ମୋ ଗାଆଁ ର ଅନୁଭୂତି
ମୋ ଗାଆଁ ର ଅନୁଭୂତି
ଗାଆଁରୁ ସହର ଆସିଥିଲି ମୁହିଁ
ପାଠ ପଢିବାର ପାଇଁ
ସହରଟା ମୋତେ ଜାବୁଡ଼ି ଧରିଲା
ଗାଆଁକୁ ଫେରିଲି ନାହିଁ।
ସହରର ଏହି ଚାକଚକ୍ଯ ମୋତେ
ଭୁଲେଇଲା କେତେଦିନ
ମୋ ଗ୍ରାମ ମମତା ଭୁଲି କି ପାରିବି
ଖୋଜୁଥିଲା ମୋର ମନ ।
ସେ ପୋଖରୀ ତୁଠ ପଦ୍ମ କଇଁ ତୋଲା
ପୁଣି ଲୁଚକାଳି ଖେଳ
ବଣଭୋଜି ସହ ନାଚଗୀତ ପୁଣି
ସାଙ୍ଗ ସାଥିଙ୍କର ମେଳ।
ଜାମୁ ବରକୋଳି ପିଜୁଳି ତୋଳିବା
ଖରା ଦିନେ ଆମ୍ବ ତୋଳା
କଣ୍ଟେଇ କୋଳି ଓ କଇଁଆ ତେନ୍ତୁଳି
ଲୁଣ ଲଙ୍କା ଥିବ ଗୋଳା ।
ସେହି ସାଙ୍ଗ ସାଥି କାକା କାକୀ ଆଈ
ଗାଆଁ ସମ୍ପର୍କୀୟ ମୋର
ଭାରି ମନେପଡେ ଲୋତକ ବି ଗଡେ
ସଭିଏଁ ପରା ନିଜର ।
ସେମାନଙ୍କୁ ଛାଡି ଆସିଅଛି ବୋଲି
କ୍ଷୋଭ ଜାଗି ଉଠେ ମନେ
ପାଠପଢି ମୁହିଁ ମଣିଷ ଟେ ହେବି
ବିବେକ କହେ ମୋ କାନେ ।
ପାଠ ସରିଗଲା ଚାକିରି ମିଳିଲା
ଦରମା ମିଳିଲା ଥାକ
ଗାଆଁ ଯିବା ପାଇଁ ବାହାରି ପଡିଲି
ମନଟା ଭାରି ଉତ୍ସୁକ ।
ସହର ଛାଡି ମୁଁ ଗ୍ରାମ ବାହୁଡିଲି
ପହଞ୍ଚିଲି ଗାଆଁ ଦାଣ୍ଡେ
ଗାଆଁ ଦାଣ୍ଡ ଧୂଳି କେଉଁଠି ପାଇବି
ଅଛି ପକ୍କା ରାସ୍ତା ଖଣ୍ଡେ ।
ପୋଖରୀଟା ମୋର ସଫା ହୋଇଅଛି
ପଦ୍ମ କଇଁ ନାହିଁ ଆଉ
ଆମ୍ବ ଗଛ ଖଣ୍ଡେ କାହୁଁ ବା ମିଳିବ
ବାକି ସବୁ ପଛେ ଥାଉ ।
କ୍ଷଣେ ସେହିଠାରେ ରହିବାକୁ ମୋର
ମନ ତ ବଳିଲା ନାହିଁ
ଅତି ଆପଣାର ଗାଆଁ ଟି ମୋହର
ଖୋଜିଲେ ପାଇବି କାହିଁ ।