ମନୁଆ ମନ
ମନୁଆ ମନ
କବିତା - ମନୁଆ ମନ
ରଚନା - ପଞ୍ଚାନନ ଜେନା
ତାରିଖ -୨୨-୦୮-୨୦୨୫
++++++++++++++++
ରକ୍ତ ମାଂସ ହାଡ଼ରେ
ମଣିଷର ଛାଞ୍ଚ
ତେଲ ଲୁଣ ଦୁନିଆରେ
ହେଲେ ବି ଅସହଜ ଦହଗଞ୍ଜ
ହୃଦୟ ଚୌହଦୀରେ
ପୋଷିଥାଏ ସୁକୁମାରିଆ ମନ
ପଞ୍ଜୁରୀ ଭିତରେ ଶୁଆ ପୋଷିଲା ଯେସନ
ସେତିକିରେ କଣ ସରିଲା
ମନ ତଳେ ପୁଣି ଥାକ ଥାକ ସାଇତିଥାଏ
ମାନ ଗୁମାନ ଅଭିମାନ ଅପମାନ
ପୁଣି ସମ୍ମାନ ସ୍ୱାଭିମାନ ବଳିଦାନ
ପୁଣି ସମସ୍ତଙ୍କ ପାଇଁ ତିଆରିଥାଏ ସ୍ୱତନ୍ତ୍ର ଆସନ
ଜାଣିଥିବେ ଆପଣମାନେ
ମନର ଗୋଟେ ସ୍ଵତନ୍ତ୍ର ପାଠ ଥାଏ
ପଢି ପାରିଲେ ସଫଳ ଜୀବନ
ମନର ଗୋଟେ ଅଲଗା ଭାଷା ଥାଏ
ବୁଝି ପାରିଲେ ତୁରନ୍ତ ସମାଧାନ କ
ମନର ଗୋଟେ ଭିନ୍ନ ଭାବନା ଥାଏ
ଆକଳି ପାରିଲେ ଶୀର୍ଷ ସୋପାନ
ମନୁଆ ମନଟା ବେଳେ ବେଳେ
ବାୟା ବାତୁଳା ବେତାଳ ପରି
କିମ୍ଭୂତ କିମ୍ଭାକାର କରେ ବ୍ୟବହାର
ରାଗରେ ଅଗ୍ନିଶର୍ମା ପାଲଟି
ଓଲଟା ପୁଲଟା କର୍ମ କରେ
ଖାତିର ନ ଥାଏ କି ହେବ ଉପସଂହାର
ଆଘାତ ସଂଘାତ ନୁହଁ
ବରଂ ପିଠି ପଛେ ବିଶ୍ୱାସଘାତର ଛାଟ ବାଜିଲେ
ମନ ତଳେ ବିଦ୍ରୋହର ସ୍ଫୁଲିଙ୍ଗ ଜଳେ
ଶାନ୍ତ ଶୀତଳ ମନ କୁହୁଳେ
ମନରେ ହୁଙ୍କାର ବଳୟ କୁଣ୍ଡଳି ଜାଳେ
ଯୁଦ୍ଧମ୍ ଦେହୀ ଡାକରା
ମନ ବଡଦାଣ୍ଡରେ ଡେଙ୍ଗୁରା ବଜାଏ ଛଳେ
ଆଉ ବେଳେ ବେଳେ
ମନ
ବଜ୍ର ଶପଥ ନିଏ
କେହି ଜାଣି ପାରିବା ଆଗରୁ
ତୁଣ୍ଡ ଝାଳ ମୁଣ୍ଡରେ ମାରି
ଅଲଂଘ୍ୟ ଗିରିଶୃଙ୍ଗ ପାରି କରିବାକୁ
ଅବିରତ ଚେଷ୍ଟିତ ହୁଏ
ମନ ପବନ ବେଗରେ
ସମସ୍ୟା ଉପୁଯାଏ
ପୁଣି ସମାଧାନ ବି ଯୁଟାଏ
ମନକୁ ମୁଠେଇ ଧରିଲେ ହେଲା
ମନକୁ ଲଗାମ ଦେଲେ ହେଲା
କଥାରେ କହନ୍ତି
ମନରେ ଶାନ୍ତି ଥିଲେ
ଅଳ୍ପ ହିଁ ସନ୍ତୁଷ୍ଟି
ମନରେ ଅଶାନ୍ତି ଥିଲେ
ସ୍ଵଳ୍ପ ହିଁ ଅନାବୃଷ୍ଟି
