ମାତା ସୀତା
ମାତା ସୀତା
ମାଟିରୁ ଜନମି ମାଟିରେ ମିଶିଲ
ଛାଡି କେତେ ଦୁଃଖ କଥା
ସେ ଦୁଃଖ ଲୋତକେ ସତେ କି ଲିଖିତ
ରାମାୟଣ ପରି ଗାଥା ।
ଗୁରୁଜନେ ବୋଲ ବିନୟ ବଚନ
ପିତାମାତା ପାଦେ ଭକ୍ତି
ପାଞ୍ଚାଳୀ ରତନ ହୀରା ମଣି ସମ
ଏମନ୍ତ ତୁମର କୀର୍ତ୍ତି ।
କୌଶଲ୍ୟା ନନ୍ଦନ ପ୍ରଭୁ ଯେ ଶ୍ରୀରାମ
ଜିତି ଗଲେ ସ୍ୱୟମ୍ବର
ସେହି ବିଜୟରେ ଲଭିଲେ ତୁମକୁ
କରିଲେ ହୃଦୟେ ହାର ।
କାଳର କରାଳ ଧରିଲା ଉତ୍ତାଳ
ଜୀବନ ଭାସିଲା ସ୍ରୋତେ
ଚଉଦ ବରଷ ରାମ ବନବାସ
ବନ ପଥେ ଅବିରତେ ।
ଫଳ ମୂଳ ଆଣି ପର୍ଣ୍ଣ କୁଟୀରରେ
ତୋଷିଲେ ତୁମରି ଚିତ୍ତ
ସ୍ୱର୍ଣ୍ଣ ପଲଙ୍କର କ୍ଲେଶ ଭୁଲିବାକୁ
ଅଙ୍କେ କଲେ ସମ୍ମୋହିତ ।
ସୌନ୍ଦର୍ଯ୍ୟର ଲୋଭେ ବିଶ୍ରବାର ସୁତ
ରଚିଲି କପଟ ବୁଦ୍ଧି
ମାୟା ମରିଚୀକା ପ୍ରଲୋଭନ ନେଇ
ରାଘବ ହୁଅନ୍ତି ଛନ୍ଦି ।
ଅତି କଉଶଳେ ଭିକ୍ଷୁକ ବେଶରେ
ରାବଣ ହରଣ କରେ
ଘୋର କାନନରେ ଝୁରନ୍ତି ଶ୍ରୀରାମ
ସତେ କି କପୋତ ଝୁରେ ।
ଅଞ୍ଜନାର ସୁତ ସାଗର ଲଘିଂ ତ
ଠାବ କଲେ ତୁମ ସ୍ଥାନ
ଘୋର ରଣ କରି ରାବଣ ବିନାଶି
ଉଦ୍ଧାରିଲେ ପ୍ରଭୁ ରାମ ।
ତଥାପି ନ ସରେ ଭାଗ୍ୟ ଆକାଶରୁ
ତାମସା କାଳିମା ଦୃଶ୍ୟ
ପରୀକ୍ଷା ନିମନ୍ତେ ଅନଳ ଗର୍ଭରେ
ସ୍ୱୟଂ ହେଲ ସମାହିତ ।
ସୁବର୍ଣ୍ଣ ଯେସନେ ଜାଜ୍ଜ୍ୱଲ୍ୟମାନ ଯେ
ତୁମର ସେ ରୂପ କାନ୍ତି
ଆଶ୍ଚର୍ଯ୍ୟ ଜନକ ଅବଲୋକନରେ
ରାଘବ ଲଭିଲେ ତୃପ୍ତି ।
ଆନନ୍ଦ ଶବାରି ଚଳେ ଥିରି ଥିରି
ଅଯୋଧ୍ୟା ସୌନ୍ଦର୍ଯ୍ୟମୟ
ପ୍ରଦୀପ ଆଲୋକ ନିମନ୍ତ୍ରଣ କରେ
ଅଭିଷେକ ହୁଏ ଥୟ ।
ବିଡମ୍ବନା କିବା ପ୍ରକୃତି ବଦଳେ
ନାଗରା ବାଜିଲା ଦାଣ୍ଡେ
ସୀତା ଯେ ଅସତୀ ରାବଣ ସ୍ପର୍ଶରେ
ରାଜ୍ୟେ ନରହିବେ ଦଣ୍ଡେ ।
ପ୍ରଜା ହିତକାରୀ ସେ କୋଦଣ୍ଡଧାରୀ
ପରିତ୍ୟାଗ କଲେ ନାରୀ
ଘୋର ଅରଣ୍ୟରେ ନିରବ ଯନ୍ତ୍ରଣା
ସାଜିଲା ଲଲାଟ ଶିରୀ ।
ଘୁଞ୍ଚିଲା ଶର୍ବରୀ ଉଷା ଆସେ ଫେରି
ପ୍ରବେଶେ ଦରଜା ଡେଇଁ
ଲବ କୁଶ ବେନି ସୁକୋମଳ ଶିଶୁ
କୋଳରେ ଆସିଲେ ଉଇଁ ।
ପିତା ଅନ୍ୱେଷଣେ ତମ୍ପୁରା ବଜାଇ
ସଫଳ ହୋଇଲେ ସିନା
କିନ୍ତୁ ରହି ଗଲା ତୁମରି ଠାଇଁ ମା
ପୁଣି ଭାଗ୍ୟ ଚୁନା ଚୁନା ।
ବେଇମାନ ଏଇ କୁତ୍ସିତ ସମାଜ
ଅପନିନ୍ଦା ଦେଲେ ବୋଳି
ମଥା ପାତି ନେଲେ ଜଗତ କରତା
ପ୍ରାଣ ପ୍ରିୟା ପାଶେ ଅଳି ।
ବାରମ୍ବାର କେତେ ଧର୍ଯ୍ୟ ଶକ୍ତି ଆସେ
ସହିବାର ସୀମା ଥାଏ
ଅତ୍ୟନ୍ତ ଦୁଃଖରେ ଧରଣୀ ବକ୍ଷରେ
କାୟା ଯେ ବିଲନ୍ନ ହୁଏ ।
ସତୀ ଶିରୋମଣି ଜନକ ନନ୍ଦିନୀ
ଜଗତର ମାତା ତୁମେ
କେତେ ଝଡଝଞ୍ଜା ବୋହିଲ ମା ଲୋ
ମିଛ ଏହି ଧରା ଧାମେ ।
