ପୁଣ୍ୟ ପଞ୍ଚୁକ
ପୁଣ୍ୟ ପଞ୍ଚୁକ
କାର୍ତ୍ତିକ ମାସକୁ ପୁଣ୍ୟ ମାସ ବୋଲି
ଜାଣିିଥାଆନ୍ତି ସଭିଏଁ ।
ଶେଷ ପାଞ୍ଚଦିନ କାର୍ତ୍ତିକ ମାସର
ପୁଣ୍ୟ ପଞ୍ଚୁକ ବୋଲାଏ ।୧।
ଭୀଷ୍ମ ପଞ୍ଚକ ବା ବକ ପଞ୍ଚକ ବୋଲି
ବି କୁହାଯାଏ ତାକୁ ।
ପୁଣ୍ୟ ପଞ୍ଚୁକ କାର୍ତ୍ତିକ ମାସେ ଆସେ
ଅଛପା ଏହା କାହାକୁ ?୨।
ବଡ ଏକାଦଶୀ ଦିନ ଠାରୁ ଏ ପୁଣ୍ୟ
ପଞ୍ଚୁକ ପାଞ୍ଚ ଦିନ ।
ପାଳନ ହୁଅଇ ବଗ ଏ ଦିନରେ
ଆମିଷ ନଖାଏ ଜାଣ ।୩।
ପ୍ରାତଃସ୍ନାନ ଆଉ ଦେବ ଦରଶନ
ହବିଷ ଅନ୍ନ ଭୋଜନ ।
ତୁଳସୀଚଉରା ମୂଳେ ସନ୍ଧ୍ୟାକାଳେ
ଆକାଶଦୀପ ପ୍ରଦାନ ।୪।
ପୁଣ୍ୟ ପଞ୍ଚୁକରେ ଏଇ ଚାରି କର୍ମ
ନିଷ୍ଠାପର ଭାବେ କରି ।
ଭକତି ଭାବରେ ଦିନ କଟାଇବ
ଭଜି ଦାମୋଦର ହରି ।୫।
ହର ହରିଙ୍କର ଦର୍ଶନ କରିବା
ଏଇ ପୁଣ୍ୟ ପଞ୍ଚୁକରେ ।
p>
ଶ୍ରୀଜଗନ୍ନାଥଙ୍କ ଦର୍ଶନ ମିଳିବ
ନିତି ବିବିଧ ବେଶରେ ।୬।
ଏକାଦଶୀ ଦିନ ଲକ୍ଷ୍ମୀନାରାୟଣ
ବାଙ୍କଚୂଡା ଦ୍ଵାଦଶୀରେ ।
ତ୍ରୟୋଦଶୀ ତ୍ରିବିକ୍ରମ ଲକ୍ଷ୍ମୀନୃସିଂହ
ବେଶ ଚତୁର୍ଦ୍ଦଶୀରେ ।୭।
କାର୍ତ୍ତିକ ପୂର୍ଣ୍ଣମୀ ରାଜରାଜେଶ୍ଵର
ବେଶ ପଞ୍ଚୁକ ଛ ଦିନ ।
ପଡିଗଲେ କେବେ ମହାପ୍ରଭୁଙ୍କର
ବେଶ ହୁଏ ନାଗାର୍ଜୁନ ।୮।
ପୁଣ୍ୟ ପଞ୍ଚୁକରେ ଧବଳେଶ୍ବରଙ୍କ
ବଡଓଷା ବ୍ରତ ରଖ ।
ପ୍ରୀତ ହେବେ ବାବା ସଫଳ ହୋଇବ
ତୁମର ପୁଣ୍ୟ ପଞ୍ଚୁକ ।୯।
ପରମ୍ପରା ଆମ ଡଙ୍ଗା ଭସାଇବା
ପୂର୍ଣ୍ଣମୀ ସକାଳୁ ଉଠି ।
ଆକାମାବୈ ଗାଇବା ହରଷେ
ଡଙ୍ଗା ଆସିବ ଲେଉଟି ।୧୦।
କ୍ରୋଧ କପଟ କଟୁବଚନ କୁସଙ୍ଗ
କାମନା ତ୍ଯାଗ କର ।
ପୁଣ୍ୟ ପଞ୍ଚୁକ ର ପୁଣ୍ୟ ମାସ ଫଳ
ଲଭିବ ତୁମେ ଅପାର ।୧୧।