ମାତା ଭାରତୀର ରଖିବୁ ଟେକ
ମାତା ଭାରତୀର ରଖିବୁ ଟେକ
ଆମ ଦେବଭୂମି ପବିତ୍ର ଭାରତେ
ଆଚରନ୍ତି ତପ ମହର୍ଷି ମୁନି
ସତ୍ଯନିଷ୍ଠ ରାମ ଯୋଗୀରାଜ କୃଷ୍ଣ
ଥିଲେ ଏ ଭୂମିରେ ଦିନେ ଜନମି ।
ଫିଙ୍ଗୁଥିଲେ ଦୁଷ୍ଟ ପ୍ରଦୂଷ ପୁରୀଷ
ଭଗ୍ନ କରୁଥିଲେ ତପସ୍ଯା ଯଜ୍ଞ
ଖେଳାନ୍ତି ପାପିଷ୍ଠ ଏବେବି ଆତଙ୍କ
ପାମର ରାବଣ ଖର ଦୂଷଣ ।
ଶୁଣ ନରାଧମ ବର୍ବର ଅସୁର
ଜହ୍ଲାଦ ରାକ୍ଷସ ହୀନବୀର୍ଯ୍ଯ
ଜାଣିନା ପିଶାଚ ସମ୍ମାନ ମର୍ଯ୍ଯାଦା
ବିନାଶ ପାତକୀ ଅନିର୍ବାର୍ଯ୍ଯ ।
ମାତା ଭାରତୀର ସନ୍ତାନ ସନ୍ତତି
ବୀର ତା ଯବାନ ସୂର୍ଯ୍ଯ ସମ
ତୂର୍ଯ୍ଯନାଦେ ଯାର ଲେଲୀହାନ ବହ୍ନି
ପ୍ରଜ୍ଜ୍ଵଳେ ପ୍ରକମ୍ପେ ଶମନ ଯମ ।
ଚାହେଁ ବୋଲି ସିଏ ସତ୍ଯ ଓ ଅହିଂସା
ଭାବନା ତାହାକୁ ଦୁର୍ବଳ ଭୀରୁ
ଭାଙ୍ଗିଯିବ ଜଦି ଧୈର୍ଯ୍ୟ ବନ୍ଧ ତାର
ନାହିଁ କେ ଭୀଷଣ ବେଶୀ ତାଠାରୁ ।
ରଚିପାରେ ସିଏ ପ୍ରଳୟ ତାଣ୍ଡବ
ଜଳ ସ୍ଥଳ ନଭ ମହାକାଶରେ
ପାରିବନି ଶତ୍ରୁ ଲୁଚି ଘରକୋଣେ
ମାରିବ ଓଟାରି ଥିଲେ ପାତାଳେ ।
ସହି ପାରିବନି ଅସତ୍ଯ ଅନ୍ଯାୟ
ସାର୍ବଭୌମ ସ୍ବାଭିମାନୀ ଭାରତ
ନାଲି ଆଖି କିଏ ଦେଖାଇ ତାହାକୁ
ପାରିବନି କରି ନିରସ୍ତ୍ର ତ୍ରସ୍ତ ।
ତା ରଣ ହୁଙ୍କାରେ ବଜ୍ର ପ୍ରହାରରେ
ପାରିବ ସେ ଶତ୍ରୁ ଛାତି ବିଦାରି
ଅଛି ତା ସାହସ ମନରେ ବିଶ୍ବାସ
ଅସାଧ୍ୟ ସାଧନ ସେ ପାରିବ କରି ।
ଧ୍ବଜା ତ୍ରିରଙ୍ଗାର ତଳେ ଐକ୍ଯବଦ୍ଧ
ଅଖଣ୍ଡ ଭାରତ ବୀର ଅଟଳ
ଶାନ୍ତି ସୁସଂହତି ସତ୍ଯ ଓ ଧର୍ମର
ରଖିବାକୁ ଟେକ ସଦା ତତ୍ପର ।
