ମହାପ୍ରଭୁଙ୍କ ନୀଳାଦ୍ରି ବିଜେ
ମହାପ୍ରଭୁଙ୍କ ନୀଳାଦ୍ରି ବିଜେ
ନଅଦିନ ପରେ ମାଉସୀ ଘରୁ ମୁଁ ଫେରୁଛି
ମୁହଁରେ ନାହଁ ମୋ ପାଣି,
ଥକାପଣ ଯୋଗୁଁ ଆଉ ବାଟ ଚାଲି ମୁଁ ପାରୁନି
ହେ ପ୍ରାଣପ୍ରିୟା ମୋର ସବୁ ପାରୁଥିବ ଜାଣି।
ନେଲିନାହିଁ ବୋଲି ତୁମକୁ ସାଙ୍ଗରେ
କରିଅଛ କେତେ ଅଭିମାନ,
କଅଣ କହିବି ମୁଁ ହୋଇଛି ନାଚାର
ହେ ପ୍ରାଣପ୍ରିୟା ମୋର, ବୁଝାଅ ଟିକେ ତୁମ ମନ।
ସଙ୍ଗେ ଯାଉଥିଲେ ବଡ଼ଭାଇ ମୋର
ଦେଢ଼ଶୁର ତୁମ ବଡବାଡ଼ ଯେ ସାମନ୍ତ,
ଭଉଣୀଟା ଗଲେ ସିନା ସବୁ ଚଲିଯିବ
ହେ ପ୍ରାଣପ୍ରିୟା ମୋର, ତୁମେ କେମିତି ଯାଇଥାନ୍ତ ?
ଜାଣିଛି ମୁଁ ତୁମେ ,ଜନ୍ମ ଜନ୍ମାନ୍ତର ସାଥୀ
ତୁମକୁ ଛାଡ଼ି ମୁଁ ରହି କେବେ ପାରେ ?
ଏହି ନଅ ଦିନ ମୋର କେମିତି କଟିଛି
ହେ ପ୍ରାଣପ୍ରିୟା ମୋର, କହିବି ସବୁ ମୁଁ ଏକାନ୍ତରେ।
ତୁମ ପାଇଁ ସିନା ଏ ସାରା ଜଗତ ଜାଣିଛି
ନାମ ମୋର ଅଟେ ଯେ କମଳାକାନ୍ତ,
ନେ଼ଇନାହଁ ବୋଲି ନାମଯୋଡ଼ିରୁ କମଳା
ହେ ପ୍ରାଣପ୍ରିୟା ମୋର, ହୋଇପାରେ କି ତାର ଅନ୍ତ?
ନ ନେଲି ବୋଲି ମୁଁ କେତେ ରାଗ ତୁମ
ହେରା ପଞ୍ଚମୀରେ ଭାଙ୍ଗିଛ ମୋ ନନ୍ଦିଘୋଷ,
ଏ ଛାର କଥାରେ ଆମ ଅନ୍ତରର ପ୍ରେମ
ହେ ପ୍ରାଣପ୍ରିୟା ମୋର, ହେଲାକି ତାହାର ଶେଷ?
ଝୁରି ହେଉଥିଲି ମୁଁ ମାଉସୀ ଘରେ
ତୁମ ହାତରନ୍ଧା ନାନାଦି ବ୍ୟଞ୍ଜନ,
ଯେତେ ଯାହାହେଲେ କି ଭୁଲି ମୁଁ ପାରିବି
ହେ ପ୍ରାଣପ୍ରିୟା ମୋର, ତୁମର ସେ ବିଡ଼ିଆ ପାନ?
ବହୁତ ବେଳୁ ବଡ଼ଭାଇ, ଭଉଣୀ ଗଲେଣି
ମୋ ପାଇଁ କବାଟେ ଲାଗିଛି କିଳା,
ଡେରି ନ କରି ହେ ଛାଡ ରାଗରୁଷା
ହେ ପ୍ରାଣପ୍ରିୟା ମୋର, ତୁମ ଅଭିମାନୀ ଲୀଳା ।
ଆଜି ଲୋକହସା ହେବି ତୁମରି ପାଇଁ ମୁଁ
ଏକଥା ଅକ୍ଷରେ ଅକ୍ଷରେ ସତ,
ବାହାରେ ରହିଲେ ଘରକଥା ଆମ ଦାଣ୍ଡରେ ପଡ଼ିବ
ହେ ପ୍ରାଣପ୍ରିୟା ମୋର, ନିନ୍ଦିବେ ସାରା ଜଗତ।
ମାନଭଞ୍ଜନ ପାଇଁ ତୁମ ନେଇକି ଆଣିଛି
ରସଗୋଲା ଅତି ପ୍ରିୟ ଯେ ତୁମର,
ବେଶି ସମୟ ରହିଲେ ଖଟା ହୋଇଯିବ
ହେ ପ୍ରାଣପ୍ରିୟା ମୋର, ଖୋଲି ଦିଅ ଯେ ସିଂହଦୁଆର।
ନିଜହାତେ ରସଗୋଲା ମୁଁ ଆଜି ଖୁଆଇବି
ହେ,କମଳିନୀ ରାଗ ଅଭିମାନ ଦୂର କର ,
ଅତି ଅବାଧ୍ୟ ହେଲେ ବଡ଼ ଭାଇ ରାଗିଯିବେ
ହେ ପ୍ରାଣପ୍ରିୟା ମୋର, ସେହି କଥାକୁ ମୋ ଡ଼ର।
ପ୍ରଭୁଙ୍କ ବିନତୀ ଦେଖି ଆଉ ସହି ନ ପାରିଲେ
ଖୋଲିଲେ ଦେଉଳ ଦୁଆର,
ପ୍ରଭୁଙ୍କ ଶ୍ରୀପୟର ଛୁଇଁ ମହାଲକ୍ଷ୍ମୀ ଯେ କହିଲେ
ହେ ପ୍ରାଣପ୍ରିୟ ମୋର, ଦୋଷ ମୋର କ୍ଷମା କର।
ହେ ପ୍ରଭୁ କ୍ରୋଧଭରେ ଯାହା ମୁଁ କରିଛି
ମାନୁଛି ଦୋଷ ସବୁ ମୋର,
ପ୍ରଭୁ,ତୁମ ପ୍ରୀତିରେ ଆଜି ହୋଇଛି ସନ୍ତୁଷ୍ଟ
ହେ ପ୍ରାଣପ୍ରିୟ ମୋର, ନୀଳାଦ୍ରିକୁ ଶୀଘ୍ର ବିଜେ କର ।

