ବିଦାୟ ଦିଅ ଗୋ ସଖି
ବିଦାୟ ଦିଅ ଗୋ ସଖି
ଇସାରା ଦେଲାଣି ସମୟ ଗୋ ସଖି
ଲେଉଟି ଯିବି ଏଥର
ରାଣଖାଇ କୁହ ଲୁହ ଢାଳିବନି
ଅନୁପସ୍ଥିତିରେ ମୋର
କଥା ଦେଉଅଛି ଆର ଫଗୁଣରେ
କରିବି ଜୀବନ ସାଥି
ବାହୁ ଝୁଲଣାରେ ଝୁଲେଇ ତୁମକୁ
ଶୁଣେଇବି ପ୍ରେମଗୀତି
କର୍ତ୍ତବ୍ୟ ପଥରେ ଯିବାପାଇଁ ହେବ
ସରିଲା ଛୁଟି ଅବଧି
ପ୍ରେମ ସିନ୍ଧୁକରୁ ମେଲାଣି ଦିଅ ଗୋ
କରନାହିଁ ଆଉ ବନ୍ଦୀ
ବିରହ ବହ୍ନିରେ ଜଳିବାକୁ ହେବ
ନୁହେଁ କିନ୍ତୁ ଚିରକାଳ
ଅବୁଝା ହୁଅନା ବୁଝିଯାଅ ସାଥି
ଆସିବି ଫେରି ସଅଳ
ଜହ୍ନ ବି ଝରାଏ ଲୁହର ଜୋଛନା
ଆମ ଏ କାହାଣୀ ଶୁଣି
ଓଦା ଆଖି ତୁମ ଓଦା କରେ ମୋତେ
ଲୁହର ମୁରୁଜ ବୁଣି
ନେବାପାଇଁ ହେବ ତୁମଠୁ ବିଦାୟ
ଛାଡିଦିଅ ଏଇ ହାତ
ସିନ୍ଦୂରର ସାଥେ ଲେଉଟି ଫେରିବି
ସପନକୁ କରି ସତ