ମିତ
ମିତ


ଦୁଇ ସାଗର
ପାଖେ ପାଖେ ବହୁଥାନ୍ତି
କେତେବେଳେ ଖୁସିରେ
ଆଉ ପୁଣି ଦୁଃଖରେ
ବେଶୀ ଟିକେ ଅସହାୟ ହୋଇପଡିଲେ
ଭରସା ହରାଇଲେ
ହାତ କାତ ନପାଇଲେ
ପରିସ୍ଥିତି ଅଣାୟତ ହେଲେ
ଏହାର ସୁଅ ବେଗ ବଢିଯାଏ
ବେଶୀ ନିଃଶବ୍ଦେ
ଅଭିମାନରେ ଏ ଧାର
ଗୋଟେ ଛାତି
ଆତ୍ମାକୁ ତିନ୍ତାଇ ଦିଅନ୍ତି।
ଭାରି ଆପଣାର
ଗୋଟା ପଣେ ଡୁବାଇ ଦେଲେ
ଫାଟି ଯାଉଥିବା ଛାତି
ଟିକେ ଉଶ୍ୱାସ ଲାଗେ
ପଣତ କାନି
ଏ ଧାର ପୋଛି
ପଛକୁ ପକାଇ ଦିଏ
କେବେ କେବେ ଲୁଚାଏ
କାଇଁ ନାଇଁ ତ
ପୋକ ଟା ପଡି ଯାଇଥିଲା
ଧୂଆଁ ବାଜିଲାତ
ଏମିତି ବାହାନା କରି
ବଞ୍ଚୁଥାଏ।
ଅତି ଆପଣା ପଣରେ "ଏ"
ଏକାତ୍ମ ହୋଇ ଯାଆନ୍ତି
ସୁଖେ ବା ଦୁଃଖେ
ଛାଇ ହୋଇ ରହିଥାନ୍ତି
ଖୁସିରେ କାକର ବିନ୍ଦୁରୁ
ମୁକ୍ତା ପାଲଟି ଯାଆନ୍ତି
ଦୁଃଖରେ
ହିମାଳୟ ବରଫ ଶୃଙ୍ଗ
ଥାଆନ୍ତି କିନ୍ତୁ
କେବେ "ଆଖି ଆକାଶେ"
ତ
କେବେ ହୃଦୟର ନିଭୃତ କନ୍ଦରେ।
ମିତ ଅଶ୍ରୁ ମୋର !
ତୁମେ ଗୀତ ଗାଅ
କି ଶୀତ ଆଣ
ବେଇମାନୀ କରନି ଜମା
ପ୍ରତାରଣା ଦିଅନି କେବେ
କୌଣସି ପରିସ୍ଥିତିରେ
ଅତଏବ ତୁମେ ମୋର
ଆଜୀବନ
ପ୍ରକୃତ ମିତ ତୁମେ
ମୋତେ ବୁଝିଥାଅ
ସେଇ ପାଇଁ ତ ମୋ ପାଖେ ପାଖେ ଥାଅ।