ମା ଓ ମମତା
ମା ଓ ମମତା
ଗର୍ଭଧାରଣରୁ ଭୂମିଷ୍ଟ ପର୍ଯ୍ୟନ୍ତ
ସନ୍ତାନର ଯିଏ ସାହା
ସେହି ଜନ୍ମଦାତ୍ରୀ , ସ୍ନେହମୟୀ ମୂର୍ତ୍ତି
ମମତା ମୟୀ ମୋ ମାଆ ।।
ମୋ ମାଆ ପଣତ ଶ୍ରୀମନ୍ଦିର ନେତ
ମୋ ପାଇଁ ସବୁଠୁ ବଡ଼
ଥିଲେ ତା ଛାଇରେ ଛୁଏଁ ନାହିଁ କେବେ
ଖରା , ବର୍ଷା ଅବା ଜାଡ଼ ।।
ମୋ ମାଆର ପରଶ ଅମୃତ ସମାନ
ତା କୋଳ ମୋ ସରଗ ପୁର
ମୋ ମାଆ କୋଳ ମୋ ଅତି ନିଜର
ସୁଖ ପସରାର ଗନ୍ତାଘର ।।
ପୀୟୂଷ ଝରଇ ଅନ୍ତରରୁ ତାର
ନାଶଇ ଅଜ୍ଞାନ ପାପ
ମମତା ସ୍ନେହ ତା ଶୁଖାଏ ଲୁହ
ଶୁଣାଏ ଯେବେ ସେ ଗପ ।।
ଫୁଲଠୁ କୋମଳ ସ୍ନେହ ତା ମଧୁର
ଅପରୂପ ଦିବ୍ୟକାନ୍ତି
ତା ବିନା ମୋର ନାହିଁଟି ଅସ୍ତିତ୍ବ
ସେହି ମୋର ଆତ୍ମାଶାନ୍ତି ।।
ଚିର ବନ୍ଦନୀୟା , ଚିର ପୂଜନୀୟା
ମମତା ମୟୀ ମୋ ମାଆ
ତା ପରି ମିଳେନି ସାରା ଜଗତରେ
ତ୍ୟାଗର ଗୋଟିଏ ରାହା ।।
