STORYMIRROR

Kabiratna Nutan Kumar Behera

Classics Inspirational Children

3  

Kabiratna Nutan Kumar Behera

Classics Inspirational Children

ହଜିଯାଇଛି ମୋ ପିଲାଦିନ

ହଜିଯାଇଛି ମୋ ପିଲାଦିନ

1 min
212


ଗତକାଲିର କଥା ସବୁ ଆଜି

ସ୍ମୃତି ହୋଇ ରହିଯାଏ

ମନର ଗୋଦାମ ଘରେ ଥାକ ଥାକ

ଆଜିର କଥା ବି ଆସନ୍ତା କାଲିକୁ

ରହିଯିବ ତା' ଉପର ଉପରକୁ ଅନେକ

ସଂପର୍କର ସରହଦ ମଧ୍ୟରେ

ଅନେକ କିଛି ଯାଏ ହଜି

ସେ ସବୁର ପତ୍ତା ମିଳେନା ଖୋଜି

ବହୁତ ସ୍ମୃତି ରହେ ସତେଜ ହୋଇ

ଆଖି ଆଗେ ସବୁ ନାଚୁଥାନ୍ତି

ଭୁଲି ବି ହୁଏନା ଭୁଲି 

ଦିନ ବର୍ଷ ମାସ ଗଲେ ବି ଚାଲି

ଯେତେକ ବିଶେଷ ଘଟଣା

ଅଭୁଲା ଅପାଶୋରା ତା' ଅନୁଭୁତି

ସୁଖ ଦୁଃଖର କଡ଼ ଲେଉଟାଣିରେ

ଓଠରୁ ହସ ଗଲେ ହଜି

ଲୁହକଥା ମନେ ପଡେ ବେଶି ବେଶି

ହୃଦୟର ସ୍ଫନ୍ଦନରେ ଥାଏ ମିଶି

ବୟସର ଋତୁ ବଳୁଥାଏ

ବଦଳୁ ଥାଏ ଚିନ୍ତା ଚେତନା ସ୍ଵଭାବ

ନିଆରା ସେ ସବୁ ଅନୁଭବ

ଅସରନ୍ତି ସ୍ମୃତିରେ ଗୁନ୍ଥା ଏ ଜୀବନ

ଫେରାଇ ଆଣିବାକୁ ବାହୁନି ହୁଏ ମନ

ଆସେନା ସେ କେବେ ଫେରି

ହେଉ ଥାଏ ଖାଲି ତାକୁ ଝୁରି

ହଜିଯାଇଛି ମୋ ପିଲା ଦିନ

ଭାବି ବସିଲେ ହୁଏ ମୁଁ ମ୍ରିୟମାଣ

ମନେ ପଡେ ସବୁ ଘନ ଘନ

ପିଲାଦିନର ସେ ଦାଣ୍ଡ ଧୂଳି ଖେଳ

ସାଙ୍ଗସାଥୀ ମେଳ କଳିଗୋଳ 

ଚାଟଶାଳୀ ଯିବା ଆସିବାର କୌତୁହଳ

ଗାଁ ମାଟି ସଡ଼କରେ ଧାଇଁ ଧାଇଁ

ପୁରୁଣା ଟାୟାର ଗଡାଇ ଗଡାଇ

ହେଉଥିଲି ଝାଳ ସରସରେ ଧଇଁସଇଁ

କଦଳୀ ନଡି଼ଆ ବାହୁଙ୍ଗାରେ

ଖେଳନା ଗଢି ବଜାଉଥିଲି ଫଟଫଟ

ମଜା ମଉଜେ କରୁଥିଲି ହଟ

ଫେଁକାଳି ବଜା ବାଗୁଡି କିତିକିତି

କେତେ କେତେ ଖେଳ ଏମିତି

ଖେଳୁଥିଲି ଲୁଚକାଳି ନଟୁ ଦାଣ୍ଡିଆ 

କଣ୍ଡେଇ ବାହାଘର ବୋହୂଚୋରୀ

ଫ୍ରେମ୍ ଭିତରେ ଗୋଡ଼ ଦେଇ

ସାଇକେଲ୍ ଚଢୁଥିଲି ରୁଲିଙ୍ଗ୍ ଧରି

ଖୁଚୁରା ପଇସାରେ କିଣୁଥିଲି ବୁଟ ଚଣା

କାଚ ବୋତଲର ଡିବି ଜାଳି

ତା' ଆଲୁଅରେ ପଢୁଥିଲି ପାଠ 

ପିଣ୍ଡାରେ ବସି କେତେ ଜଣା ଅଜଣା

ପୁନେଇଁ ପରବେ ସବୁରି ସାଥେ

ଦେଖୁଥିଲା ପାଲା ଦାସକାଠିଆ ନାଟକ

ପୁଣି ଭିଡିଓରେ ନାଚ ସିନେମା

ରାମାୟଣ ମହାଭାତତର କଥାବସ୍ତୁ

ଏକାଠି ବସି ପରିବାର ସାଥେ ଗାଁ ଲୋକ

ହଜିଯାଇଛି ସେ ପିଲା ଦିନ

ଭାବି ବସିଲେ ମନ ହୁଏ ଉଚ୍ଛନ୍ନ 

ଥିଲା କେତେ ହସ ଖୁସି ଆନନ୍ଦ

ଏବେ ଆସେ ତାର ବିଷାଦ

ସତରେ ଥିଲି ମୁଁ କେତେ ସ୍ଵାଧୀନ

ହଜିଯାଇଛି ସେ ପିଲା ଦିନ

ସ୍ମୃତି ତାର ହୁଏ ଯେବେ ସତେଜ 

ଚିନ୍ତେ ସେ ଜୀବନ ଥିଲା କି ସହଜ ?

 











ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics