ସରଳ ବିଶ୍ୱାସେ ଯେ ବିଷ ଢ଼ାଳଇ
ତାକୁ ପରା ଅହି ନରକ ମିଳେ ।
ସ୍ୱାର୍ଥ ସାଧନର ଲାଳସା ରେ ନିର
ବିଶ୍ଵାସରେ ବିଷ ଭରୁ ଯେ ଥାଏ
ଶାନ୍ତି ଟିକେ ପାଇଁ ବିକଳ ହୁଅଇ
ଶାନ୍ତି ନମିଳଇ କେଉଁ ସ୍ଥାନରେ ।
ମୁଢ଼ ମତି ନର ଛଳନାରେ ଯେବେ
ସରଳ ପ୍ରାଣରେ ଗରଳ ଢ଼ାଳେ
ସରଳ ଲୋକଟି କ୍ଷତାକ୍ତ ହୁଅଇ
ହେଲେ ଅବିଶ୍ୱାସୀ ସୁଖ କି ପାଏ ?
ମିଷ୍ଟ ଭାଷାରେ ଯେ ସମ୍ଭାଷଣ କରି
ସରଳ ପ୍ରାଣକୁ ନିଜର କରେ
ତଣ୍ଟି କାଟି ପୁଣି ନିଃସ୍ବ କରିଦେଇ
ବିଶ୍ୱାସରେ ବିଷ ଭରି ଯେ ଦିଏ |
ବୈକୁଣ୍ଠ ସମାନ ପରିବାରେ ଆଜି
ବିଶ୍ୱାସରେ ମିଳେ ଧୋକାର ବିଷ
ସମ୍ପର୍କ ଛିଣ୍ଡଇ ପରିବାର ଭାଙ୍ଗେ
ହୋଇଯାଏ ସବୁ ସମ୍ପର୍କ ଶେଷ ।
ବିଶ୍ୱାସରେ ବିଷ ନୁହେଁ ଛୋଟ ଦୋଷ
ସେ ବିଷ ରେ ଯଦି କାହାକୁ ଜାଳ
ଏମିତି ଦିନଟେ ନିଶ୍ଚୟ ଆସିବ
ଶ୍ରଦ୍ଧା ଟିକେ ପାଇଁ ହେବ ବିକଳ ।
ବିଶ୍ୱାସ ରେ ବିଷ କରେ ବନ୍ଧୁ ଦ୍ରୋହୀ
କରି ଦିଏ ପୁଣି ସେ ଘର ଛଡ଼ା
ନିବିଡତା ମଧ୍ୟେ ଆବିଳତା ଆସେ
ହୋଇଯାଏ ଏଇ ମନ ଯେ ପୋଡ଼ା ।
ସହଜ ବିଶ୍ୱାସ ହରଣ ହୁଅଇ
ସନ୍ଦେହର ଜାଲ ଘେରେ ମନରେ
ଅବିଶ୍ୱାସୀ ନର ବିଷ ଢ଼ାଳି ଦେଲେ
ପଡ଼ିଥାଇ ପରା ସେ ନରକରେ |
ବିଶ୍ୱାସୀ ମଣିଷ ଦୁନିଆ ନିଜର
ଅବିଶ୍ୱାସୀ ହୋଇଥାଏ ଯେ ପର
ବିଶ୍ୱାସରେ ବିଷ ଦେଲେ ଜୀବନରେ
ଏକା ହୋଇ କରେ ଘର ସଂସାର |
ଆର ଜନମର କଥା କେ ଜାଣିଛି
ଏ ଜନମେ ମିଳେ କର୍ମର ଫଳ
ବନ୍ଧୁ ପରିଜନ ତା ପାଖେ ନଥାନ୍ତି
ଏକାରେ କାଟଇ ଜୀବନ କାଳ ।
ବିଷ ଦେଇଥିବା ଅବିଶ୍ୱାସୀ ଲୋକେ
ବିଶ୍ୱାସ କେମିତି କିଏ କରିବ
ଉପରେ ଯଦିବା ଦି'ପଦ କହିବ
ତା କଥାକୁ ଯେ ପରତେ ନଯିବ ।
ସମସ୍ତେ ଦୁରେଇ ରହିଯିବେ ପୁଣି
ଆପଣା ଜନ ତ କେହି ନ ଥିବେ
ବିପଦ ବେଳରେ ଆହା କରିବାକୁ
ସାହା ଓ ଭରସା କେମିତି ହେବେ |
ଏ ଯନ୍ତ୍ରଣା ପରା ନରକ ଯନ୍ତ୍ରଣା
ବିଷ ଦେବାର ଅଟେ ପରାଭବ
ଆର ଜନମରେ କେଉଁ ନର୍କେ ବାସ
ଜାଣନ୍ତି ପରା ସେ କଳା ମାଧବ ।