ମୌସୁମୀ ଗୋ ତୁମେ
ମୌସୁମୀ ଗୋ ତୁମେ
ମୌସୁମୀ ଗୋ ତୁମେ ନିଦାଘର ଶେଷେ
ଅମୃତର ସ୍ରୋତସ୍ବିନୀ
ସ୍ପର୍ଶରେ ତୁମର ଜୀବନ୍ୟାସ ପାଏ
ସତେକିବା କାଦମ୍ବିନୀ ।
ମେଣ୍ଟିଯାଏ ତୃଷ୍ଣା ତୃଷାର୍ତ୍ତ ମାଟିର
କୋମଳ ପରଶେ ତୁମ
ସୁଗନ୍ଧିତ ହୁଏ ଅପୂର୍ବ ବାସ୍ନାରେ
ଲକ୍ଷେ ପାରିଜାତ ସମ ।
ପଙ୍କଜିନୀ ଦେହେ ଟୋପାଟୋପା ହୋଇ
ପଡ଼ ଯେବେ ତୁମେ ଝରି
ଲୋଟିପଡ଼େ ସିଏ ସରସୀ ଜଳରେ
ଲାଜରେ କି ଯାଏ ମରି ।
ଯଉବନ ଲଭେ କଦମ୍ବ କି ସତେ
ନିଆରା ତୁମ ଛୁଆଁରେ
ମହକିତ କରେ ସାରା ପୃଥିବୀକୁ
ମହମହ ସୁବାସରେ ।
ଦକ୍ଷିଣ ପଶ୍ଚିମ ଦିଗରୁ ଗୋ ଆସି
ବଦଳେଇଦିଅ ପାଗ
ବିରହ ନିଆଁରେ ଜାଳିଦିଅ ପୁଣି
ବଦଳାଇ ଦେଇ ଦିଗ ।