ହେ ମୋର ପରମ ମିତ୍ର
ହେ ମୋର ପରମ ମିତ୍ର
ପର ଉପକାର କର ବା ନ କର
ଅପକାର କର କିଆଁ ?
ପରୋପକାରୀର ମହତପଣକୁ
ଈଶ୍ୱର ହୁଅନ୍ତି ସାହା !!
ଈଶ୍ୱର ଆଖିରେ ସ୍ନେହଝର ଝରେ
ପରୋପକାରୀଙ୍କ ପାଇଁ ।
ନିତ୍ୟ ନିବାସରେ ସତ୍ୟ ଉଦ୍ଦେଶ୍ୟରେ
ଢାଳନ୍ତି କୃପା ସଜେଇ ।।
ମିଛ ପ୍ରତିଶ୍ରୁତି ଦେଉଛ କାହିଁକି
କେବେ କି ମୁଁ ମାଗିଥିଲି ?
ସତ୍ୟ ବଚନକୁ ଖୋଜି ଖୋଜି ଆଜି
ବନ୍ଧୁହୀନ ହୋଇଗଲି !!
ତୁମ ବନ୍ଧୁତାର ବାଚକ ପୃଷ୍ଠାରେ
ବଦାନ୍ୟତା ଭରିଥିଲା ।
ହୁଏତ ଅଜଣା ଅଚିହ୍ନା ସ୍ୱାର୍ଥରେ
ତା' ଆତ୍ମା ମଉଳିଗଲା ।।
ଯୁଗ ବଦଳୁଛି ବଚନ ବଜାରେ
ବଚନ ବି ହୁଏ ଶସ୍ତା ।
ମିଛ ବଚନକୁ ଭରସା କରି ମୁଁ
ହେଲି ସହରେ ହୀନସ୍ତା ।।
ବଚନ ବି ତୁମ ଏଡ଼େ ଯାଦୁକରୀ
ଅସତ୍ୟ କି ଅର୍ଦ୍ଧସତ୍ୟ ।
ଜାଣି ତ ହୁଏନି ତା' ରଙ୍ଗ ରାଗିଣୀ
ଛଦ୍ମବେଶେ ପ୍ରତିଷ୍ଠିତ !!
ନିଖୁଣ ବନ୍ଧୁତ୍ୱ ପ୍ରିୟ ପ୍ରତିଶ୍ରୁତି
ଥିଲା ମାତ୍ର ମୋର ଆଶା ।
ଭରିଦେଲ ତୁମେ ମୋ' ସରଳ ପଣେ
ନିଷ୍ଠୁର ନଗ୍ନ ନିରାଶା !!
ତୁମକୁ କେବେ ମୁଁ ଦେଇ ତ ନଥିଲି
ବନ୍ଧୁପଣରେ ଜହର !
ଜାଣି ମୁଁ ପାରୁନି ଆମ ବନ୍ଧୁତାରେ
ଲାଗିଲା କାହା ନଜର !!
ବିଶ୍ଵାସରେ ଥାଏ ଅଖଣ୍ଡ ଭରସା
ପ୍ରତୀକ୍ଷା ତ ଅନିବାର୍ଯ୍ୟ ।
କିଛିଟା ପ୍ରତୀକ୍ଷା ଲୁହ ଦିଏ ସିନା
ହୁଏ ନାହିଁ କୃତକାର୍ଯ୍ୟ !!
ପ୍ରତୀକ୍ଷା ପରେ ବି ଆତ୍ମରକ୍ଷା ପାଇଁ
ମଣିଷ ଦୃଢ଼ସଂକଳ୍ପ ।
ଆଗକୁ ରହିଛି ପେନ୍ଥା ପେନ୍ଥା କର୍ମ
ପକ୍ୱ ବା ଅପରିପକ୍ୱ !!
କର୍ମ ତ କରିବି ପ୍ରତୀକ୍ଷା କରିବି
ତୁମ ପ୍ରତ୍ୟାବର୍ତ୍ତନକୁ ।
ହୁଏତ ସାଫଲ୍ୟ ଅବା ବିଫଳତା
ଲଭି ହେବି ମୁଁ ତ୍ରିଶଙ୍କୁ ।।
ତୁମ ଆଦର୍ଶରେ ତୁମ ଚଲାପଥ
ହେଉ ବନ୍ଧୁ କୁସୁମିତ ।
ମୋ' ଚଲାପଥ ତ ସୁଗନ୍ଧବିହୀନ
ବରଂ ହେଉ ଅଭିଶପ୍ତ ।।
ମୋ' ଜୀବନ ଏକ ଭିନ୍ନ ବଳୟର
ପ୍ରାମାଣିକ ଚଳଚ୍ଚିତ୍ର ।
ସୁଖ ସମୃଦ୍ଧିର କାମନା କରୁଛି
ହେ ମୋର ପରମ ମିତ୍ର !!