ନିଃଶବ୍ଦ ପୁରୁଷ
ନିଃଶବ୍ଦ ପୁରୁଷ
ତୁହାକୁ ତୁହା ବର୍ଷା
ଆସୁଛି
କଙ୍ଗାରୁ କ୍ଷେପାରେ
ଡେଇଁ ଡେଇଁ ଯାଏ
ଛାତରୁ ଛାତକୁ
ଗଛରୁ ଗଛକୁ
ବାହାରେ ବର୍ଷାର
ଭୀଡ଼
ଭିଜୁଛି ବନ୍ଧ ବାଡ଼
ନଈ ନାଳ ଧାନ କ୍ଷେତ
ହିଡ଼ l
ବର୍ଷାର ହାଡ଼ ମାଂସ ତଳେ
ମୁଁ ଶୁଣୁଛି
ବର୍ଷାରେ ହଜେଇ ଦେଇଥିବା
ନିଜକୁ ମଜେଇ ଦେଇଥିବା
ନିଃଶବ୍ଦ ପୁରୁଷର ଅନ୍ତଭେଦୀ
ଖୁବ୍ ପରିଚିତ ଶବ୍ଦ
ତର ତର ହୋଇ
ଚଷିବାରେ ବ୍ୟସ୍ତ
ନିଘା ତା'ର ସୃଷ୍ଟି କରିବାକୁ
ଶ୍ୱେତ ଆଉ ଲୋହିତ ରକତ l
ପାଣି କାଦୁଅରେ
ଯେତେ ଘାଣ୍ଟି ହେଲେ ବି
ନସର ପସର ହେଲେବି
ଥକା ଲାଗୁଥିଲେ ବି
ସେ ଥକିଯାଉନି
ବିଶ୍ରାମ ପାଇଁ ତର ନାହିଁ
ନିଜପ୍ରତି ଫିକର ନାହିଁ
ବର୍ଷା ପାଣି ଧୋଇ ଦେଉଛି ନିଗୁଡୁଥିବା ଝାଳକୁ,ଦେହର
ଗନ୍ଧକୁ ,ଚନ୍ଦନ ଟିପାପରି କାଦୁଅର ଛିଟା
ରୋମାଂଚିତ କରୁଛି
ଅଙ୍ଗେ ଭରୁଛି ଶୀତଳତା l
ଏବେ
ବର୍ଷା ନାହିଁ ପବନର ଶବ୍ଦ ନାହିଁ
ନାହିଁ ଟୁପୁର ଟାପୁର ଶବ୍ଦ
ମୁଣ୍ଡ ଉପରର ସୂର୍ଯ୍ୟ
ବିନ୍ଧୁଛି ତପ୍ତ ବାଷ୍ପ ତୀର
ଏବେ ଝରୁଛି ଝାଳର ଝର
ଭିଜୁଛି ତାଳୁ ଭିଜୁଛି ତଳିପା,
ଏବେ ବିରତିର ବେଳ
ଆହାର ନେବାର ବେଳ l
ବୋଉର ହାତରନ୍ଧା ଖାଦ୍ୟ ବାସ୍ନା
ଚହଟୁଛି କଦଳୀ ପତ୍ରରୁ
ସରିଛି ଭୋଜନ ଘାରୁଛି ତନ୍ଦ୍ରା
ବେଳ କାହିଁ ଆଖି ବୁଜିବାକୁ
ସାରିବାକୁ ହେବ
ବେଳବୁଡି଼ବା ପୂର୍ବରୁ l
ଏବେ ବର୍ଷା ନାହିଁ ଖରା ନାହିଁ
ନାହିଁ ଆକାଶେ ସୁରୁଜ
ହୋଇଲାଣି ବାହୁଡ଼ିବା ବେଳ
ପଶୁକୁ ଖୁଆଇ ଖୁଆଡ଼େ ପୁରାଇ
ରଚିବାକୁ ହେବ ଆପଣା କୁଟୀରେ
କୁଟୀର ଶୀଳ୍ପ
ବଢ଼ାଇବାକୁ ଆର୍ଥିକ ସମ୍ବଳ l
ବର୍ଷା ଯିବ
ବିତିବ ହେମନ୍ତେ କାର୍ତ୍ତିକ
ଆସିଲେ ମଗୁଶୀର
ସୁନେଲି ଢେଉରେ
ନାଚି ଉଠିବ ଧାନ କ୍ଷେତ
ପୁଷ ମାସେ ହାଡ଼ଭଙ୍ଗା ଶୀତେ
ହସିବ ଧାନ ଖଳା
ବିଜେକରିବେ ମାଆ
ଢାଙ୍କି ଅଭୟ ପଣତ l
