ଅମ୍ବୁ ବଚି ମେଳା
ଅମ୍ବୁ ବଚି ମେଳା
ଯା ଦେବୀ ସର୍ବ ଭୂତେସୁ ମାତୃ ରୁପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନାମସ୍ତସୈ ନମୋ ନମଃ ।
ଶୁଣ ସୁଜ୍ଞ ଜନେ କହୁଛି କାମାକ୍ଷାଙ୍କ ପୁରାଣ
ପଢ଼ିଲେ ଶୁଣିଲେ ଜୀବନୁ ପାପ ହୁଏ ହରଣ ।
ଜଗତ ଜନନୀ ମାତା ଗୋ ଧରା ଆପଦ କାଳେ
ତୋର ଆଶୀର୍ବାଦେ ଅଧର୍ମ ନାଶ ହୁଅଇ ହେଳେ ।
କେତେବେଳେ ଯୋଗମାୟା ତୁ କେତେବେଳେ ମଙ୍ଗଳା
କେତେବେଳେ ଚଣ୍ଡୀ ଚାମୁଣ୍ଡା ରୂପେ କରୁଛୁ ଲୀଳା ।
ଅପାର ମହିମା ତୋହର କେହି ନ ପାଏ ଭେଦ
ସର୍ବ ଦେବାଦେବୀ ଧ୍ୟାୟନ୍ତି ସଦା ତୋହରି ପାଦ ।
ଦକ୍ଷ ରାଜାଙ୍କର ସୁତା ତୁ ମାଲୋ ନାମଟି ସତୀ
ପତି ଅପମାନ ନ ସହି ହେଲୁ ଯଜ୍ଞେ ଆହୁତି ।
ମହା ଦକ୍ଷ ଯଜ୍ଞ କୁଣ୍ଡରେ ତୋର ହୋଇଲା ଅନ୍ତ
ଶବ କନ୍ଧେ ଧରି ଶିବ ଯେ କଲେ ତାଣ୍ଡବ ନୃତ୍ୟ ।
ମହା ରୁଦ୍ର ଶକ୍ତି ଯାହାର ଥାନ୍ତି ପ୍ରାଣ ଦେବତା
ସୃଷ୍ଟିରେ ବିଲୟ ନୋହିବ କେବେ ତାହାର ସତ୍ତା ।
ତାଣ୍ଡବ ନୃତ୍ୟରେ ଥରିଲା ସାରା ବିଶ୍ବ ବ୍ରହ୍ମାଣ୍ଡ
ଘଡିକେ ମେଦିନୀ ହୋଇବ ସତେ ଖଣ୍ଡ ବିଖଣ୍ଡ ।
ସୃଷ୍ଟିର ବିଲୟ ହୋଇବ ବିଷ୍ଣୁ ମଣିଲେ ମନେ
ଚକ୍ର ପେଶି ସତୀ ଅଙ୍ଗକୁ କାଟି ଫିଙ୍ଗିଲେ କ୍ଷଣେ ।
ଏକାବନ ଖଣ୍ଡ ବିଶେଷ ପଡ଼ି ମର୍ତ୍ତ୍ୟ ଭୂମିରେ
ମହାଶକ୍ତି ପୀଠ ନାମରେ ପୂଜା ପାଉ ଏଠାରେ ।
ଯୌନାଙ୍ଗ ଜରାୟୁ ପଡ଼ିଲା ଆସି ଗୌହାଟିରେ
କରତୋୟା ବ୍ରହ୍ମପୁତ୍ରର ତିନି କୋଣ ଭୂମିରେ ।
ସେ ଦିନୁ ସେ ପୀଠ ହୋଇଲା ମହାଯୋନିର ପୀଠ
ଏକାବନ ପୀଠ ମଧ୍ୟରେ ସେହୁ ସର୍ବାଗ୍ରେ ଶ୍ରେଷ୍ଠ ।
ଉଛୁଳି ପଡ଼ଇ ପୀଠଟି ନିତି କେତେ ଭକତ
ମାଆ କାମାକ୍ଷାଙ୍କ ନାମରେ ହେଲା ପରିଗଣିତ ।
ସ୍ଥଳ ଭାଗଠାରୁ କୋଡ଼ିଏ ଫୁଟ ତଳେ ମନ୍ଦିର
ମୂର୍ତ୍ତି କି ପ୍ରତିମା ନ ଥାଏ କୁଣ୍ଡ କୁଣ୍ଡଳାକାର ।
ସିଂହାସନଟିଏ ମନ୍ଦିର ମଧ୍ୟେ ପାଏଟି ପୂଜା
