ପାର୍ଥକ୍ୟ
ପାର୍ଥକ୍ୟ
ଗରିବ ଚୋବାଏ ଚାଉଳ ମୁଠାଏ
ଦରିଦ୍ରର ଆଖ୍ୟା ପାଏ
ଧନୀ ଚୋବାଇଲେ ସମାଜ ଆଖିରେ
ଖୁସିରେ ଚୋବାଉ ଥାଏ ।
କେବେ ଗରିବଟା କଲେ ଭୁଲ ଭଟା
ସତେକି ସବୁରି ଶାଳୀ
ଧନୀ ବ୍ୟକ୍ତି ଯେବେ ଭୁଲ କରେ କେବେ
ସଭିଏଁ ଯାନ୍ତି ପାଶୋରି ।
ଗରିବଟା ଯେବେ ମାମଲତକାର ହୁଏ
ସବୁ ଅଠା ତାର ମୁଣ୍ଡେ
ଧନୀ ମାମଲତକାର ଯେତେ ଭୁଲ ତାର
ଧରନ୍ତିନି କେହି ତୁଣ୍ଡେ ।।
ଗରିବଟି ଯେବେ ଭଲ ଲୁଗା ପିନ୍ଧେ
କରନ୍ତି ଟାହି ଟାପରା
ଧନୀ ହୋଇ ଯେବେ ଛିଣ୍ଡା ପିନ୍ଧିଥାଏ
ତାହାର ସଉକ ପରା ।
ସଭାରେ ଗରିବ ହକ କହୁଥିବ
ଶୁଣିବେନି କେହି କଥା
ଧନୀର ତୁଣ୍ଡରେ ମିଛ ସତ ହୁଏ
ସର୍ବେ ଟୁଙ୍ଗାରିବେ ମଥା ।
ଗାଆଁ ଭୋଜି ଭାତେ ଡାକନ୍ତି ସମସ୍ତେ
ମାମଲତକାର ସେ ହୁଏ
କଟା ବଟା ଠାରୁ ପତ୍ର ଉଠା ଯାଏ
ଗରିବଟି କରୁଥାଏ ।
ଗରିବ ଯୋଜନା ନାମ ଅଟେ ସିନା
ଧନୀଙ୍କୁ ହୁଏ ପଞ୍ଚମ
ଗରିବ ଚିଠାରେ ନାଆଁ ଲେଖି ସିଏ
ଯୋଜନା କରେ ହରଣ ।
ରାଜନୀତି ଠାରୁ ଅଫିସ ବାଡ଼ିରେ
ଧନୀର ସବୁଠି ହାତ
ଗରିବର ଧନ କରନ୍ତି ହରଣ
ଦେଇ ଲାଞ୍ଚ ମୋଟା ବିତ୍ତ ।