ମୋ ଗାଁ ସ୍ମୃତି
ମୋ ଗାଁ ସ୍ମୃତି
ମୋ ଗାଁ ସୁନ୍ଦର ନାହିଁ କେହି ପର
ସଭିଏଁ ଆପଣା ମୋର
ଏଇ ଗାଁ ମୋର ସରଗ ସମାନ
ବାଣ୍ଟି ନିଏ ଦୁଃଖ ଭାର ।
ଗ୍ରାମ ପ୍ରାନ୍ତେ ହର ଦେବଙ୍କ ମନ୍ଦିରେ
ପ୍ରଭାତେ ମଙ୍ଗଳ ବାଦ୍ୟ
ଘଣ୍ଟ ଘଣ୍ଟା ତାଳେ ଗାଁ ମୋ ଉଛୁଳେ
ଚଉଦିଗେ ଶୁଭେ ନାଦ ।
ନଇଁ ନଇଁ ଧୀରେ ନବ ବିବାହିତା
ପୋଖରୀ ତୁଠକୁ ଯାଏ
ଝୁମୁରୁ ଝୁମୁର ପାଦର ନୂପୁର
ମନ ଚହଲାଇ ଦିଏ ।
ଚାଷୀ ପୁଅ ଧରେ ହଳ ଲଙ୍ଗଳ କୁ
ଲକ୍ଷ୍ମୀ ଦେବୀ କୃପା ପାଇଁ
ବିଲ ହୁଡା ତଳେ ମୁଠାଏ ପଖାଳେ
ଜଗତ କ୍ଷୁଧା ଲିଭାଇ ।
ଅବିରତ ଚାଲେ ପୂଜା ପାର୍ବଣ ଯେ
ଅଷ୍ଟପ୍ରହରୀ କୀର୍ତ୍ତନ
ହରି ବୋଲ ସଙ୍ଗେ ନାଚି ନାନା ରଙ୍ଗେ
ଆନନ୍ଦ ସଭିଙ୍କ ମନ ।
ପାଣି ତୋଳା ସଙ୍ଗେ ଶୁଭାରମ୍ଭ ହୁଏ
ବାଶେଳି କାଳିକା ପୂଜା
ଅତି ନିଷ୍ଠା ଭକ୍ତି ହୃଦୟରେ ରଖି
ଉଡେ ଦଣ୍ଡ ଶକ୍ତି ଧ୍ୱଜା ।
ପଣା ସଂକ୍ରାନ୍ତିକୁ ଅଗ୍ନି ପଥ କରି
ମାନସିକ ଧାଡ଼ି ଭିଡ
ଅନଳ ପଥକୁ ଅତିକ୍ରାନ୍ତ କରି
ବଦଳେ ଭାଗ୍ୟର ମୋଡ଼ ।
ପରିଷ୍କୃତ କରେ କଚା ପରିବାର
ପୁଣି ହରିଜନ ଜନେ
ଏମିତି ମୋ ଗାଁ ଗର୍ବିତ ହୋଇଛି
ଆପଣା କରମ ଧର୍ମେ ।
ଏକ ପରେ ଏକ ପରବ ବିତଇ
ହୋଲି ପରେ ପଣା ଯାତ
ବିଧି ଖଞ୍ଜି ଦେଲା ଏତେ ସୁଖ ଯେବେ
ଆସିଲା କରୋନା ଭୂତ ।
ପ୍ରଭାବିତ ହୁଏ ସହର ବଜାର
ଗ୍ରାମ ଟିକେ ଭୟଶୁନ୍ୟ
ସର୍ବ ଦେବା ଦେବୀ ଆଶିଷେ ରଖନ୍ତୁ
ଏତିକି ମୋ ନିବେଦନ ।