ମାଆ ପରି କିଏ ହେବ
ମାଆ ପରି କିଏ ହେବ
ମାଆ ପରି କେହି ଜଗତରେ ନାହିଁ
ମମତା ବୋଳା ତା' କୋଳ,
ସନ୍ତାନକୁ ମିଳେ ସ୍ବର୍ଗସୁଖ ସେଠି
ବଢ଼ିଥାଏ ମନୋବଳ ।
ଝୁଣ୍ଟି ପଡ଼ି ଗଲେ ମୋ ଧନ ଡେଇଁଲା
ପୋଛିଦିଏ ଲୁହ କହି,
ଅଝଟ କରିଲେ ବୁଝାଇ ସୁଝାଇ
ମନକୁ ନିଅଇ ମୋହି ।
ଧୂଳି ଖେଳ ସାରି ଫେରି ଆସୁଥିଲେ
ପଣତରେ ଝାଡି ଦେଇ,
ବୁଝାଇ କହଇ ସୁନା ପିଲାମାନେ
ଅସନା ହୁଅନ୍ତି ନାହିଁ ।
ଫୁଲ, ପ୍ରଜାପତି, କଙ୍କିକୁ ଦେଖାଇ
ମନକୁ ଭୁଲାଇ ଦେଇ,
କାଖରେ ବସାଇ ଅତି ସରାଗରେ
ଯତନେ ଦିଏ ଖୁଆଇ ।
ଜ୍ୱର ଥଣ୍ଡା ହେଲେ ନାକର ଶିଙ୍ଘାଣି
ହାତରେ ସେ ପୋଛିଦିଏ,
ସେବା ଯତ୍ନ କରି ପୁଣି ପାଖେ ବସି
ଦେହକୁ ଆଉଁସୁଥାଏ ।
ରୁଷି ବସିଥିଲେ କେତେ ଗେଲ କରି
ତା' ମିଠା କଥାରେ ମୋହେ,
ନିଜେ କଷ୍ଟ ସହି ସନ୍ତାନ ଅଭାବ
ପୂରଣରେ ମନ ଦିଏ ।
ଭୁଲ କରିଦେଲେ ତା' ଆକଟେ ପୁଣି
ଲୁଚିଥାଏ ତା' ମମତା,
ମାଡ଼ଗାଳି ପରେ ତା'ର ଆଖି ଲୁହ
କହିଦିଏ ସେହି କଥା ।
ଝାଡା, ପରିସ୍ରାକୁ ନଥାଏ ବିକାର
ହାତେ କରେ ପରିଷ୍କାର,
ସୁଝି ପାରେ ନାହିଁ ତାର ଋଣ କେହି
ଜନମି ଏହି ସଂସାର ।
ମାଆ ପରା ଅଟେ ମମତାର ଗଙ୍ଗା
ବହୁଥାଏ ସବୁବେଳେ,
ଅବୋଧ ସନ୍ତାନେ ହେୟ ନମଣରେ
ସେ ମାଆକୁ କେତେବେଳେ ।
ସେ ତୁମ ଜୀବନ ପ୍ରଥମ ଦର୍ଶନ
ଆଗକୁ ବଢ଼ିବା ରାହା,
ତୁମେ ତାର ଧନ, ଯଶ, ଗଉରବ
ପରିଣତରେ ବି ସାହା ।
ତାର ହାତ ଯେବେ ଥିବ ତୁମ ମୁଣ୍ଡେ
ଘୁଞ୍ଚିବ ସବୁ ବିପଦ
ତୁମ ଚଲାପଥେ ସାଉଁଟି ଚାଲିବ
କେତେ ଯେ ସୁଖ ସମ୍ପଦ ।
ମାତୃପ୍ରେମ ରସ ଯିଏ ତ ଚାଖିଛି
ସେହି ଏ ଧରା ଭୂମିରେ,
ଉତ୍ତମ ସନ୍ତାନ ଭାବେ ହୁଏ ଗଣ୍ୟ
ସଫଳ ହୁଏ କର୍ମରେ ।
ଆଜି ସେହି ମାଆ ହୋଇ ଅସହାୟା
ଜରାଶ୍ରମେ ଖୋଜେ ବାସ,
ଅଧମ ସନ୍ତାନେ ଜଗାଇ ହୃଦୟ
ନକର ତାକୁ ବିବଶ ।
ତାର ଆଶୀର୍ବାଦେ ତୁମେ ହିଁ କେବଳ
ତୋଳିବ ସୁନା ସଂସାର,
ଏଥିରୁ ବିଚ୍ୟୁତ ହୋଇଲେ ଜାଣିବ
ଜୀବନ ତୁମ ଅସାର ।
