ମୋତେ ସେ କରେ ଭାବୁକ କବି
ମୋତେ ସେ କରେ ଭାବୁକ କବି
ଏମିତି ଏକ ସକାଳ ମୁଁ ଯେ
କେବେ ବି ଦିନେ ଖୋଜିନି କାହିଁ
ଯେଉଁ ସକାଳେ ଗଛର ଡାଳେ
ହସୁ ନ ଥିବ ଫୁଲଟେ ଚାହିଁ ।।
ଏମିତି ଏକ ପାଦପ ମୁଁ ଯେ
କେବେ ବି ଦିନେ ଖୋଜିନି କାହିଁ
ଯେଉଁ ପାଦପେ ନ ଥିବ ଶାଖା
ନ ଦେବ ଯିଏ ଶୀତଳ ଛାଇ ।।
ଏମିତି ଏକ ତଟିନୀ ମୁଁ ଯେ
କେଉଁଠି କେବେ ଖୋଜିନି କାହିଁ
ଯେଉଁ ତଟିନୀ ଜଳଧାରାଟି
ମିଶୁ ନ ଥିବ ସାଗରେ ଯାଇ ।।
ଏମିତି ଏକ ଆକାଶ ମୁଁ ଯେ
କେବେ ବି ଦିନେ ଖୋଜିନି କାହିଁ
ଯେଉଁ ଆକାଶେ ସୂରୁଯ ଜହ୍ନ
ଦିଶୁ ନ ଥିବେ ଦେଖିଲେ ଚାହିଁ ।।
ଏମିତି ଏକ ସଞ୍ଜ ମୁଁ କେବେ
ଦିନଟେ ହେଲେ ଖୋଜିନି କାହିଁ
ଯେଉଁ ସଞ୍ଜରେ ସଞ୍ଜବତୀଟି
ଜଳୁ ନ ଥିବ ଦିଅଁଙ୍କ ପାଇଁ ।।
ଏମିତି ଏକ ରାତି ମୁଁ କେବେ
ଥରୁଟେ ପାଇଁ ଖୋଜିନି କାହିଁ
ଯେଉଁ ରାତିରେ ମିଠା ସପନ
ଆସୁ ନ ଥିବ ପାଖକୁ ଧାଇଁ ।।
ଏମିତି ଏକ କୁସୁମ ମୁଁ ଯେ
କେଉଁଠି କେବେ ଖୋଜିନି କାହିଁ
ଯେଉଁ କୁସୁମେ ନ ଥିବ ବାସ
ଜନମନକୁ ମୋହିବା ପାଇଁ ।।
ଥାଇ ମୁଁ ଏଠି ଖୋଜଇ ନିତି
ମୋ ଦୁନିଆର ସୁନ୍ଦର ଛବି
ସୁନ୍ଦର ଯାହା ମୋ ପ୍ରିୟ ତାହା
ମୋତେ ସେ କରେ ଭାବୁକ କବି ।।
