ସ୍ୱାଗତ କରୁଛୁ ହେ ନବବର୍ଷ
ସ୍ୱାଗତ କରୁଛୁ ହେ ନବବର୍ଷ
ପୁରୁଣା ବରଷ ହୋଇଗଲା ଶେଷ
ତୁମେ ଆସ ମୁହେଁ ଫୁଟାଇ ହସ
ଶୀତ ସବାରୀରେ ତୁମ ରୋଷଣିକୁ
ସ୍ୱାଗତ କରୁଛୁ ହେ ନବବର୍ଷ ।
ତୁମ ଆଗମନେ ସକଳ ପ୍ରାଣରେ
ନବ ସମ୍ଭାବନା ହେଉ ଉଦୟ
ରାଗ-ରୋଷ ଭୁଲି ରହୁ ଶାନ୍ତି ମୈତ୍ରୀ
ପ୍ରୀତି ସଦ୍ଭାବନା ମନ୍ତ୍ରରେ ଲୟ ।
ହିଂସା କପଟତା ଗର୍ବ ଅହମିକା
ହେଉ ଦଗ୍ଧୀଭୂତ ମନୁ ସକଳ
ଭାଇଚାରା ବୁଣି ସମ୍ପର୍କ କ୍ଷେତରେ
ଗୋଟାଇ ଚାଲନ୍ତୁ ଯେତେ ସୁଫଳ ।
ନିପୁଣ ହୁଅନ୍ତୁ କର୍ମ ସାଧନରେ
ନିଜ ଉଦ୍ୟମ ପ୍ରଚେଷ୍ଟା ବଳରେ
ମାଥେ ଝରିପଡୁ ତୁମ ଶୁଭାଶିଷ
ଉପନୀତ ପ୍ରଗତିର ଶୀର୍ଷରେ ।
ସୁଖସମୃଦ୍ଧିକୁ ତୋଳି ଧରିଥାନ୍ତୁ
ସତ୍ୟ ଧର୍ମ ନ୍ୟାୟ ତ୍ୟାଗରେ ଚାଲି
ଆପଣାପଣର ମହମହ ବାସ
ବିତରୁଥାଆନ୍ତୁ ହୃଦୟ ଖୋଲି ।
ବିଜୟକେତନ ଉଡ଼ି ତୁମ ନାମେ
ତୁଣ୍ଡବାଇଦରେ ଧ୍ୱନିତ ଜୟ
ଆନନ୍ଦୋଲ୍ଲାସରେ ବିଭୋରିତ ପ୍ରାଣ
ଛୁଟାଇ ଚାଲୁ ପ୍ରଶଂସାର ସୁଅ ।
