ପ୍ରେମ ଚିରନ୍ତନ ଶାଶ୍ବତ
ପ୍ରେମ ଚିରନ୍ତନ ଶାଶ୍ବତ
ପ୍ରେମରେ ଜୀଅଁଇ ପ୍ରେମରେ ମରଇ
ପ୍ରେମ-ସୁଧାପାୟୀ ମରତ
ଐଶ୍ବରୀୟଠାରୁ ମାନବୀୟ ଯାଏ
ପ୍ରେମ ଚିରନ୍ତନ ଶାଶ୍ବତ
ଅନୁଭବରେ
ଜାଗଇ ହୃଦେ ଶିହରଣ
ପରସ୍ପର ପ୍ରତି ଆବେଗ ଆହ୍ବାନ
ଯୋଡ଼ି ରଖେ ଦୁଇଟି ମନ ।
ଭକ୍ତ ଭଗବାନ ହୁଅଇ ମିଳନ
ଭାବମୟ ଥିଲେ ହୃଦୟ
ବିଶ୍ବାସ ଭରସା ଆପଣାପଣରେ
ମିଠା ଲାଗେ ପ୍ରୀତି ପ୍ରଣୟ
ଭାବ ବନ୍ଧନ
ତୁଟେ ନାହିଁ ଜୀବନ ସାରା
ଆହା ! କି ଅପୂର୍ବ ଜୀବ ପାଇଁ ଶୁଭ
ସେ ପ୍ରେମ-ଗୀତି ଅପାଶୋରା ।
ଶ୍ରୀରାଧା ଶ୍ରୀକୃଷ୍ଣ ସୁଦାମା ଶ୍ରୀକୃଷ୍ଣ
ସତ୍ୟବାନ ସାବିତ୍ରୀ ଗାଥା
ପ୍ରେମ ପରା ଯୁଗେ ଯୁଗେ ସମ୍ମୁଜ୍ଜ୍ବଳ
ପୁରାଣ ବର୍ଣ୍ଣଇ ସେକଥା
କଳିକାଳରେ
ଦାସିଆ ବନ୍ଧୁ ମହାନ୍ତି
ଗୌଡୁଣୀ ମାଣିକ କାଞ୍ଚି ରାଜଜେମା
ପଦ୍ମାବତୀ ଭକତି ମତି ।
ମଧୁ, ଗୋପବନ୍ଧୁ ଦୀନଜନ ବନ୍ଧୁ
ତ୍ୟାଗ, ପ୍ରେମରେ ମହକିତ
ଗାନ୍ଧୀ କସ୍ତୁରବା ଶିଖାଇଅଛନ୍ତି
ପ୍ରେମ ଆଉ ତ୍ୟାଗ ମହତ୍ତ୍ଵ
ବାଜି, ଧରମା
ଦେଶ ପ୍ରେମ ଜାତି ପ୍ରେମରେ
କାଳ ବକ୍ଷେ ଚିର ଅଜରଅମର
ରହିଥିବେ ଲୋକ ମୁଖରେ ।