ମନେପଡ଼ ତୁମେ(୧୧)
ମନେପଡ଼ ତୁମେ(୧୧)
ବିଶ୍ୱାସ ଅଛି ତୁମେ ଯେ ମୋର
ଯୁଗ ଯୁଗର ସାଥି,
କେମିତି ଆଜି ଚୁପ୍ ରହିଛ
ଝୁରୁଛି ନିତିନିତି।
ସମୟ ନଈ ଗଲାଣି ବହି
ଉତ୍ତର ଦେବ କିଏ,
ଦିନକୁ ଦିନ ବଢୁଛି କୋହ
ଯନ୍ତ୍ରଣା ଲୁହ ପିଏ।
ଆଖିର ଭାଷା ଆଖିରେ ହଜେ
ସବୁଠି ଖାଲି ଫାଟ,
ପ୍ରେମ ସହରେ ଅଜଣା ହୁଏ
ଚାଲି ପାରୁନି ବାଟ।
ଛଟପଟ ଭାରି ସରୁନି ଭାବନା
ଯେମିତି ଅକାଳ ଢେଉ,
ସଂଜରୁ ସକାଳ ଅମାନିଆ ମନ
ରାତିବି ପାହୁନି ଆଉ ।
ସୁଖିଯାଏ ସବୁ ବୟସର ଋତୁ
ଶୁଖିବି ଯାଏ ତଣ୍ଟି,
ପାଦକୁ ପାଦରେ କେମିତି ଛନ୍ଦିବି
ଅଧାରୁ ପଡୁଛି ଝୁଣ୍ଟି।
ଖଣ୍ଡ ବିଖଣ୍ଡିତ ସପନର ଆଶା
ଆୟୁଷର ନାହିଁ ଚିହ୍ନ,
ବଞ୍ଚିବି କେମିତି ଏକାଏକା ଏଠି
ଅବୁଝା ଯେମିତି ଦିନ।
ଅଧାଲେଖା ପ୍ରାଣ ଝୁରୁଛି ଶ୍ରାବଣ
ସମୟ ଖେଳାଏ ଖେଳ।
କିଏ ସେ ବୁଝୁଛି ହୃଦୟର କଥା
ସରିଗଲା ପରେ ବେଳ।
ମାଟିରୁ ଆକାଶ ଅଧାଗଢା ବେଶ
ବାସହୀନ ପ୍ରେମ ଜ୍ୟୋତି,
ପ୍ରିତିର ପ୍ରଣୟେ ମୌସୁମୀ ଝଡ଼
ଚୁନାଚୁନା ପ୍ରାୟ ସ୍ମୃତି
ମନେ ପଡୁଛି ତୁମକଥା ଯେ
ପାରୁନି ଭୁଲି କେବେ,
ସପନେ କେତେ କଥାଯେ ଅଛି
କହି ପାରୁନି ଏବେ।