ଜୀବେ ଦୟା
ଜୀବେ ଦୟା
କୁକୁଡ଼ା ଓ ଛେଳି ସାଥେ ହ୍ବନ୍ତି ଭାଳି
ଘୁଞ୍ଚିଲା ମରଣ ଭୟ,
ଦେଖିବା ନେତ୍ରର ଧର୍ମ ନାମେ ନର
କରେ ଯାହା ଅଭିନୟ ।
କିଛି ତ ଅଛନ୍ତି ଭକ୍ତିରେ କରନ୍ତି
ପଞ୍ଚୁକ ବ୍ରତ ସମ୍ପନ୍ନ,
ବିଭୂ ପଦ ଛଡ଼ା ଅନ୍ୟ କିଛି ଲୋଡ଼ା
ଚିନ୍ତେ ନାହିଁ ତାଙ୍କ ମନ ।
ଆଉ କେତେ ଜଣ ବାଧ୍ଯ ତାଙ୍କ ମନ
ପ୍ରେମର ପୁରୁଷ ପାଇଁ,
ଆମିଷ ବର୍ଜନ କରେ ପାଞ୍ଚଦିନ
ପ୍ରୀତିକୁ ସମ୍ମାନ ଦେଇ ।
ବାକି ମଣିଷଙ୍କ ମନେ ପାପ ପଙ୍କ
ସଦାବେଳେ ଥାଏ ଭର୍ତ୍ତି,
ଜନ୍ମରୁ ସେମାନେ ଭୟ ଭକ୍ତି ମନେ
କେବେ ବି ଆଣି ନଥାନ୍ତି ।
ଜୀବେ ଦୟା ଭାବ ମନରେ ଅଭାବ
ରାକ୍ଷସ ପ୍ରବୃତ୍ତି ଯାର,
ଦେଖିଲେ ଆମିଷ ହୁଏ ଅମଣିଷ
ଲାଳ ଗଡ଼ିବାଟା ସାର ।
ଏ ସଂସାରୀ ଜୀବ ଅହିଂସାର ଭାବ
ହୃଦୟ ମଧ୍ୟରେ ଧରି,
କହୁଥାଏ ପ୍ରଭୁ କ୍ଷମା କର ସବୁ
ଅମଣିଷ ଦୁରାଚାରୀ ।