ପାର୍ଥକ୍ୟ
ପାର୍ଥକ୍ୟ
ସଂକୀର୍ଣ୍ଣମନା ହିଁ କେବଳ ଦେଖଇ
ନିଜ ପରର ପାର୍ଥକ୍ୟ
ଆତ୍ମଜ୍ଞାନୀ କେହି କେବେ ଭାବିବାକୁ
ନୁହଁଇ ମନରେ ଶକ୍ୟ ।
ତା'ର ଜ୍ଞାନନେତ୍ର ପାଖେ ଶୁତ୍ରୁ ମିତ୍ର
ସମଦର୍ଶୀ ସ୍ବର ତୋଳେ
ନିରପେକ୍ଷ ଭାବ ଚିନ୍ତା ଚେତନାର
ପ୍ରଶସ୍ତି ଗାୟନ କରେ ।
ଭାଇ ଭାଇ ମଧ୍ୟେ ରକ୍ତର ସମ୍ପର୍କ
ଥିଲେ ବି ମନ ଅମେଳ
ନିଜ ରକ୍ତ କେହି ନଥିଲେ ବି ହୋଇ
ବନ୍ଧୁତା ଭରଇ ବଳ ।
ଭଲ ପାଇବାର ବୀଜଟିଏ ଯେବେ
ହୃଦେ କେ କରେ ବପନ
ଅପରକୁ ମଧ୍ୟ ଦେଇପାରେ ବାନ୍ଧି
ତାହାର ଆପଣାପଣ ।
ଭଲ ଆଉ ମନ୍ଦ ଭିତରେ ପାର୍ଥକ୍ୟ
ବାଛି ଯେ କରଇ କର୍ମ
ସମାଜ ହିତରେ ସମର୍ପଣ ସ୍ବରେ
ପାଳଇ ମାନବ ଧର୍ମ ।
ଗୁଣ ଅବିଗୁଣ ପାରଇ ଯେ ବାରି
ଗୁଣୀଟିଏ ସେ ବୋଲାଏ
ବାକ୍ଯ କରମରେ ରଖି ସମତାନ
ସକଳ ପରାଣ ମୋହେ ।
ପ୍ରାଣୀ ଉଦ୍ଭିଦଙ୍କ ମଧ୍ୟରେ ପାର୍ଥକ୍ୟ
ଥିଲେ ବି ସଭିଏଁ ଜୀବ
ଚେତନ ହେଉ ବା ଅଚେତନ ହେଉ
ମିତ୍ରତା ସକଳ ନାବ ।
ଯେହେତୁ ପ୍ରକୃତି କୋଳରେ ସକଳେ
ନିଜ ନିଜ ଉପାୟରେ
ପରସ୍ପର ପାଇଁ କରନ୍ତି ମଙ୍ଗଳ
ଐଶ୍ବରୀୟ ପ୍ରେରଣାରେ ।