ଆସିଛୁ ଏକା ଯିବୁ ତୁ ଏକା
ଆସିଛୁ ଏକା ଯିବୁ ତୁ ଏକା
ଆସିଛୁ ଏକା ଯିବୁ ତୁ ଏକା
ଧରିଛୁ କିଆଁ ଗର୍ବ
ମିଛ ସଂସାର କେ ନୁହେଁ କା'ର
ଦିନେ ଛାଡ଼ିବୁ ସର୍ବ ।
ଆସିଲାବେଳେ ହାତଟି ଖାଲି
ଗଲାବେଳେ ବି ଖାଲି
ଭ୍ରମରେ ଭ୍ରମି ସାଉତୁ ଧନ
ଜୀବନମାର୍ଗ ଭୁଲି ।
ଖୋଲିଦେ ହାତ ଖୋଜିଖୋଜିକା
ଯେତେକ ଦୁଃଖୀରଙ୍କୀ
ତାଙ୍କ ପେଟର ମୁଠାଏ ଦାନା
ପଥକୁ ତୋର ସାକ୍ଷୀ ।
ଯାହାକୁ କହି ତୁ ଆପଣାର
ଧାଉଁ ତାଙ୍କରି ପାଇଁ
କର୍ତ୍ତବ୍ୟେ ଟିକେ ଖଇଚା ହେଲେ
ପାରନ୍ତି କି ସେ ସହି ?
ଗୃହସ୍ଥ ଧର୍ମ କେବଳ ନୁହେଁ
ଶରୀର ସୁଖ ପାଇଁ
ପ୍ରତି କରମେ ବିଭୁ ଚିନ୍ତନ
ସତ୍ପଥ ଆପଣେଇ ।
ନିଜକୁ ଦୃଢ଼ ଶକତ କରି
ଲୋଭ ମୋହକୁ ତ୍ୟାଗୀ
କର୍ମ ସାଧନେ ଲଗାଇ ମନ
ହୁଅ ତୁ କର୍ମଯୋଗୀ ।
ଦେଖିବୁ ନିଶ୍ଚେ କରୁଣାମୟ
ଢାଳୁଥିବେ ଆଶିଷ
ଧରମ ସାଥେ କରିବୁ ଗତି
ଫୁଟାଇ ମୁଖେ ହସ ।
