ମୋହାବିଷ୍ଟ
ମୋହାବିଷ୍ଟ
ମୋ ଦେହରୁ ଧସି ଯାଉ ସବୁ କାରୁକାର୍ଯ୍ୟ
ଖସିପଡୁ ଗୋଟାକ ପରେ ଗୋଟାଏ ପଥର,
ତଥାପି ମୁଁ ମୋହାବିଷ୍ଟ,
ଅତୀତର ପୂର୍ଣ୍ଣାଙ୍ଗ କୋଣାର୍କ ମୁଦ୍ରାରେ ।
ଅବକ୍ଷୟ କୋଣାର୍କ ଘୋଷଣା କରୁଥାଏ
ଆକାଶକୁ ନିଶୁଣୀ ନ ଥିବାର କିମ୍ବଦନ୍ତୀ,
ମୋର ଵା ଶୁଣିବାକୁ ବେଳ କାହିଁ ।
ମୁଁ ମାଟି ମନସ୍କ ହେବା ଛାଡି ଦେଇ
ଏବେ ଉର୍ଦ୍ଧ୍ବମୁଖୀ ।
ଦେଖ,
ସମୁଦ୍ରର ବେଳାଭୂମି ପରେ
କେମିତି ଲିଭି ଯାଉଥାଏ ପାଦ ଚିହ୍ନ
ଶତ ଶତ ଲହଡିଙ୍କ ଉନ୍ମାଦ ଛୁଆଁରେ ।
ନା ବିଶ୍ୱାସ ଅଛି
ଛାଡି ଆସିଥିବା ପାଦ ଚିହ୍ନ ଉପରେ,
ନା ଭରସା ଅଛି
ଉଡାନ୍ ମାରି ବାକୁ ଚାହୁଁଥିବା
ମୋ ଅଦୃଶ୍ୟ ଡେଣା ଉପରେ ।
ତଥାପି ଶ୍ରାନ୍ତି କାହିଁ
ଚାଲିବାରେ-ଦୌଡିବାରେ-ଉଡିବାରେ,
ଯେହେତୁ ମୁଁ ମୋହାବିଷ୍ଟ ।