STORYMIRROR

Sachidananda Kar

Children

3  

Sachidananda Kar

Children

ମୋତେ ସେ କରେ ଭାବୁକ କବି

ମୋତେ ସେ କରେ ଭାବୁକ କବି

1 min
150

   ଏମିତି ଏକ ସକାଳ ମୁଁ ଯେ

       କେବେ ବି ଦିନେ ଖୋଜିନି କାହିଁ

    ଯେଉଁ ସକାଳେ ଗଛର ଡାଳେ

       ହସୁ ନ ଥିବ ଫୁଲଟେ ଚାହିଁ ।। 


    ଏମିତି ଏକ ପାଦପ ମୁଁ ଯେ 

       କେବେ ବି ଦିନେ ଖୋଜିନି କାହିଁ

    ଯେଉଁ ପାଦପେ ନ ଥିବ ଶାଖା

       ନ ଦେବ ଯିଏ ଶୀତଳ ଛାଇ ।। 


    ଏମିତି ଏକ ତଟିନୀ ମୁଁ ଯେ

       କେଉଁଠି କେବେ ଖୋଜିନି କାହିଁ

    ଯେଉଁ ତଟିନୀ ଜଳଧାରାଟି

       ମିଶୁ ନ ଥିବ ସାଗରେ ଯାଇ ।। 


    ଏମିତି ଏକ ଆକାଶ ମୁଁ ଯେ

       କେବେ ବି ଦିନେ ଖୋଜିନି କାହିଁ

    ଯେଉଁ ଆକାଶେ ସୂରୁଯ ଜହ୍ନ

       ଦିଶୁ ନ ଥିବେ ଦେଖିଲେ ଚାହିଁ ।। 


    ଏମିତି ଏକ ସଞ୍ଜ ମୁଁ କେବେ

       ଦିନଟେ ହେଲେ ଖୋଜିନି କାହିଁ

    ଯେଉଁ ସଞ୍ଜରେ ସଞ୍ଜବତୀଟି

       ଜଳୁ ନ ଥିବ ଦିଅଁଙ୍କ ପାଇଁ ।। 


    ଏମିତି ଏକ ରାତି ମୁଁ କେବେ

       ଥରୁଟେ ପାଇଁ ଖୋଜିନି କାହିଁ

    ଯେଉଁ ରାତିରେ ମିଠା ସପନ

       ଆସୁ ନ ଥିବ ପାଖକୁ ଧାଇଁ ।। 


    ଏମିତି ଏକ କୁସୁମ ମୁଁ ଯେ

       କେଉଁଠି କେବେ ଖୋଜିନି କାହିଁ

    ଯେଉଁ କୁସୁମେ ନ ଥିବ ବାସ

       ଜନମନକୁ ମୋହିବା ପାଇଁ ।। 


    ଥାଇ ମୁଁ ଏଠି ଖୋଜଇ ନିତି

       ମୋ ଦୁନିଆର ସୁନ୍ଦର ଛବି

    ସୁନ୍ଦର ଯାହା ମୋ ପ୍ରିୟ ତାହା

       ମୋତେ ସେ କରେ ଭାବୁକ କବି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children