ବଗ କରିଛି ପଞ୍ଚୁକ ବ୍ରତ
ବଗ କରିଛି ପଞ୍ଚୁକ ବ୍ରତ
ବଗ କରିଛି ପଞ୍ଚୁକ ବ୍ରତ
ଆଇଁଷ ଖାଉ ନାହିଁ,
ଧବଳେଶ୍ଵର ପୀଠକୁ ଯାଏ
ଶିବ ଦର୍ଶନ ପାଇଁ ।
ପ୍ରଭୁ ଦୁଆରେ ହବିଷ୍ଯାଅନ୍ନ
ପ୍ରତ୍ଯହ ଖାଏ ଖୁଣ୍ଟି,
ଥଣ୍ଟରେ ଆଣି ପିଲାଛୁଆଙ୍କୁ
ଦେଉଛି କିଛି ବାଣ୍ଟି ।
ବଗୁଲୀ କହେ କହିବ ଧନ
କାର୍ତ୍ତିକ ମାସ ସାରା,
ହବିଷ୍ଯ ଭୋଗ ପାଇଲେ
କେଉଁ ଲାଭଟି ଅଛି ପରା ।
କାହିଁକି ବଡ ଓଷା କରୁଛ
କୁହ ହେ ପ୍ରାଣନାଥ
ବଡ଼ ଓଷାର ମହାତ୍ମ୍ଯ ଶୁଣି
ପୁରୁ ମୋ ମନୋରଥ ।
ବଗ କହୁଛି କାର୍ତ୍ତିକ ମାସ
ବାରମାସରେ ସାର,
ଭାବରେ ଧ୍ଯାୟୀ ମାଛ ନ ଖାଇ
ଡାକ ଧବଳେଶ୍ଵର ।
ପଞ୍ଚୁକ ବ୍ରତ ପାଞ୍ଚ ଦିନିଆ
କାର୍ତ୍ତିକ ଶୁକ୍ଳପକ୍ଷେ,
ପାଞ୍ଚମନକୁ ପବିତ୍ର କଲେ
ଦୁଃଖ ଆସେନି ପାଖେ ।
ଷଡ ଋପୁକୁ ବିନାଶ କରି
ପ୍ରେମ ଗଙ୍ଗାରେ ବୁଡ଼,
ପାହାନ୍ତି ଘଡ଼ି ଦେଲେ ତ ମାରି
କୃପା କରିବେ ହର ।
ବଡ଼ ଓଷାର ପୂର୍ବ ଦିବସ
ପଡଇ ଏକବାର,
ହବିଷ ଅନ୍ନେ ନୈବେଦ୍ୟ ଦେଇ
ପୂଜିବ ମହେଶ୍ୱର ।
ପବିତ୍ର ବଡ଼ଓଷା ଦିବସ
କାଷ୍ଠା ଉପାସ ରହି,
ଧବଳେଶ୍ଵର ଚିନ୍ତିବ ମନେ
ଆନ ଭାବ ନ ନେଇ ।
ଚଉଁରା ମୂଳେ ମୁରୂଜ ଆଙ୍କି
ଜାଳି ଆକାଶ ଦୀପ,
ଈଶ୍ଵର ଧ୍ଯାୟୀ ପୁଣ୍ୟ ଅର୍ଜ୍ଜିବ
ଏତ ପଞ୍ଚୁକ ତପ ।
ବଡ଼ ଓଷାର ପରଦିନଟି
ପୂର୍ଣ୍ଣିମା ଆସିଥାଏ,
ବୋଇତ ବନ୍ଦା ସରାଗେ କଲେ
ଓଷା ସଫଳ ହୁଏ ।
ମାସକ ପୁଣ୍ୟ ପ୍ରାପ୍ତି ସେବେଳେ
ପାପଟି ଯାଏ ଭାସି,
ପାନଗୁଆକୁ ଦେଇ ଅହଂତ୍ଵ
ଭାବରେ ଦିଅ ନାଶି ।
ଗଜ ପ୍ରସାଦ ପାଇ ଆନନ୍ଦେ
ଶିବଙ୍କ ଭାବେ ବୁଡ,
ଜୀବରେ ଦୟା ନାମେ ବିଶ୍ଵାସ
ଓଷାଟି ହେଲା ବଡ଼ ।
ଛାଡଖାଇରେ ଖାଇବ ନାହିଁ
କେବେ ବି ମାଛ ମାଂସ,
ପାରିବ ଯଦି ଖାଇ ହଜମ
କର ଅସତ୍ୟ ବିଷ ।
ଯେମିତି ଶିବ ସୃଷ୍ଟି ତାରଣେ
ପିଇଲେ କାଳକୂଟ,
ସେମିତି ପାନ କର ଅସତ୍ୟ
ଏ ବଡ ଓଷା ତତ୍ତ୍ଵ ।
ଛାଡଖାଇରେ ଛାଡିଦିଅ ହେ
ପରଶ୍ରୀକାତରତା,
ପାରୁଛ ଯଦି ଧରି ନିଅ ହେ
ଧର୍ମରୁ ଦୁଇମୁଠା ।
ମନରୁ ହିଂସା ଦୂରେଇ ଦେଇ
ଶରଧା ବାଣ୍ଟିଦେବ,
ତାହେଲେ ଯାଇ ବଡ଼ ଓଷାର
ସାର୍ଥକ ନିଶ୍ଚେ ହେବ ।
ଆତ୍ମୀୟ ଭାବେ ବାନ୍ଧିବ ଯେବେ
ସମଗ୍ର ସଂସାରକୁ,
ତେବେ ଏ ବ୍ରତ ହେବ କୃତାର୍ଥ
ପାଇବ ଶଙ୍କରଙ୍କୁ ।
ଧବଳେଶ୍ଵର ଶ୍ରୀମହେଶ୍ୱର
ଅକର୍ମାଦାନୀ ସିଏ,
ଧନ ସମ୍ପତ୍ତି ସୁଖ ସମୃଦ୍ଧି
ଅଚିରେ ଯାଚିଦିଏ ।
ତେଣୁ ଏ ଓଷା କରୁଛି ମୁହିଁ
ସୃଷ୍ଟି ଉଦ୍ଧାର ପାଇଁ,
କେମିତି ପକ୍ଷୀ ଜନ୍ମରୁ ତ୍ରାହି
କରିବେ ଉମାସାଇଁ ।
ମଣିଷ ଆଜି ଓଷା କରୁଛି
ତାମସ ଭାବ ନେଇ,
ଧିଆନ ରଖି ଆମିଷ ପ୍ରତି
କରୁଛି ଛାଡଖାଇ ।
କେମିତି ଯିବ କାର୍ତ୍ତିକ ମାସ
ଖାଇବି ମାଂସ କଷା,
ଜୀବରେ ଦୟା ନାହିଁ ଯଦିବା
ସେ କେଉଁ ବଡଓଷା?
ବଗ ମୁଖରୁ ଶୁଣି ବଗୁଲୀ
ଓଷା ମହାତ୍ମ୍ଯ କଥା,
ଧବଳେଶ୍ଵର ପାଦପଦ୍ମରେ
ଲଗେଇଦେଲା ମଥା ।
