ଶ୍ରୀକାର୍ତ୍ତିକେୟ ବନ୍ଦନା
ଶ୍ରୀକାର୍ତ୍ତିକେୟ ବନ୍ଦନା
ନମଃ ଦେବ ସେନାପତି ଗଉରୀ ନନ୍ଦନ l
ତାରକ ନିଧନ ଅର୍ଥେ ହେଲ ଉତ୍ପନ ll
କଠୋର ତପଶ୍ଚରଣେ ମାତା ଅନ୍ନପୂର୍ଣ୍ଣା l
ପର୍ଣ୍ଣ ସୁଦ୍ଧା ନ ଭକ୍ଷିଲେ,ବିଦିତ ଅପର୍ଣ୍ଣା ll
ତପବଳେ ଆଶୁତୋଷ ଗିରୀଶ ମଜାଇ l
ତୁମ୍ଭଙ୍କୁ ଲଭିଲେ ସ୍କନ୍ଧମାତା ମହାଦେଈ ll
ଚନ୍ଦ୍ର, ସୂର୍ଯ୍ୟ କାନ୍ତି ତଵ ଅତୀବ ସୁନ୍ଦର l
ଦେବକାର୍ଯ୍ୟ ସାଧନରେ ରହିଲ କୁମାର ll
ଦକ୍ଷିଣ ରାଇଜେ ତୁମ୍ଭ ନାମ ମୁରୁଗନ l
କୁମାର ସ୍ୱାମୀ, ମୁରୁଗ, ସୁବ୍ରମଣ୍ୟମ ll
ବାହନ ତୁମ୍ଭର ଅଟେ ସୁନ୍ଦର ମୟୂର l
ଭୁଜଙ୍ଗେ ପଳାଇଯାନ୍ତି ରଡ଼ି ଶୁଣି ଯାର ll
ଭ୍ରାତା ତୁମ୍ଭର ଅଟନ୍ତି ଗଣେଶ ବିଦ୍ୱାନ l
ଅଗ୍ରପୂଜ୍ୟ, ବିଘ୍ନରାଜ ପ୍ରଭୁ ଗଜାନନ ll
ଜନ୍ମକାଳେ ଷଡ଼ମାତା ଦେଲେ କ୍ଷୀରପାନ l
ତାରକ ଜିତେ ବହିଲ ନାମ ଷଢ଼ାନନ ll
କୃତ୍ତିକା ନକ୍ଷତ୍ର ଯୋଗେ ଜନମ ଲଭିଲ l
କାର୍ତ୍ତିକେୟ ତେଣୁକରି ନାମକୁ ବହିଲ ll
କ୍ରୋଉଞ୍ଚ ନାମରେ ତୁମ୍ଭେ ବଧି ରାକ୍ଷସ କୁ l
ବହି ଅଛ ଦେବ କ୍ରୋୖଞ୍ଚଦାରୁଣ ନାମକୁ ll
କୁମାର ସମ୍ଭବ କାବ୍ୟେ କବି କାଳିଦାସ l
ଉଦାତ୍ତ କଣ୍ଠେ ତୁମ୍ଭର ଗାଇଗଲେ ଯଶ ll
ତୁମ୍ଭ ଶ୍ରୀମୁଖ ନିଃସୃତ ଶ୍ରୀ ସ୍କନ୍ଧ ପୁରାଣ l
ଚରିତ ତୁମ୍ଭର ପ୍ରଭୁ ହୋଇଛି ବଖାଣ ll
ପୁଣ୍ୟ କାର୍ତ୍ତିକେ ତୁମ୍ଭର ହୁଏ ଦିବ୍ୟ ପୂଜା l
ନମସ୍ତେ ଗଜବଦନ, ଶଙ୍କର, ଗିରିଜା ll
