ମଣିଷ ପଣିଆ ହଜି ଯାଇଛି
ମଣିଷ ପଣିଆ ହଜି ଯାଇଛି
ବ୍ୟକ୍ତିରେ ଦୂରତା ନ ଥିଲେ ନ ଥାଉ
ମନର ଦୂରତା ବଢି ଯାଇଛି ,
ଜହ୍ନ ରାଇଜରେ ପାଦ ଥାପିଲେ ବି
ପଡୋଶୀ ଘରଟା ଦୂର ଲାଗୁଛି ।
ଯୋଜନ ଯୋଜନ ଦୂରରେ ଯେ ଅଛି
ନିତି ଗୋପନୀୟ କଥା ଚାଲିଛି ,
ଏକ ଛାତ ତଳେ ରହି ବି ମଣିଷ
ତା' ପାଇଁ ସମୟ ନିଅଣ୍ଟ ଅଛି ।
ଗୋପନୀୟ ହେଉ ଗହନ କଥାର
ଅଭାବପଣ ମୁଁ ଅନୁଭବିଛି ,
ଭଲ ପାଇବାର ମିଛ ବାହାନାରେ
ଆପଣାରପଣ ଠକି ଚାଲିଛି ।
ବିଶ୍ୱାସ ଏଇଠି ହାରିଛି ଭରସା
ଭରସା ଦୁଃଖରେ ଗୁମୁରି କାନ୍ଦେ,
ମଣିଷ ନିଜର ଦୋଷକୁ ଘୋଡାଇ
ଅଯଥାରେ ଖାଲି ଅନ୍ୟକୁ ନିନ୍ଦେ !
ଭଲମନ୍ଦ କା'ର ବୁଝ କି ନ ବୁଝ
ମୋବାଇଲ ଦେଖା ସାର ହେଉଛି ,
ଅନ୍ୟ କାହା କଥା ମନକୁ ଆସୁନି
ସ୍ବାର୍ଥପରତାରେ ଦିନ କଟୁଛି ।
ଦିନର ସମୟ ସମାନ ହେଲେ ବି
ବ୍ୟସ୍ତତା ଆମର ବୃଦ୍ଧି ପାଇଛି ,
ବ୍ୟସ୍ତତା ଆଳରେ ଅନେକ କଥାରେ
ମାନବିକତାର କ୍ଷୂର୍ଣ୍ଣ ହେଉଛି ।
ମାନସିକତାର ଅଶୁଦ୍ଧିପଣରେ
ଭାଇଚାରାର ବିନାଶ ଘଟୁଛି ,
ଆଧୁନିକ ହୋଇ ବଞ୍ଚିବା ନାଆଁରେ
ମାନବିକତା ବି ଲୋପ ପାଇଛି ।
