ମନେପଡେ ଖରାଦିନେ ଗାଁ ନଈକୂଳ
ମନେପଡେ ଖରାଦିନେ ଗାଁ ନଈକୂଳ
ଗାଧୁଆ ଘରେ ସାଓ୍ଵାରରେ ମୁଣ୍ଡ ଧୋଇଲାବେଳେ
ମନେ ପଡିଗଲା ମୋର ପିଲାଦିନ
ଗାଁ ନଈ ମଝିରେ ଖରାଦିନେ କେମିତି
ବୁଡୁଥିଲୁ ସାଙ୍ଗମେଳେ ଘଣ୍ଟାଘଣ୍ଟା ଧରି
ପେଟେ ପେଟେ ପଶି ପାଣିରେ ।
ସାଓ୍ଵାରରେ ଆସେ ତ ମପାଚୁପା ପାଣି
ସେଥିରେ କେଉଁ ଯେ ମନ ବୁଝେ
ବାହାରୁ ବୋଉର ତାଗିଦମିଶା ଡାକ
ପାଣି ସରିଯିବ ଟାଙ୍କିରୁ ସେତିକି ଗାଧା
ଥଣ୍ଡା ଧରିବ ହଇରାଣ ହେବା ଦିନସାରା ବାବୁରେ ।
ଗାଁ ନଈ ହାତ ଠାରି ଡାକେ ଖରାଦିନେ
ଭଲ ପାଏ ଆମ କଅଁଳିଆ ଦେହକୁ
ବାପାଙ୍କୁ ଲୁଚି ବୋଉକୁ ମନେଇ ଚାଲିଯାଉ ସାଙ୍ଗହୋଇ
ବୁଡୁଥାଉ ଦିନରେ ଦୁଇତିନିଥର
ମନଶାନ୍ତି କରି ଆଖିପତା ଲାଲ ନ ହେବାଯାଏଁ ।
ବାପାଙ୍କ ବେତମାଡ ବୋଉର ଗାଳି
ଗମ୍ ଗମ୍ ବୋହୁଥିବା ଦେହର ଝାଳ ଭଳି
ଦକ୍ଷିଣା ଶୀତଳ ପବନରେ
ନିମିଷକେ କୁଆଡେ ଯାଏ ହଜି
ଦୁଷ୍ଟାମୀ ବଢିଯାଏ ଆମର ସ୍କୁଲ ନ ଖୋଲିବା ଯାଏଁ ।
କାହିଁ ଥଣ୍ଡା ଧରେନି ତ ଆମକୁ ସେତେବେଳେ
ଛାତ ବାରଣ୍ଡାର ଖୋଲାମେଲା ଥଣ୍ଡା ପବନେ ଶୋଇ
ରାତିରେ ସଜଦହିପଖାଳ ବଢିଚୁରା ଚୂନାମାଛ ଖାଇ
ନଈପହଁରାର ବ୍ୟଥା ଲାଗେ ଆମକୁ ଖୁବ ସତେଜ ସକାଳୁ ।
ପଙ୍ଖା ପବନ ସାଓ୍ଵାର ପାଣିରେ ମାପିଚୁପି କଣ ଜିଇଁହୁଏ ଜୀବନ
ଲୋଡା ଗୋଟେ ସ୍ଵାଧୀନ ମୁକ୍ତ ପ୍ରଶସ୍ତ ମନ
ରୁଟିନବନ୍ଧା ସ୍କୁଲ ବ୍ୟାଗର ବୋଝ ବୋହି
ପ୍ରତିଯୋଗୀ ମନୋଭାବେ ନିଜେ ନିଜକୁ ସଦା ଜାଳୁ ।
ଚାରିକାନ୍ଥେ ବନ୍ଧା ସ୍ଵାଧୀନତା ଆଜି
କମ୍ପୁଟର ଲାପଟପରେ ଆମ ଖେଳପଡିଆ
ଗୁଗୁଲ୍ ରେ ଦେଖୁ ଗାଁ ନଈ ପାହାଡ ଝରଣାର ଚିତ୍ର
ଦେଖିପାରୁନୁ ଆକାଶର ନୀଳିମା
ଶୁଣିପାରୁନୁ ଚଢେଇର କିଚିରୀମିଚିରୀ ଶବ୍ଦ
ଜାଣିନାହୁଁ ଭୋକଶୋଷ ଦୁଃଖ ଅଭାବ ଅନଟନ ।
ପିଜା ବରଗର ସାଣ୍ଡଓ୍ଵଜ୍ ପେଟିସ୍ ସ୍ନାକରେ ଲୋଭେ
ଭୁଲିଯାଇଛୁ ନାଲି ଅକାଣ୍ଡିଆ ଚାଉଳର ଜାଉ
ଚୁଡାମୁଢି ସୋଲାଛତୁ ଖଡାପୋଇ ବଢିଶୁଖୁଆ ସଜନା ସାରୁ
ସାହାସ ନାହିଁ ମନେ ବିପଦେ ମୁକାବିଲା ପାଇଁ
ଭୟର ଅନ୍ଧାରେ ହରାଇ ଧୋର୍ଯ୍ୟ ସହନଶୀଳତାର ମାନବୀୟ ଗୁଣ
ଖୋଜିବୁଲୁଛି ଆଜି କାହିଁ ଆମେ ଆମ ପିଲାଦିନ
ଖୋଜି ବୁଲୁଛି ଆଜି କାହିଁ ଆମେ ଆମ ପିଲାଦିନ ।