ପ୍ରେରଣା
ପ୍ରେରଣା
ପ୍ରେରଣା ଶବ୍ଦଟି ଶୁଭଙ୍କରୀ ଅଟେ
ପ୍ରତି ଜୀବନର କର୍ମ ଚାଳିଶା
ପ୍ରେରଣା ଦାତା ଓ ଗ୍ରହୀତା ଉଭୟେ
ସମାଜ ପାଇଁ ତ ଦେଖାନ୍ତି ଦିଶା |
ପ୍ରେରଣା ଭରଇ ଜୀବନେ ଉତ୍ସାହ
ଝରାଇ ଥାଏ ସେ ଅମୃତ ଝର
ସର୍ବଦା କାରକ ଅଟଇ ପ୍ରେରଣା
କର୍ମ ପାଇଁ ଦିଏ ଉଚିତ ମାର୍ଗ ।
ପ୍ରେରଣା କରଇ ବ୍ୟକ୍ତିତ୍ଵ ବିକାଶ
ପ୍ରେରଣା ଅଟଇ ପ୍ରେମ ଅମୃତ
ପ୍ରେରିତ ହେବାର ବ୍ୟକ୍ତି ସଦା ଜାଣେ
ପ୍ରେରଣା ର ଅଛି କେତେ ମହତ୍ତ୍ଵ ।
ପ୍ରେରଣା ରେ ସ୍ଥିତ ବିକାଶ ପ୍ରଗତି
ପ୍ରେରଣା ଜନ୍ମ ରୁ ପ୍ରେରିତ କରେ
ପଡ଼ି ବାର ବାର ଚାଲିବା ପ୍ରେରଣା
ଆମ ପରିବାର ଶିଖାଇ ଥାଏ ।
ପ୍ରେରଣା ଦିଅଇ ମନୋବଳ ପୁଣି
ଭଙ୍ଗା ମନ ପୁଣି ସଜାଡି ହୁଏ
ପ୍ରେରଣା କର୍ମରେ ସୁଧାର ଆଣଇ
ପ୍ରେରିତ ବ୍ୟକ୍ତିଟି ନିଜକୁ ଚିହ୍ନେ ।
ପ୍ରେରଣା ବଢାଏ ଆମର ଦକ୍ଷତା
ପ୍ରେରଣାରେ ଭରା ଶୁଭ ମଙ୍ଗଳ
ପ୍ରେରଣା ଆମକୁ ନିର୍ଭୟ କରଇ
ଲିଭାଇ ଦିଏ ସେ ଭୟର ଛଳ |
କ୍ଲାନ୍ତ ଶ୍ରାନ୍ତ ମନେ ଦୃଢତା ଆଣଇ
ନୂତନ ଭାବନା ଜଗାଇ ଥାଏ
ଏହି ପ୍ରେରଣା ରେ ପଙ୍ଗୁ ଲଙ୍ଘେ ଗିରି
ଜୀବନେ ମହକ ଭରି ଯେ ଯାଏ l
ପ୍ରେରଣାରେ ଦସ୍ୟୁ ବାଲ୍ମୀକ ହୋଇଲେ
ଦେଇଗଲେ କେଡ଼େ ସୁନ୍ଦର ଗ୍ରନ୍ଥ
ଅର୍ଜ୍ଜୁନ ପ୍ରେରିତ ମାଧବ କଥାରେ
ଧର୍ମ ପାଇଁ ପୁନଃ ଧରିଲେ ଅସ୍ତ୍ର ।
ଶାସ୍ତ୍ରରୁ ପୁରାଣ ଏ ଆମ ଜୀବନ
ପ୍ରେରଣାର ଉତ୍ସେ ଦଣ୍ଡାୟ ମାନ
ଆଦର୍ଶ ବ୍ୟକ୍ତିତ୍ଵେ ପ୍ରେରିତ ହୋଇ ଯେ
ପ୍ରତିଭା ମାନଙ୍କ ହୋଇଛି ଜନ୍ମ |
ଘର, ବାଲିଘର, ଗାଁ ଦାଣ୍ଡ ଖେଳ
ସବୁଠି ପ୍ରେରଣା ଦେଖାଏ ବାଟ
ପ୍ରେରଣା ଅଟଇ ଜୀବନ ଧାରକ
ପ୍ରେରଣା ବିହୁନେ ସବୁ ଯେ କଷ୍ଟ ।
ପ୍ରେରଣା ରେ ପରା ଅସଜଡା ମନେ
ପ୍ରଭୁ ଚେତନାର ଜାଗ୍ରତ ହୁଏ
ସାଗର ର ଉର୍ମି ବେଳା ଭୂମି ଛୁଇଁ
ମୋହ ଭାଙ୍ଗିବାକୁ କହୁ ଯେ ଥାଏ ।
ଛୋଟ ପିମ୍ପୁଡ଼ି ବି ପ୍ରେରିତ କରଇ
କହିଥାଏ ସିଏ ଶୃଙ୍ଖଳା କଥା
ମହୁ ମାଛି ଜାଣେ ମହୁ ନୁହେଁ ତାର
କର୍ମ କରେ ମନେ ନ ଥାଏ ବ୍ୟଥା ।
ପ୍ରେରଣାର ଉତ୍ସ ଭରି ରହିଅଛି
ପ୍ରେରିତ ହୋଇବା ଆମର କାମ
ପ୍ରେରଣା ଜୀବନେ ଆଲୋକ ବର୍ତ୍ତିକା
ପ୍ରେରଣାରେ ତୁଟେ ଯେତେକ ଭ୍ରମ ।
ପ୍ରେରଣା କେବଳ କରିବା ଜାଣିଛି
ହାରିବା କଥା ତ ଶିଖାଏ ନାହିଁ
ପ୍ରେରଣା ରେ ମନ ହୁଏ ଉତ୍ଫୁଲ୍ଲିତ
ସତେଜ ଭାବନା ଭରି ଦିଅଇ ।
ପ୍ରେରଣା ଆମର ଜୀବନ ଅନ୍ଧାରେ
ଆଲୋକର ଶିଖା ଚିର ଉଜ୍ବଳ
ପ୍ରେରଣାର ମୂଲ୍ୟବୋଧକୁ ବୁଝିଲେ
ଜୀବନ ହୋଇବ ସ୍ନିଗ୍ଧ ସଲିଳ ।
