ହେ କବି ଲେଖିଦିଅ ତୁମେ
ହେ କବି ଲେଖିଦିଅ ତୁମେ
ଲେଖିଦିଅ ତୁମେ
ସେଇ ଶୂନ୍ୟ ମନର ଅନୁଚ୍ଚାରିତ ଶବ୍ଦଟିକୁ
ଦଗ୍ଧ ହୃଦୟର ଅଭିଷିକ୍ତ ମନ୍ତ୍ର ମୁଠାଏକୁ,
ରଙ୍ଗୀନ ବିଶ୍ୱକୁ ରଙ୍ଗେଇ ଦିଅ
ତୁମ ଭାବର କୋମଳ ସ୍ପର୍ଶରେ l
ନୈରାଶ୍ୟ ହତାଶା କୋହ ମୋହ
ମାୟା ହିଂସା କ୍ରୋଧ ଆଦି ଯେତେ ଷଢ଼ରିପୁ
ନ ପାଉ ସ୍ଥାନ ତୁମ ଲେଖନୀ ମୁନରେ l
ହେ କବି ବୁଝେଇଦିଅ ତୁମେ!!!
ଅତ୍ୟାଚାରୀ ନ ହେଉ ମାନବ
ନ ମରୁ ମାନବିକତା
ମାନସ ପଟରେ ବୁଣି ହେଉ ସ୍ନେହ ପ୍ରେମ
ଭାଇଚାରାର ଶବ୍ଦ ପସରା
ଜୀବନର ଶେଷ ପ୍ରହରରେ
ମାନବ ନ ଭୋଗୁ ଜରାଶ୍ରମର ନିର୍ବାସନ l
ହେ କବି ଲେଖିନିଅ ତୁମେ
ଲେଖନୀ ମୁନରେ କଳ୍ପିତ କୋଣାର୍କ
କିନ୍ତୁ ନ ଥାଉ ସେଠି ଭଗ୍ନ ବୁକୁର ସ୍ତୁପ
ନ ହେଉ ତାହା ଶିଳ୍ପୀର ଲହୁ ଲୁହର କାହାଣୀ
ନ ହେଉ ସ୍ଥାନିତ ତହିଁ
ବାରଶହ ବଢ଼େଇର ବାର ବର୍ଷର ହାହାକାର l
ହେ କବି ରଚି ଯାଅ ତୁମେ
ସ୍ବେଦରେ ରଞ୍ଜିତ ସ୍ବର୍ଣ୍ଣ କେଦାର
ଚାଷୀର ଦୁର୍ଦ୍ଦଶା ଭୂମିହୀନ ଦାଦନର ଯନ୍ତ୍ରଣା
ଦଲାଲର ଶୋଷଣ
ଲାଞ୍ଚନା ଓ ପ୍ରବଞ୍ଚନା !
ନ ଥାଉ ସେଠି ବିଶ୍ୱାସର ବିଷମତା
ସ୍ବେଦର ଫାଇଦା
ଗୁଞ୍ଜରିତ ନ ହେଉ
କେଉଁ ଦ୍ରୋପଦୀର ଆତୁର କ୍ରନ୍ଦନ l
ହେ କବି ଗାଇଯାଅ ତୁମେ
ଆଧ୍ୟାତ୍ମିକତା, ଭଗବତ ସତ୍ତା
ପରୋପକାରୀତା
ସ୍ନେହ ପ୍ରେମ
ଓ ଭାଇଚାରାର ମୂଲ୍ୟବୋଧ ସାଥେ
ମୃତ୍ୟୁକୁ ଅମୃତମୟ ମଣୁଥିବା
ଆୟୁଷର ଶେଷ ଅକ୍ଷର ଉଚ୍ଚାରିତ ହେବାଯାଏ
ମାନବିକତାର ଗୀତି କବିତା l
