ଝର୍କା : ଗୋଟେ ଅଭିମାନର ସ୍ୱର---
ଝର୍କା : ଗୋଟେ ଅଭିମାନର ସ୍ୱର---
ଝର୍କା ଏବେ
ଖୁବ ଅଭିମାନ କରେ
ମୋ ଉପରେ,
ମୋ ଘରର କାନ୍ଥମାନଙ୍କ ଉପରେ ,
ତା' ଭିତରେ ଅହରହ ଉଠୁଥାଏ
ନୀରବତାର ଝଡ଼
ପରସ୍ତ ପରସ୍ତ ପରଦାକୁ
ରୁମାଲ୍ କରି ସେ ପୋଛୁଥାଏ
ତା' ଆଖିରୁ ଝରୁଥିବା
ଅମାନିଆ ଲୁହସବୁକୁ ,
ସେ ଦେଖିଛି
ଘରର ଏରୁଣ୍ଡି ଡେଇଁ
ଝର୍କା ସେପାଖେ
ଭୋକ କେମିତି
ଭୋକିଲା ବାଘ ସାଜେ !
କେବେକେବେ ପୁଣି
ଭୋକକୁ ଭାତହାଣ୍ଡିରେ ଥୋଇଦେଇ
କେହିଜଣେ ଧୂଆଁ ହୋଇ
ଉଠୁଥାଏ ଉପରକୁ ।
ଆକାଶର ଛାତି ତଳେ
ଆଉ କେହି ଶୋଇଯାଇଥାଏ
ଡହଡହ ଜଳୁଥିବା ସୂର୍ଯ୍ୟକୁ ଏସି କରି !
>
ସେ ଶୁଣୁଥାଏ ଖାଲି
କରୁଣର କୋଳାହଳ ସ୍ୱର ,
ହଜାରେ ଚେଷ୍ଟାରେ ବି
ବିଫଳ ହେଉଥାଏ
ସାଜିବାକୁ ମହାତ୍ମାଗାନ୍ଧୀଙ୍କ ତିନି ମାନଙ୍କ ।
ସେ ପୁଣି ଚାହେଁନା
ନୀରବଦ୍ରଷ୍ଟାର ଅପରାଧରେ
କେଉଁ ଏକ ନ୍ୟାୟାଳୟର
କାଠଗଡ଼ାରେ ଛିଡ଼ା ହେବାକୁ ,
ସେଇଥିପାଇଁ
ଆଲୋକ ଆଉ ପବନର
ଅବାଧ ପ୍ରବେଶରେ ରୋକ୍ ଲଗେଇ
ସେ କରିବ ପ୍ରତିରୋଧ ,
ଆଉ ଧିରେଧିରେ ଶାଣିତ ହେବ
ତା' ଅଭିମାନର ସ୍ୱର
ହଁ ଧିରେଧିରେ ଶାଣିତ ହେବ
ତା' ଅଭିମାନର ସ୍ୱର ।