ଆମେ ବିଜୟୀ ହେବା ସେଦିନ
ଆମେ ବିଜୟୀ ହେବା ସେଦିନ
ଛାଡ଼ି ନିଜ ସ୍ବାର୍ଥ ସମୂହ ସ୍ବାର୍ଥରେ
ଯେବେ ଭରିରଖୁଥିବା ମନ
ସକଳ ହସରେ ନିଜ ମୁହଁ ଦେଖି
ପୁଲକିତ ହେଉଥିବ ପ୍ରାଣ ।
ଦାୟିତ୍ୱ କର୍ତ୍ତବ୍ୟ କରି ଏକାକାର
ପରିବାରଠୁ ଦେଶ ପର୍ଯ୍ୟନ୍ତ
ନିଜ ସ୍ବାଭିମାନେ ତୋଳି ବଂଶୀ ସ୍ବନ
ଦୁଃଖ ଦୈନ୍ୟତା ନିଶ୍ଚେ ଅନ୍ତ ।
କରିବାକୁ କର୍ମ ପ୍ରଚେଷ୍ଟା ଉଦ୍ୟମ
ଶ୍ରମ ରଥେ ଚଢ଼ି ଚଢି ନିତି
ଶସ୍ୟଶ୍ଯାମଳା ସମୃଦ୍ଧିଶାଳୀ
ଦେଶେ ହୋଇବା ଆମେ ଗଣତି ।
ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାଠୁ ସକଳ
ଜ୍ଞାନରେ ଆଗୁଆ ହୋଇ ଆମେ
ପ୍ରଗତିର ଧ୍ବଜା ଉଡ଼ାଇ ଚାଲିବା
ପ୍ରତ୍ୟେକ ନିଜ ନିଜର କର୍ମେ ।
ହିଂସା ପ୍ରତିହିଂସା ନତୋଳି ମନରେ
ଶାନ୍ତି ମୈତ୍ରୀ ପ୍ରୀତି ଆବୋରିବା
ସ୍ବାଧୀନ ଭାବରେ ନିଜ ମନୋଭାବ
ଅକ୍ଳେଶରେ ଖୋଲି ପାରୁଥିବା ।
ନଥିବ ନାରୀର ଶୋଷଣ କଷଣ
ନିଜ ମାଆ ମୁଖ ଦେଖି ନେତ୍ରେ
ସମବେଦନାରେ ହୃଦୟ ଭିଜିବ
ପୁରୁଷ ପାଇଁ ବି ହୃଦତନ୍ତ୍ରେ ।
ଦାଦନ ଶ୍ରମିକ ପିଲା ବିକ୍ରୀ ପୁଣି
ହଟାଇ ଦେବା ଶିଶୁ ଶ୍ରମିକ
ଆମର ଉନ୍ନତି ଦେଶର ପ୍ରଗତି
ପଥେ ନହେବା କେବେ ବାଧକ ।
ଅରାତି ମୁହଁରେ ବୋଳି ପ୍ରୀତି ରଙ୍ଗ
ସୂଚାଇବା କେହି ନୁହେଁ ଭିନ୍ନ
ସଭିଏଁ ଧରଣୀ ମାଆର କୋଳରେ
ତାହାର ଜଣେ ଜଣେ ସନ୍ତାନ ।
ନାହିଁ ଜାତି, ଧର୍ମ, ବର୍ଣ୍ଣ ବିବିଧତା
ସକଳ ମୁଖେ ଏକତ୍ବ ସ୍ବନ
ଶୁଭୁଥିବ ଯେବେ ମିତ୍ରତା କୋଳେଇ
କରିତ୍କର୍ମା ଆମେ ଗଣ୍ୟ ।
ଆମ ସ୍ବାଭିମାନ ଆମର ବିଭବ
କରି ଆମ ମଥାକୁ ମଣ୍ଡନ
ଯେଉଁଦିନ ନେବ ପୁଣ୍ୟ ପଥରେ
ଆମେ ବିଜୟୀ ହେବା ସେଦିନ ।