ନାନା ରକମର ଫୁଲର ଯେହୁ ସର୍ବଦା ସଜ୍ଜା ।
ଅଣ ଓସାରିଆ ସିଡିଟେ ସିଂହାସନ ପଛରେ
ପୁଷ୍କରିଣୀଟିଏ ତଳକୁ ଗଲେ ସିଡି ପଥରେ ।
ପୁଷ୍କରିଣୀ ମଧ୍ୟ ଭାଗରେ ପାଟ ନାଲି କପଡ଼ା
ଘୋଡାଇ ରଖିଛି ଯତନେ ମାତା ଜରାୟୁ ପରା ।
ଯେ ଦିନୁ ପଡ଼ିଲା ଜରାୟୁ ବିଷ୍ଣୁ ଦେବ ଫିଙ୍ଗିଲେ
ସେ ଦିନୁ ବୋଲାଏ ପୀଠଟି ଯୋନି ପୀଠ ଭବରେ ।
ଆଷାଢ଼ ସପ୍ତମୀ ତିଥିରେ ଏଠି ହୁଅଇ ମେଳା
ଆମ୍ବୁବଚି ମେଳା ନାମରେ ଯାହା ପ୍ରସିଦ୍ଧ ପରା ।
ତିନି ଦିନ ଧରି ହୁଅଇ ନାନା ଉତ୍ସବ ଏଠି
ମାତା ରଜସ୍ୱଳା ହୁଅନ୍ତି ଶାସ୍ତ୍ର ଯାହା କହେଟି ।
ପୁଷ୍କରିଣୀ ଜଳ ହୁଅଇ ରକ୍ତ ବର୍ଣ୍ଣ ସଦୃଶ
ପ୍ରସାଦ ସ୍ୱରୂପ କୁଆଁରୀ ଲଭେ ମାତା ପରଶ ।
ରୋଗ ଦୁଃଖ କଷ୍ଟ କ୍ଷଣିକେ ମାଲୋ ଦେଉ ଦୂରେଇ
ନୂଆ ସକାଳର ସୁରୁଜ ନିତି ମନେ ଉଅଁଇ।
ପୁରୋହିତ ଥାନ୍ତି ମହିଳା ତିନି ଦିନକ ପାଇଁ
ପୁରୁଷ ପ୍ରବେଶ ନ ଥାଏ ମାତା ଅଶୁଦ୍ଧି ଥାଇ ।
ଚାରି ଦିନ ପରେ ମାତା ଯେ କରେ ଶୁଦ୍ଧ ସ୍ନାହାନ
ଝଲସି ଉଠଇ ମନ୍ଦିର ପୁଣି ଭକତ ମନ ।
ପ୍ରତି ମାସେ ତିନି ଦିନ ଯେ ହୁଏ ମନ୍ଦିର ରୋଧ
ଦର୍ଶନ ପାଇଁକି ପ୍ରବେଶ ଏଠି ଥାଏ ନିଷେଧ ।।
ନବରାତ୍ର ପୂଜା ହୁଅଇ ବଡ ଆଡ଼ମ୍ବରରେ
କାହୁଁ କେତେ ଭକ୍ତ ଆସନ୍ତି ମାଲୋ ଭକତି ଭରେ ।
ଅର୍ପି ଦେଉ ମାଲୋ ସାହାସ ଧୈର୍ଯ୍ୟ ଭକ୍ତ ମନର
ତୋର ବାହୁ ବଳେ ପଙ୍ଗୁ ଯେ ଲଂଘେ ସପ୍ତ ସାଗର
କାଉଁରୀ କାମାକ୍ଷା ନାମରେ ମାଲୋ ତୁହି ପ୍ରସିଦ୍ଧ
ତୋର ଦୟା ବଳେ ତାନ୍ତ୍ରିକ ସଦା ଲଭଇ ସିଦ୍ଧ ।
ମନ୍ତ୍ର ତନ୍ତ୍ର ପୀଠ ନାମରେ ପୁଣି ଜଗତେ ଜଣା
ତୋର ଦୟା ବିନା ଅଘୋରୀ ସଦା ହୁଅଇ ବଣା ।
ଭେଣ୍ଡାକୁ କରନ୍ତି ମେଣ୍ଢା ମା ଏକା ତୋ ଦୟା ବଳେ
ଶୁଣି ଥିବା କଥା ଦେଖୁଛି ଆଜି ଚର୍ମର ଡୋଳେ ।
ଦୟା କରିଥିବୁ ମାଆଲୋ ଗଲି ଶରଣ ପାଦେ
ନିତି ନାମ ଗୁଣ ରଚନା କରୁ ଥିବି ମୁଁ ପଦେ ।