ମହିଳା ଦିବସ
ମହିଳା ଦିବସ
ନାରୀ ଜୀବନଟା ହିଁ ଖଣ୍ଡାଧାରରେ ଚାଲିବା ପରି
ସମ୍ପର୍କକୁ ସଂଯୋଗୀ, ସଂଯୋଗୀ
ସମସ୍ତଙ୍କ ଚାହିଦା ପୂରଣ କରିବାକୁ ସକ୍ଷମ ?
କିନ୍ତୁ
ଇଚ୍ଛା ଅନିଚ୍ଛା ସତ୍ତ୍ବେ ସ୍ମୃତି ପାଉଁଶ ତଳେ
କ୍ଷତାକ୍ତ ହୃଦୟ ସକ୍ଷମତା ପରୀକ୍ଷାରେ ଫେଲ୍ ହୋଇ
ବେଳେ ବେଳେ ଅକ୍ଷମ ଅଲୋଡ଼ା ହୋଇଯାଏ ସିନା ।
ଶରତ ଚାଲିଗଲା ପରେହିଁ
ତୁଳା ଉଡିଗଲା ପରି ତ , ଉଡ଼ିଯାଏ
ସମ୍ପର୍କର ସେଇ ରେଶମୀ ପାଖୁଡ଼ା
ଗୁଡ଼ିକ ଉଡ଼ି ଯାଇଥାନ୍ତି ଦୂରକୁ, ବହୁ ଦୂରକୁ
ଥୁଣ୍ଟା ଡେମ୍ଫ କିନ୍ତୁ ରହିଯାଏ
ସାଇତା ସମ୍ପର୍କ ସ୍ମୃତି ଚିହ୍ନ ଟିଏ ହୋଇ
ରହିଯାଏ କେବଳ ସ୍ମରଣିକାର ସେଇ ଅପୂର୍ଣ୍ଣ ଅଧ୍ୟାୟଟିଏ .
ଅଭିନୟରେ ଅବତୀର୍ଣ୍ଣ ଲଣ୍ଡ ଭଣ୍ଡ ସେଇ ନୀଳ ବର୍ଣ୍ଣ ଶୃଗାଳ କାହାଣୀ ପରି
ଜଳିଯାଏ ଇଚ୍ଛା ଅନିଚ୍ଛାର ସୀମାହୀନ
ରହସ୍ୟକୁ ଭେଦ କରି ,
ନୂଆ ଯୁଗର ନୂଆ ସକାଳ
ମୁଁ ଭଗିନୀ, ଜନନୀ , ଜାୟା
ମୁଁ ଦୁହିତା
ଦୁଇ କୂଳକୁ ହିତା !
କିନ୍ତୁ ହାଏ ଏ ' କି ବିଡମ୍ବନା ସତେ !
ଏ ଯୁଗରେ ମୋର ତ୍ରାହି ନାହିଁ ,
ହେବା ପାଇଁ କା'ର କନକଲତା , ଲବଙ୍ଗ ଲତା ,
ପୁଷ୍ପିତା ,ଚିର ଇପ୍ସିତା ,ଅବା ଜଗତଜିତା !
ଅଜବ ଏ ଦୁନିଆଁ ।
କାରଣ ଯୁଗେ ଯୁଗେ ନାରୀ ପରା
ଲାଞ୍ଛିତା, ପୀଡ଼ିତା , ନିଷ୍ପେସିତା ତ '
ପୁଣି କେବେ ଯେ ' ପତିତା ।
ମାଆ ଯେଉଁଠି ଅଲୋଡ଼ା,
ସ୍ତ୍ରୀ ଯେଉଁଠି ଅଖୋଜା ,
ଆଉ ପୁଣି ଝିଅ ,ଭଉଣୀ ?
ସେ ' ତ ଆଜି ଅଭିଶପ୍ତା
ହେଲେ !
ହତାଶାର ଦୀର୍ଘଶ୍ଵାସରୁ ପୁଣି
ଅଗତ୍ୟା ଉଠିବାକୁ ପଡ଼ିବ ଯେ
ବାଧ୍ୟ ହୋଇ
ଅଭିନୟ ହେଉ ପଛେ କାହା ମୁଖରୁ
ସାନ୍ତ୍ଵନା ଟିକିଏ ପାଇବା ପାଇଁ.
ପୁଣି ଜୀବନ ଜଞ୍ଜାଳ ସମ୍ପର୍କରେ ଦୌଡ଼ିବା ପାଇଁ....
କାରଣ ଆଗକୁ ପୁଣି ସ୍ଵାଗତ ହେବ ଯେ '
ପୁଣି ଥରେ ସବୁ ବର୍ଷ ପରି ଆଉ ଏକ
ମହିଳାଦିବସ.
ବାଃ ରେ ଦୁନିଆ , ବାଃ ରେ କଳାକାର
ବାଃ ରେ କଳାକାରୀ .।
ଦିବସ ପାଳନର ନିଶା ଏମିତି ଘାରିଛି ଯେ' ଏଠି ପ୍ରଶଂସା ଲୋଭୀ ମଣିଷ ବୁଝିପାରୁନି ଜୀବନର ପ୍ରତ୍ୟେକ ଅଙ୍କକୁ, ମିଶାଣ-ଫେଡାଣ, ହରଣ-ଗୁଣନର ସମଷ୍ଟିକୁ
ମଣିଷ ଅଭିନୟ କରିଚାଲିଛି କେବଳ,
ନିଜ ସ୍ବାଭିମାନ , ନିଜ ଅଭିମାନ,
ନିଜ ପରିଚୟ ଆଉ ନିଜକୁ ନେଇ ।