ମହାତ୍ମା ଗାନ୍ଧୀ ଓ ଗଉଡ ପିଲା
ମହାତ୍ମା ଗାନ୍ଧୀ ଓ ଗଉଡ ପିଲା
ଗୋଟିଏ ଦିନ ସଞ୍ଜ ବେଳରେ
ଘୋଟି ଆସିଲା ମେଘ,
ପବନ ସାଥେ ଝଡ଼ ତୋଫାନ
ସତେ କି ବଣ ବାଘ ।
ଏତିକି ବେଳେ ଗଉଡ ଟୋକା
ଗାଇ ପଲକୁ ଧରି,
ଆଡେଇ ନେଇ ଯାଉଥିଲା ସେ
ତରବରିଆ କରି ।
କିଏ ଯେ ବୁଢା ଯାଉଥିଲା ସେ
ଧରି ବଙ୍କୁଲି ବାଡି,
ଗାଇ ଗୋଠକୁ ଦେଖି ଦୂରରୁ
ଛାଡିଲେ ଗୋଟେ ରଡ଼ି ।
ଦେହରେ ତାଙ୍କ ଖଦଡ଼ ଖଣ୍ଡେ
ଆଣ୍ଠୁ ଉପର ଯାଏଁ,
ଚାଦର ଖଣ୍ଡେ କାନ୍ଧେ ତାଙ୍କର
ପବନେ ଖେଳୁଥାଏ ।
ଆଖିରେ ତାଙ୍କ ଗୋଲ ଚଷମା
ଅଣ୍ଟା ତଳକୁ ଘଡ଼ି,
ଗଉଡ ପିଲା ବୁଢାକୁ ଦେଖି
ରାଗେ ଛାଡ଼ିଲା ରଡ଼ି ।
କିଏ ରେ ବୁଢ଼ା ଦିଶୁ ନାହିଁ କି
କେଉଁଠି ତୋର ଘର,
ଗାଇ ପଲକୁ ହୁରୁଡାଇଲୁ
ନାହିଁ କି ତୋର ଡର ।
ପଖାରେ ତୁହି ତଡେଇ ହୋଇ
ନ ଗଲୁ କାହିଁ ପାଇଁ,
କିସ କରିବୁ ପାରୁ ବୁଢ଼ା ତୁ
ଟିକିଏ ଜ୍ଞାନ ନାହିଁ ।
ପିଲାକୁ ଚାହିଁ ହସିଲେ ବୁଢା
ପିଠି ଆଉଁସି ଦେଲେ,
"ମୁଁ ବୁଢାଟା ତୋହର ପୁଅ"
କହି ଆଦର କଲେ ।
ଗଉଡ ଟୋକା ରାଗି ପଞ୍ଚମ
ବାଡି ଟେକିଲା ହାତେ,
ପିଟି ଦେବି ତୋ ମୁଣ୍ଡ ପିଠିକୁ
ରଖିବ କିଏ ତୋତେ ।
ଏତିକି ବେଳେ ଗଉଡ ବାପା
ପୁଅକୁ ଖୋଜୁଥିଲେ,
ପୁଅ ପାଖରେ ଗାନ୍ଧୀଙ୍କୁ ଦେଖି
ପ୍ରଣାମ ତାଙ୍କୁ କଲେ ।
କହିଲା ବାପା "ଜାତିର ପିତା
ମହାତ୍ମା ଗାନ୍ଧୀ ସିଏ",
ତାଙ୍କରି ଯୋଗୁଁ ଆମ ଏ ଦେଶ
ଜଗତ ନାମ ନିଏ ।
ପୁଅଟି ତା'ର ଭୁଲ ବୁଝିଲା
ପଡ଼ିଲା ପାଦ ତଳେ,
କହିଲା ବାପା "ମାନବ ନୁହେଁ
ଦେବତା ମହି ତଳେ" ।
