STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଆମ ଘର ଆମ ଅଗଣା

ଆମ ଘର ଆମ ଅଗଣା

2 mins
7


ଆମ ଘର ଆମ ଅଗଣା ରେ ପରା

ଆମ ଇତିବୃତ୍ତ ଲେଖା

ଝାଟି ମାଟି ଘରେ ପୂର୍ବଜ ଙ୍କ ସ୍ମୃତି

ଆମରି ପାଇଁ ପ୍ରେରଣା ।


ଘର ନୁହେଁ ଖାଲି ବସ୍ତୁବାଦୀ କଥା

ସ୍ନେହ ମମତାରେ ବନ୍ଧା

ଘରକୁ ସୁନ୍ଦର ଆମରି ଅଗଣା

ସୁଷମାରେ ଅଟେ ଛନ୍ଦା ।


ଆମ ଘରେ ଯଦି ସ୍ନେହ ଶରଧାର 

ଢେଉ ବହି ଯାଉ ଥାଏ

ମାଟି ଘରେ ପରା ସରଗର ସୁଖ  

ଅନୁଭବ କରିହୁଏ ।


ବୁଝାମଣା ସ୍ରୋତେ ଭିଜିଲେ ଘରଟି

ଆନନ୍ଦର ଢେଉ ଖେଳେ

ଆମ ଅଗଣାର ବୃନ୍ଦାବତୀଙ୍କ ଠୁ

ସଂସ୍କାର ପରଶ ମିଳେ ।


ଘର ବାରଣ୍ଡାରୁ ବଡ଼ ମାନଙ୍କର

ଅନୁଭବ କଥା ମିଳେ

ପୂର୍ବ ପୁରୁଷଙ୍କ ଜୀବନ ଚାଳିଶା

ଏଇ ଘର ଗାଉଥାଏ |


ଆମ ଅଗଣାର ବୃନ୍ଦାବତୀ ମୂଳେ

ଦୀପଟିଏ ଜାଳି ଦେଲେ

ଚେତନା ହୁଅଇ ରୁଦ୍ଧିମନ୍ତ ପୁଣି

ସଂସ୍କାରର ଛୁଆଁ ଲାଗେ ।


ଆମ ଘରୁ ମିଳେ କର୍ତ୍ତବ୍ୟର ସଂଜ୍ଞା

ସଂପର୍କ ର ମହାମନ୍ତ୍ର

ଆମ ଘର ଦିଏ ଜୀବନ ବାରତା

ଜୀବ ହୁଏ ରୁଦ୍ଧିମନ୍ତ ।


ଆମ ଘର ହୁଏ ପବିତ୍ର ମନ୍ଦିର

ପିତା ମାତା ଙ୍କ ପୂଜାରେ

ପିତାମାତା ଆମ ଚ଼ଳନ୍ତି ଠାକୁର

ତାଙ୍କ ହାତ ଥାଉ ଶିରେ ।


ଆମ ଏ ମନ୍ଦିରେ ଜେଜେ ଜେଜେ ମାଆ

ଦାଦା ଖୁଡି ଗୁରୁଜନ

ଆମ ଘରର ସେ ପାର୍ଶ୍ଵ ଦେବତା ଯେ

ତାଙ୍କର ହୁଏ ପୂଜନ ।


ଆମ ଏଇ ଘର ଅଗଣା ଗାଏ ଯେ

ଆମ ପରଂପର ଗୀତି

ଚଉରା ମୂଳର ପାର୍ବଣ ର ଧାରା 

ଗାଏ ଆମ ଜାତି ପ୍ରୀତି |


ଆମ ଏଇ ଘରେ ମାଆର ପଣତ

ପ୍ରୀତି ପରଶରେ ଭରା

ତ୍ୟାଗର ନଦୀଟେ ଧୈର୍ଯ୍ୟର ଶିଳା ଟେ

ଘର ମେରୁଦଣ୍ଡ ପରା |


ଏଇ ଘରେ ପରା କର୍ମଯୋଗୀ ପିତା

ଆମ ପାଇଁ ଖଟୁଥାନ୍ତି

ଆଶା ହୀନ କର୍ମେ ସପନରେ ହଜି

ନିଜ କଥା ଭୁଲି ଥାନ୍ତି |


ଏଇ ଆମ ଘରେ ସୁରକ୍ଷା ବଳୟ

ଭାଇଙ୍କର ଦୁଇହାତ

ଆମରି ଘରର ଶ୍ରଦ୍ଧାର ପାଚେରୀ

ଭଉଣୀର ସ୍ନେହ ଗୀତ ।


ଆମରି ଘରର ମୁଖଶାଳା ଅଟେ

ଆମ ସୁନ୍ଦର ଅଗଣା

ଖରା ବରଷାରେ ଛାତି ପାତି ଥାଏ

ଆମକୁ ଦିଅଇ ଯାଗା ।


ଆମରି ଜୀବନ ଆରମ୍ଭ ଏଇଠି

ତା ବୁକେ ପ୍ରଥମ ଖେଳ

ପୂଜା ମହୋତ୍ସବେ ଆମରି ଅଗଣା

ହୁଅଇ ଚ଼ଳ ଚଞ୍ଚଳ |


ଆମରି ଘରର ନିର୍ମଳତା କୁହେ

ବିଜ୍ଞାନ ର ଗୁଢ଼ କଥା

ଆମ ଅଗଣାର ଫୁଲ ଫଳ ଗଛ

ଦିଏ ପରିବେଶ ବାର୍ତ୍ତା ।


ଆମ ଘରେ ଖେଳେ ସଂସ୍କାର ମହକ

ଝରେ ମମତା ର ଝର

ସଂପର୍କ ରଜ୍ଜୁର ନିଗୁଢ଼ ତତ୍ତ୍ଵରେ

ଶୁଭେ ମଧୁର ଝଙ୍କାର ।


ପିତାମାତା ଭକ୍ତି ଗୁରୁଜନେ ତୃପ୍ତି

ଭାଇ ଭଗିନୀ ସ୍ନେହରେ

ଆମ ଘର ଆଉ ଆମ ଅଗଣାରେ

ଶାନ୍ତିର କପୋତ ଉଡ଼େ ।


Rate this content
Log in

Similar oriya poem from Inspirational