ମମତାମୟୀ ମା
ମମତାମୟୀ ମା
ମମତାମୟୀ ସେ ଦୟାର ଭଣ୍ଡାର
କରୁଣା ସାଗର ପରା
ଆଉ କେହି ନୁହେଁ ଆମରି ମାଆ ସେ
ସାରା ଜଗତରେ ହୀରା ।
ତା ପାଇଁ ପାଇଛେ ସଂସାର ଆଲୋକ
ସେହି ଆମ ଶିକ୍ଷା ଗୁରୁ
ତାର କ୍ଷୀର ପାନେ ବଢ଼ିଛି ଆମର
ତନୁରେ ସୌନ୍ଦର୍ଯ୍ୟ ଚାରୁ ।
ଆଶିଷ ଦାୟିନୀ ଶକ୍ତି ପ୍ରଦାୟିନୀ
ଭୟ ବିନାଶ କାରିଣୀ
ଅମାପ ସ୍ନେହକୁ ଢାଳି ଦେଉ ଥାଏ
ସତେକି ଅମୃତ ପାଣି ।
ଶିରେ ସାଉଁଳାଇ କୋଳେଇ ନିଏ ସେ
ଶତୃ ହେଉ କିବା ମିତ୍ର
ଅଧା ପେଟ ଖାଇ ଅତିଥି ସେବଇ
ବାଢି ସେ ଆଦର ପତ୍ର ।
ତାର ଅଗଣାରେ ଫୁଟୁ ଥାଏ ନିତି
ଶାନ୍ତି ମୈତ୍ରୀ ବେନି ଫୁଲ
ସେଥିପାଇଁ ମାଆ ଜଗତରେ ପରା
ହୁଏ ଯେ ଅମୂଲ ମୂଲ ।
ମନ ତାର ସ୍ୱଚ୍ଛ କୁହେ ନାହିଁ ମିଛ
ସନ୍ତାନ ପାଇଁ ସେ ବଞ୍ଚେ
ସାରା ଦୁନିଆଟା ଓଲଟି ଗଲେ ବି
ଘୁଞ୍ଚେ ନାହିଁ କେବେ ଇଞ୍ଚେ ।
ମାଆ ଅବଦାନ ଅତୁଳନୀୟ ଯେ
ସଦା ଋଣୀ ପୁତ୍ରୀ ସୁତ
ସହସ୍ର ପ୍ରଣାମ ଜଣାଏ ତା ପାଦେ
ମାଆ ହିଁ ମୋର ଜଗତ ।