ମାଆର ବିଳାପ
ମାଆର ବିଳାପ
ଦେଖୁ ଦେଖୁ ଆଜି ଛଅ ଦିନ ହେଲା
ଯାଇଛୁ ମାଉସୀ ଘର
ଛଅ ଦିନ ଆଜି ଛଅ ବର୍ଷ ଯେ ଲାଗୁଛି
ସତେ କି କରିଛୁ ପର ।
ମାଆର ମମତା ମନେ ପଡୁନିକି
ମାଉସୀର ପିଠାଖାଇ
ମାଆକୁ ଛାଡ଼ି ତୁ କରୁଅଛୁ ମଜା
ଭାଇ ଭଉଣୀ ସାଥେ ଥାଇ।
ଅଣସର ଘରେ ଜରରେ ଥିଲୁରେ
କାହିଁକି ହେଲା ତୋ ମନ
ଦେହ ଭଲ ନାହିଁ କାହିଁକିରେ ବାବୁ
ମାଉସୀ ଘରକୁ କଲୁ ଗମନ ।
ଜର କଥା ଭାବି ମାଉସୀ ରନ୍ଧା ତୁ
ବେଶୀ ତୁ ଖାଇବୁ ନାହିଁ
ଅସଜଡା ଦେହ ପୁଣି ବିଗିଡ଼ିବ
ଘାଣ୍ଟି ହେବି ସେ ସମୟେ ମୁହିଁ ।
ଭଉଣୀକୁ ତୋର ଆଖିରେ ରଖିବୁ
ମାନୁଥିବୁ ବଡ଼ଭାଇ କଥା
ବଦମାସୀ ବାବୁ ନ କରିବୁ କେବେ
ମାଉସୀକୁ ନ ଦେବୁ ତୁ ବ୍ୟଥା।
ଗଲାବେଳେ ତୁହି କଣ୍ଟ ଦେଇଥିଲୁ
ରହିବୁ ତୁ ନଅ ଦିନ
ସୋର ଶବଦ ତ କିଛି ଶୁଭୁନାହିଁ
ବଦଳି ଗଲାକି ମନ ।
ଡେରି ନ କରି ତୁ ବେଗେ ଚାଲି ଆରେ
ରଙ୍କୁଣି ଧନ ମୋ କାଲିଆ
ବାଇଶି ପାହାଚେ ଚାହିଁ ବସିଛି ରେ
ଦୁଃଖୀ ତୋ ଯଶୋଦା ମାଆ ।
